
ନୂଆଦିଲ୍ଲୀ, ୦୮ ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ‘ଇଣ୍ଡି’ ମେଂଟର ନେତାମାନଙ୍କ ସାକ୍ଷାତକୁ ନେଇ ସମୟ ନମିଳିବାରୁ କଂଗ୍ରେସ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ଉପରେ କଡ଼ା ପ୍ରହାର କରିଛି।
ଦିଲ୍ଲୀସ୍ଥିତ କନଟ୍ ପ୍ଲେସ୍ରେ ବିରୋଧ ପ୍ରଦର୍ଶନ ସମୟରେ କଂଗ୍ରେସର ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ କହିଛନ୍ତି ଯେ ବିରୋଧୀ ମେଂଟର ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଔପଚାରିକ ଅନୁରୋଧ କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ସମୟ ନିର୍ଦ୍ଧାରଣ କରାଯାଇନାହିଁ।
ସେ କହିଛନ୍ତି ଯେ ମେଂଟ ପକ୍ଷରୁ ସାକ୍ଷାତ ପାଇଁ ପ୍ରଥମ ଅନୁରୋଧ ପତ୍ର ୨ ଅକ୍ଟୋବରରେ ପଠାଯାଇଥିଲା। ଏହାପରେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହେବାକୁ ଥିବା ନେତାମାନଙ୍କ ନାମ ମାଗିଥିଲା। ବିରୋଧୀ ଦଳ ୫ ଅକ୍ଟୋବରରେ ସମସ୍ତ ନେତାଙ୍କ ନାମର ତାଲିକା ସହ ପୁଣିଥରେ ପତ୍ର ପଠାଇ ୭, ୮ କିମ୍ବା ୯ ଅକ୍ଟୋବର ମଧ୍ୟରୁ କୌଣସି ଗୋଟିଏ ଦିନର ସମୟ ଦେବାକୁ ଅନୁରୋଧ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଉତର ମିଳିନାହିଁ। ସେମାନେ ଆସନ୍ତାକାଲି ପର୍ଯ୍ୟନ୍ତ ଏ ସମ୍ପର୍କରେ ଉତରକୁ ଅପେକ୍ଷା କରିବେ।
କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଉପରେ ସିଧାସଳଖ ଆକ୍ରମଣ କରି ବେଣୁଗୋପାଳ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ମିଳିତ ଭାବେ ଭାରତୀୟ ଗଣତନ୍ତ୍ରରେ ଅରାଜକତା ସୃଷ୍ଟି କରୁଛନ୍ତି। ସେ କହିଛନ୍ତି ଯେ ଶାସକ ଦଳ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ବ୍ୟବସ୍ଥାକୁ ଶେଷ କରିବାକୁ ପ୍ରୟାସ କରୁଛି, ଯେତେବେଳେ କି ବିରୋଧୀ ଦଳ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ମଇଦାନରେ ଦୃଢ଼ ଭାବେ ଠିଆ ହୋଇଛି।
ବେଣୁଗୋପାଳ କହିଛନ୍ତି ଯେ ଦେଶର ସାଧାରଣ ମତଦାତା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏହା ବିରୋଧୀ ଦଳ ପାଇଁ କର ବା ମର'ର ଲଢ଼େଇ, ଯେଉଁଥିରୁ ସେମାନେ ପଛକୁ ହଟିବେ ନାହିଁ।
ଉଲ୍ଲେଖନୀୟ ଯେ ଇଣ୍ଡି' ମେଂଟ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ମତଦାତା ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟାକୁ ରୋକିବା ଦାବି ନେଇ ପ୍ରଦର୍ଶନ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ