
ନୂଆଦିଲ୍ଲୀ, ଅକ୍ଟୋବର 8(ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇବର ଠକେଇ, ଡିପ୍ଫେକ୍ ଏବଂ ଡିଜିଟାଲ୍ ଅପରାଧର ବଢ଼ୁଥିବା ଆହ୍ୱାନର ମୁକାବିଲା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଗଠନ ପାଇଁ ଆହ୍ୱାନ ଦେଇ କହିଛନ୍ତି ଯେ, ଲୋକଙ୍କର ପ୍ରଯୁକ୍ତି ଉପରେ ବିଶ୍ୱାସ ରହିଲେ ହିଁ ଏହାର ବ୍ୟାପକ ବ୍ୟବହାର ସମ୍ଭବ ହୋଇପାରିବ। ଭାରତ ନିଜର ଅଭିଜ୍ଞତା ଓ ଶିକ୍ଷାକୁ ବିଶ୍ୱ ସହ ବାଣ୍ଟିବା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଗୁରୁବାର ୧୦ମ ଇଣ୍ଡିଆ ମୋବାଇଲ୍ କଂଗ୍ରେସକୁ ସମ୍ବୋଧିତ କରି କହିଥିଲେ ଯେ, ସାଇବର ଅପରାଧର କୌଣସି ସୀମା ନାହିଁ। ଗୋଟିଏ ଦେଶରେ ବସିଥିବା ବ୍ୟକ୍ତି ଅନ୍ୟ ଦେଶରେ ଥିବା ବ୍ୟକ୍ତିଙ୍କ ସହ ଠକେଇ କରିପାରେ ଏବଂ ଏଥିପାଇଁ ତୃତୀୟ ଦେଶର ପ୍ରଯୁକ୍ତି କିମ୍ବା ନେଟୱର୍କର ବ୍ୟବହାର ହୋଇପାରେ। ସେ କହିଥିଲେ ଯେ, ଡିପ୍ଫେକ୍ ମଧ୍ୟ ଏକ ବଡ଼ ଆହ୍ୱାନ ହୋଇପାରିଛି। ଏହାର ମୁକାବିଲା ପାଇଁ ଦେଶଗୁଡ଼ିକ, ପ୍ରଯୁକ୍ତି କମ୍ପାନୀ, ଦୂରସଞ୍ଚାର କମ୍ପାନୀ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକୁ ମିଳିତ ଭାବେ କାମ କରିବାକୁ ପଡ଼ିବ।
ମୋଦୀ ବିଶ୍ୱ ଦୂରସଞ୍ଚାର ଶିଳ୍ପର ସଂଗଠନ ଜିଏସ୍ଏମ୍ଏ ଏବଂ ବିଶ୍ୱର ଦୂରସଞ୍ଚାର ଅପରେଟରମାନଙ୍କୁ ଏପରି ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଗଠନ କରିବାକୁ ଆହ୍ୱାନ ଦେଇଥିଲେ, ଯାହା ଠକେଇ ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ତାହାକୁ ରୋକିପାରିବ। ସେ କହିଥିଲେ, “ଆସନ୍ତୁ ଏପରି ଏକ ଗ୍ଲୋବାଲ୍ ମେକାନିଜମ୍ ଗଠନ କରିବା, ଯାହା ଏଭଳି ଠକେଇକୁ ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ରୋକିପାରିବ। ଭାରତ ଏହି ଦିଗରେ ନିଜ ଅଭିଜ୍ଞତାରୁ ଅନେକ କିଛି ଶିଖିଛି ଏବଂ ଭାରତ ନିଜର ଅଭିଜ୍ଞତାକୁ ବିଶ୍ୱ ସହ ବାଣ୍ଟିବା ପାଇଁ ସର୍ବଦା ପ୍ରସ୍ତୁତ।”
ପ୍ରଧାନମନ୍ତ୍ରୀ କହିଥିଲେ, “ପ୍ରଯୁକ୍ତି ସେତେବେଳେ ହିଁ ବ୍ୟାପକ ସ୍ତରରେ ପହଞ୍ଚିଥାଏ, ଯେତେବେଳେ ଏହା ଲୋକଙ୍କ ବିଶ୍ୱାସ ହାସଲ କରେ।” ସେ କହିଥିଲେ ଯେ, ସାଧାରଣ ନାଗରିକ ପ୍ରଯୁକ୍ତିଗତ ପ୍ରୋଟୋକଲ୍ କିମ୍ବା ନେଟୱର୍କର ଜଟିଳତା ବିଷୟରେ ଚିନ୍ତା କରନ୍ତି ନାହିଁ। ବରଂ ସେ ଜାଣିବାକୁ ଚାହାନ୍ତି ଯେ, ଫୋନ୍ କରୁଥିବା ବ୍ୟକ୍ତି କିଏ, ମେସେଜ୍ଟି ସତ କି ନକଲି, ତାଙ୍କ ପେମେଣ୍ଟ ସୁରକ୍ଷିତ କି ନାହିଁ ଏବଂ ତାଙ୍କ ଡାଟା ସୁରକ୍ଷିତ କି ନାହିଁ। ତେଣୁ ଦୂରସଞ୍ଚାର ଓ ଡିଜିଟାଲ୍ କ୍ଷେତ୍ରରେ ସୁରକ୍ଷା ଏବଂ ବିଶ୍ୱାସ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ।
ମୋଦୀ କହିଥିଲେ ଯେ, ଭାରତରେ ୨୦୨୨ ମସିହାରେ ଏହି ମଞ୍ଚରୁ ହିଁ ୫ଜି ସେବାର ଶୁଭାରମ୍ଭ ହୋଇଥିଲା। ସେବେଠାରୁ ୫ଜି ସେବା ଦେଶର ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିସାରିଛି ଏବଂ ୫ ଲକ୍ଷରୁ ଅଧିକ ମୋବାଇଲ୍ ବେସ୍ ଷ୍ଟେସନ୍ ସ୍ଥାପନ କରାଯାଇଛି। ସେ କହିଥିଲେ ଯେ, ୨୦୨୨ ତୁଳନାରେ ଭାରତରେ ମୋବାଇଲ୍ ଇଣ୍ଟରନେଟ୍ର ଗତି ପ୍ରାୟ ୧୦ ଗୁଣ ବଢ଼ିଛି। ଏହି ପରିବର୍ତ୍ତନ କେବଳ ଦୂରସଞ୍ଚାର କ୍ଷେତ୍ରରେ ସୀମିତ ନୁହେଁ, ବରଂ ଡିଜିଟାଲ୍ ସେବା ଓ ଶାସନ ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି।
ସେ କହିଥିଲେ ଯେ, ଏକ ଦଶନ୍ଧି ପୂର୍ବେ ଆଧୁନିକ ପ୍ରଯୁକ୍ତି ପାଖରେ ପହଞ୍ଚିବା ଏକ ପ୍ରକାର ବିଶେଷାଧିକାର ପାଲଟି ଯାଉଥିଲା ଏବଂ ଡିଜିଟାଲ୍ ବିଭାଜନ ଏକ ବଡ଼ ଆହ୍ୱାନ ଥିଲା। ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ସରକାର ପ୍ରଯୁକ୍ତିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ମୋବାଇଲ୍କୁ ଏହାର କେନ୍ଦ୍ରରେ ରଖିଥିଲେ। ଏଥିପାଇଁ ନୀତିଗତ ସଂସ୍କାର ସହ ଦୂରସଞ୍ଚାର ଭିତ୍ତିଭୂମି ଏବଂ ଦେଶରେ ମୋବାଇଲ୍ ଓ ଦୂରସଞ୍ଚାର ଉପକରଣ ନିର୍ମାଣକୁ ପ୍ରୋତ୍ସାହନ ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ କୋଭିଡ୍-୧୯ ମହାମାରୀର ଉଲ୍ଲେଖ କରି କହିଥିଲେ ଯେ, ସେହି ସମୟରେ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସରକାରୀ ସୁବିଧାଗୁଡ଼ିକ ବହୁମାତ୍ରାରେ ଡିଜିଟାଲ୍ ମାଧ୍ୟମରେ ଚାଲିଥିଲା। ସେ କହିଥିଲେ ଯେ, ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଜୁଲାଇ ୨୦୨୨ ସୁଦ୍ଧା ୫୦୦ କୋଟିରୁ ଅଧିକ ଶିକ୍ଷଣ ସେସନ୍ ଏବଂ ପ୍ରାୟ ୬,୦୦୦ କୋଟି ଶିକ୍ଷଣ ମିନିଟ୍ ରେକର୍ଡ କରାଯାଇଥିଲା। ପ୍ରାୟ ୨୫ କୋଟି ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ଓ ଅନଲାଇନ୍ ଶିକ୍ଷା ସହ ଯୋଡ଼ିବା ସରକାରଙ୍କ ଲକ୍ଷ୍ୟ ଥିଲା।
ମୋଦୀ କହିଥିଲେ ଯେ, ଆଜି ଶତାଧିକ ସରକାରୀ ସେବା ମୋବାଇଲ୍ରେ ଉପଲବ୍ଧ ହେଉଛି ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ବଡ଼ ପରିମାଣର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚୁଛି। ସେ କହିଥିଲେ ଯେ, ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଯାଇଛି ଏବଂ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଭୁଲ୍ ହାତକୁ ଯିବା କିମ୍ବା ଲିକେଜ୍ରୁ ବଞ୍ଚାଯାଇଛି।
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, “ଏବେ ମୋତେ କୁହନ୍ତୁ, ଯେଉଁମାନଙ୍କର ମାଗଣା ରୋଜଗାର ବନ୍ଦ ହୋଇଯାଇଛି, ସେମାନେ କ’ଣ ମୋଦୀଙ୍କୁ ଭଲ ପାଇବେ?” ସେ କହିଥିଲେ ଯେ, ସେ ଭୁଲ୍ ପଦ୍ଧତିଗୁଡ଼ିକୁ ରୋକିବା ପାଇଁ ସଂକଳ୍ପ ନେଇଛନ୍ତି। ମୋଦୀ କହିଥିଲେ ଯେ, ପୁରୁଣା ବ୍ୟବସ୍ଥା ଜାରି ରହିଥିଲେ ସରକାରଙ୍କ ବହୁ ପରିମାଣର ଅର୍ଥ ଲିକେଜ୍ରେ ଚାଲିଯାଇ ଭୁଲ୍ ଲୋକଙ୍କ ପକେଟ୍ ଭରିଥାନ୍ତା। କିନ୍ତୁ ଏବେ ସେହି ଅର୍ଥ ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ଏବଂ ବଞ୍ଚିଥିବା ଅର୍ଥକୁ ସଠିକ୍ କାମରେ ବ୍ୟବହାର କରାଯାଉଛି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ, କୃଷକମାନଙ୍କ ଖାତାକୁ ପ୍ରତି ଚାରି ମାସରେ ଅର୍ଥ ପଠାଯାଉଛି ଏବଂ ଏହାର ସୂଚନା ମୋବାଇଲ୍ରେ ମିଳୁଛି। ଏହାଦ୍ୱାରା ସେହି ଛୋଟ କୃଷକମାନେ ମଧ୍ୟ ସରକାରୀ ଯୋଜନାର ଲାଭ ପାଇପାରୁଛନ୍ତି, ଯେଉଁମାନେ ପୂର୍ବରୁ ବିଭିନ୍ନ କାରଣରୁ ଏଥିରୁ ବଞ୍ଚିତ ହେଉଥିଲେ।
ମୋଦୀ କହିଥିଲେ ଯେ, ମୋବାଇଲ୍ ଓ ଡିଜିଟାଲ୍ ସେବା ନାଗରିକମାନଙ୍କୁ ଯାତ୍ରା, ଅପେକ୍ଷା ଏବଂ ଖର୍ଚ୍ଚ କମାଇବା ସହ ଅଧିକ ସୁବିଧା ପ୍ରଦାନ କରିଛି। ସେ ଏହାକୁ ପ୍ରଯୁକ୍ତିରୁ ମିଳୁଥିବା ସବୁଠାରୁ ବଡ଼ ନାଗରିକ ଲାଭ ବୋଲି କହିଥିଲେ। ସେ କହିଥିଲେ ଯେ, ଶସ୍ତା ଡାଟା ଓ ଉନ୍ନତ ସଂଯୋଗ ବ୍ୟବସ୍ଥା ମନୋରଞ୍ଜନ, ଶିକ୍ଷା ଓ କଣ୍ଟେଣ୍ଟ ନିର୍ମାଣରେ ନୂଆ ସୁଯୋଗ ସୃଷ୍ଟି କରିଛି।
ସେ କହିଥିଲେ ଯେ, ୫୦ କୋଟିରୁ ଅଧିକ ଲୋକ ଗେମିଂ ଇକୋସିଷ୍ଟମର ଅଂଶ ହୋଇସାରିଛନ୍ତି। ଛୋଟ ସହର ଓ କସ୍ବାର ଯୁବମାନେ ଇ-ସ୍ପୋର୍ଟ୍ସ, କଣ୍ଟେଣ୍ଟ ନିର୍ମାଣ ଏବଂ ନୂଆ ଡିଜିଟାଲ୍ ବ୍ୟବସାୟରେ ଆଗକୁ ବଢ଼ୁଛନ୍ତି। ମୋବାଇଲ୍ ଏବେ କେବଳ ଯୋଗାଯୋଗର ମାଧ୍ୟମ ହୋଇ ରହିନାହିଁ, ବରଂ ଗେମିଂ କନ୍ସୋଲ୍ ଏବଂ ସୃଜନଶୀଳ କାର୍ଯ୍ୟ ପାଇଁ ଷ୍ଟୁଡିଓ ଭଳି କାମ କରୁଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦ୍ରୁତ ଇଣ୍ଟରନେଟ୍ ଓ ଶସ୍ତା ଡାଟା ଭିଡିଓ ସେୟାରିଂ ପ୍ଲାଟଫର୍ମ, ସୋସିଆଲ୍ ମିଡିଆ ଏବଂ ଆଞ୍ଚଳିକ ଓଟିଟି ସେବାଗୁଡ଼ିକୁ ଗାଁ ଓ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚାଇଛି। ଏହାଦ୍ୱାରା ଭାଷାର ପ୍ରତିବନ୍ଧକ କମିଛି ଏବଂ କଣ୍ଟେଣ୍ଟ ନିର୍ମାଣ ଶିଳ୍ପ ଦ୍ରୁତଗତିରେ ବଢ଼ିଛି। ସେ କହିଥିଲେ ଯେ, ଏହି କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ନୂଆ ସୁଯୋଗ ସୃଷ୍ଟି ହୋଇଛି। ମୋଦୀ କହିଥିଲେ ଯେ, ଭାରତ ଏବେ କେବଳ ପ୍ରଯୁକ୍ତିର ଉପଭୋକ୍ତା ହୋଇ ରହିବାକୁ ଚାହୁଁନାହିଁ, ବରଂ ଉତ୍ପାଦ, ପ୍ରଯୁକ୍ତି ଓ ବୌଦ୍ଧିକ ସମ୍ପତ୍ତିର ନିର୍ମାତା ହେବାକୁ ଚାହୁଁଛି। ଏଥିପାଇଁ ସରକାର ପ୍ରୋତ୍ସାହନ ଓ ନୀତିଗତ ସଂସ୍କାର କରୁଛନ୍ତି, ଯାହାଦ୍ୱାରା ଉତ୍ପାଦର ଡିଜାଇନ୍, ପ୍ରଯୁକ୍ତି ଓ ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ଭାରତର ଭୂମିକା ସୁଦୃଢ଼ ହୋଇପାରିବ।
ସେ ଦୂରସଞ୍ଚାର କ୍ଷେତ୍ରରେ କରାଯାଇଥିବା ସଂସ୍କାରର ଉଲ୍ଲେଖ କରି କହିଥିଲେ ଯେ, ଦୂରସଞ୍ଚାର ଆଇନ ଏକ ଆଧୁନିକ ନିୟାମକ ଢାଞ୍ଚା ପ୍ରଦାନ କରିଛି। ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ସହ ଜଡ଼ିତ ବ୍ୟବସ୍ଥାଗୁଡ଼ିକୁ ଯୁକ୍ତିସଙ୍ଗତ କରାଯାଇଛି। ସେ କହିଥିଲେ ଯେ, ଗତି ଶକ୍ତି ସଞ୍ଚାର ପୋର୍ଟାଲ୍ ମାଧ୍ୟମରେ ରାଇଟ୍ ଅଫ୍ ୱେ ସମ୍ବନ୍ଧୀୟ ଅନୁମୋଦନ ପ୍ରକ୍ରିୟାରେ ଦ୍ରୁତତା ଆସିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ମଧ୍ୟ ଦ୍ରୁତଗତିରେ ଆଗକୁ ବଢ଼ୁଛି ଏବଂ ୫ଟି ସ୍ଥାନରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି। ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯିବ।
ମୋଦୀ କହିଥିଲେ ଯେ, ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ ବର୍ଷ ପୂରଣ ହେବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଏହି ମଞ୍ଚ ୫ଜିଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଡିଜିଟାଲ୍ ମାନକ ଏବଂ ଭାରତରେ ନିବେଶ, ନବସୃଜନ ଓ ଉତ୍ପାଦନ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାକୁ ଆଗକୁ ବଢ଼ାଇଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସ୍କେଲ୍ ୱିଦାଉଟ୍ ବାଉଣ୍ଡ୍ରିଜ୍” ଏବଂ ଭାରତ ବଡ଼ ପରିମାଣରେ ପ୍ରଯୁକ୍ତି ଆପଣାଇବାର ନିଜ ଅଭିଜ୍ଞତାକୁ ବିଶ୍ୱ ସମ୍ମୁଖରେ ରଖିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଗାମୀ ଦଶନ୍ଧିର ଦିଗ ନିର୍ଦ୍ଧାରଣ କରିବାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ସେ କହିଥିଲେ, “ଆମକୁ ଆଇଏମ୍ସିକୁ ଏପରି ଏକ ପ୍ଲାଟଫର୍ମ କରିବାକୁ ହେବ, ଯାହା ପ୍ରଯୁକ୍ତି, ଗବେଷଣା, ଶିଳ୍ପ, ନିବେଶ ଏବଂ ଚିନ୍ତାଧାରାର ଏକ ଜଙ୍କସନ୍ ହୋଇପାରିବ।” ଏହି ମଞ୍ଚରୁ ଉତ୍ପନ୍ନ ହେଉଥିବା ଭାଗିଦାରି, ଗବେଷଣା ପ୍ରକଳ୍ପ ଓ ନୂଆ ଉତ୍ପାଦ ବିଶ୍ୱ ପର୍ଯ୍ୟନ୍ତ ପହଞ୍ଚିବ ଏବଂ ମାନବତାର ହିତରେ ବୈଷୟିକ ନବସୃଜନକୁ ଗତି ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ମୋଦୀ ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନାର ଯବାନମାନଙ୍କୁ ସଲାମ ଜଣାଇବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଅଭିନେତା ନାନା ପାଟେକରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ କଳା ମାଧ୍ୟମରେ ସାମାଜିକ କୁପ୍ରଥା ଓ ବ୍ୟବସ୍ଥାର ତ୍ରୁଟିଗୁଡ଼ିକ ଉପରେ ପ୍ରହାର କରିବାର ଅବଦାନକୁ ସ୍ମରଣ କରିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା