

ବାରାଣସୀ, ଅକ୍ଟୋବର 8 (ହି.ସ)।ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଉତ୍ତରପ୍ରଦେଶର ବାରାଣସୀ ଗସ୍ତର ଦ୍ୱିତୀୟ ଦିନ ଗୁରୁବାର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠରେ ଆୟୋଜିତ ‘ଯୁବ ସଂବାଦ-୨୦୨୬’ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେ ଯୁବମାନଙ୍କ ପ୍ରଶ୍ନ ଶୁଣିବା ସହ ଶିକ୍ଷା, ରୋଜଗାର, ଷ୍ଟାର୍ଟଅପ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ଡିଜିଟାଲ୍ ମିଡିଆ ଏବଂ ବିକଶିତ ଭାରତର ଲକ୍ଷ୍ୟ ସହ ଜଡ଼ିତ ବିଭିନ୍ନ ବିଷୟରେ ନିଜ ମତ ରଖିଥିଲେ।
ନିତିନ ନବୀନ କହିଥିଲେ ଯେ, ଯୁବମାନଙ୍କ ଚିନ୍ତାଧାରା ଓ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ, ଯୁବ ସାଥୀମାନେ ମଧ୍ୟ ତାଙ୍କୁ ପରାମର୍ଶ ଦିଅନ୍ତୁ। ଯୁବମାନଙ୍କ ମନରେ ଥିବା ଭାବନା ଅତ୍ୟନ୍ତ ସୁସଂଗଠିତ ହୋଇଥାଏ। ସେମାନେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଦେଖି ନିଜର ମତ ଗଠନ କରନ୍ତି ନାହିଁ। ସେ କହିଥିଲେ ଯେ, ଭାରତ ଯୁବପିଢ଼ିଙ୍କ ଦେଶ। ଯୁବମାନଙ୍କୁ ବିଭିନ୍ନ ବର୍ଗରେ ବାଣ୍ଟିବା ପରିବର୍ତ୍ତେ ସେମାନଙ୍କ କ୍ଷମତାକୁ ବୁଝିବା ଆବଶ୍ୟକ।
ବିଜେପି ଅଧ୍ୟକ୍ଷ ବିଦ୍ୟାପୀଠର ମାସ୍ କମ୍ୟୁନିକେସନର ଗୋଲ୍ଡ ମେଡାଲିଷ୍ଟ ନିଶା ସିଂହଙ୍କୁ ନିଜ ପାଖରେ ବସାଇ ଯୁବମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ଯୁବମାନେ ନିଜର ଐତିହ୍ୟ ପାଇଁ ଗର୍ବିତ ହେବା ଆବଶ୍ୟକ। ତେବେ ହିଁ ୨୦୪୭ ସୁଦ୍ଧା ଦେଶ ବିକଶିତ ହୋଇପାରିବ। ସେ କହିଥିଲେ ଯେ, ଦେଶରେ ପ୍ରାୟ ଅଢ଼େଇ ଲକ୍ଷ ଷ୍ଟାର୍ଟଅପ୍ ରହିଛି, ଯାହା ଯୁବପିଢ଼ିଙ୍କ ସୃଜନଶୀଳତାର ଫଳ।
ନିତିନ ନବୀନ କହିଥିଲେ ଯେ, ଦେଶରେ ପ୍ରାୟ ଅଢ଼େଇ ଲକ୍ଷ ଷ୍ଟାର୍ଟଅପ୍ ରହିଛି ଏବଂ ଏହି ସଫଳତା ଯୁବମାନଙ୍କ ପ୍ରୟାସର ପରିଣାମ। ଭାରତର ଯୁବପିଢ଼ି କେବଳ ଚାକିରି ପାଇବା ନୁହେଁ, ବରଂ ଚାକିରି ଦେବାରେ ସକ୍ଷମ ହେବ। ସେ କହିଥିଲେ ଯେ, ଆଗାମୀ ଦିନରେ ଭାରତ ଏଆଇର ଏକ ବଡ଼ ହବ୍ ହେବ। ଦେଶର ମେଡିକାଲ୍ ସପୋର୍ଟ ସିଷ୍ଟମକୁ ସୁଦୃଢ଼ କରିବା ସହ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ରୋଜଗାରମୁଖୀ କରାଯିବ, ଯାହାଦ୍ୱାରା ମାନବ ସମ୍ବଳକୁ ସ୍କିଲ୍ ପାୱାରରେ ପରିଣତ କରାଯାଇପାରିବ।
ସେ ଯୁବମାନଙ୍କୁ ଜୀବନରେ ସଂଘର୍ଷରୁ ପଛକୁ ନହଟିବା ଏବଂ ସୋସିଆଲ୍ ମିଡିଆରେ ପ୍ରସାରିତ ହେଉଥିବା ନକଲି ବିଷୟବସ୍ତୁ ଉପରେ ଆଖି ବନ୍ଦ କରି ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, କୌଣସି ସୂଚନାକୁ ଆଗକୁ ପଠାଇବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ପଚାରିଥିଲେ ଯେ, ଆଜିକାଲି ଯୁବମାନେ କଣ୍ଟେଣ୍ଟ କ୍ରିଏସନ୍ ଓ ଡିଜିଟାଲ୍ ମିଡିଆରେ କ୍ୟାରିୟର ଦେଖୁଛନ୍ତି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ସରକାର କଣ୍ଟେଣ୍ଟ କ୍ରିଏଟର ଓ ଡିଜିଟାଲ୍ ଉଦ୍ୟୋଗୀମାନଙ୍କ ପାଇଁ କ’ଣ ଚିନ୍ତା କରୁଛନ୍ତି?ଅନ୍ୟ ଜଣେ ଛାତ୍ରୀ ପ୍ରଶ୍ନ କରିଥିଲେ ଯେ, ୨୦୪୭ରେ କାହିଁକି, ୨୦୨୬ ସୁଦ୍ଧା ହିଁ ଭାରତ ବିକଶିତ ଦେଶ କାହିଁକି ହୋଇପାରିବ ନାହିଁ? ଏଥିପାଇଁ କ’ଣ ଯୁବମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ ନୁହେଁ?
ଏହାର ଉତ୍ତରରେ ବିଜେପି ଅଧ୍ୟକ୍ଷ କହିଥିଲେ ଯେ, ଏଆଇ କ୍ଷେତ୍ରରେ ବଡ଼ ବଡ଼ ନିବେଶ ଆସିଛି। ଭାରତ ଖୁବଶୀଘ୍ର ଏଆଇର ଏକ ବଡ଼ ହବ୍ ହେବ। ଯେଉଁ ଦେଶର ଇତିହାସ ଭଲ ନଥାଏ, ତାହାର ଐତିହ୍ୟ ମଧ୍ୟ ଭଲ ହୋଇନଥାଏ। ଉତ୍ତରପ୍ରଦେଶ ବଦଳିଯାଇଛି। ଏଠାରେ ବିକାଶ ହେଉଛି। ପୂର୍ବରୁ ରାଜ୍ୟର ନାମ ଆସିଲେ ମାଫିଆ ଓ ହତ୍ୟାର କଥା ଚର୍ଚ୍ଚା ହେଉଥିଲା। ଏବେ ଏକ୍ସପ୍ରେସ୍ୱେ ନିର୍ମାଣ ହେଉଛି ବୋଲି କୁହାଯାଉଛି। ଡିଫେନ୍ସ କରିଡର ନିର୍ମାଣ ହେଉଛି, ଯେଉଁଥିରେ ରାଜ୍ୟର ୪୦ ପ୍ରତିଶତ ରୋଜଗାର ସୁଯୋଗ ଯୁବପିଢ଼ିଙ୍କୁ ମିଳୁଛି।
ନିତିନ ନବୀନ କହିଥିଲେ ଯେ, ପୂର୍ବ ସରକାରଗୁଡ଼ିକ ସମୟରେ ଯୁବମାନେ ନିଜର ଶକ୍ତିକୁ ଭୁଲ ଦିଗରେ ବ୍ୟବହାର କରୁଥିଲେ, କିନ୍ତୁ ଏବେ ଏପରି ହେଉନାହିଁ। ଦେଶରେ ଆଇନ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି। ଆଇନ ମହାବିଦ୍ୟାଳୟ ଖୋଲାଯାଉଛି। ଆଇଟି ହବ୍ ପ୍ରତ୍ୟେକ ରାଜ୍ୟ ଓ ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା