


ଭୋପାଳ, ଅକ୍ଟୋବର 8 (ହି.ସ) କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ତାଙ୍କ ଘରେ ପୁଣିଥରେ ଶିଶୁର କୋଳାହଳ ଶବ୍ଦ ଶୁଣିବାକୁ ମିଳିଛି। ତାଙ୍କ ସାନ ପୁଅ କୁଣାଲ ଓ ବୋହୂ ରିଦ୍ଧି ମାତାପିତା ହୋଇଛନ୍ତି। କୁଣାଲଙ୍କ ପତ୍ନୀ ରିଦ୍ଧି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁର ନାମ ‘ଅହାନ’ ରଖାଯାଇଛି।
କେନ୍ଦ୍ରୀୟ କୃଷି ମନ୍ତ୍ରୀ ଚୌହାନ ଗୁରୁବାର ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ହସ୍ପିଟାଲରେ ଜଣେ ନର୍ସ ତାଙ୍କୁ ନାତିକୁ ହସ୍ତାନ୍ତର କରୁଥିବା ଦେଖାଯାଉଛି। ଏହା ସହିତ ଖୁସି ବ୍ୟକ୍ତ କରି ସେ ଲେଖିଛନ୍ତି—ଆଜି ଆମ ଜୀବନରେ ପୁଣିଥରେ ସୌଭାଗ୍ୟର ସୂର୍ଯ୍ୟୋଦୟ ହୋଇଛି। ପୁଅ ରୂପରେ ଅହାନ ଆମ ଘରକୁ ଅପାର ଖୁସି ନେଇ ଆସିଛି।
ସେ କହିଛନ୍ତି ଯେ, କୁଣାଲ ଓ ରିଦ୍ଧି ମାତାପିତା ହୋଇଛନ୍ତି। ମୋତେ ଓ ସାଧନାଙ୍କୁ ପୁଣିଥରେ ଜେଜେ ବାପା ଓ ଜେଜେ ମାଆ ହେବାର ସୌଭାଗ୍ୟ ମିଳିଛି। କାର୍ତ୍ତିକେୟ-ଅମାନତ ବଡ଼ ପାପା-ବଡ଼ ମାମା ହୋଇଛନ୍ତି ଏବଂ ଆମ ଲାଡ଼ଲି ଇଲାର ଭାଇ ଆମ ଘରକୁ ଖୁସି ନେଇ ଆସିଛି। ପୁଅ ‘ଅହାନ’ର ଛୋଟିଆ କିଲିକିଲି ହସ ସାରା ଘରକୁ ଆନନ୍ଦ ଓ ପ୍ରେମରେ ଭରିଦେଇଛି। ଏହା ଆମ ପାଇଁ ଈଶ୍ୱରଙ୍କ ଅମୂଲ୍ୟ ଆଶୀର୍ବାଦ। ସନ୍ଦୀପ ଜୈନ ଓ ସ୍ୱାତୀ ଜୈନଙ୍କୁ ମଧ୍ୟ ଆଈ ଅଜା ହେବାର ଅନେକ ଅନେକ ଅଭିନନ୍ଦନ।
ଶିବରାଜ ସିଂହ ଚୌହାନଙ୍କ ସାନ ପୁଅ କୁଣାଲଙ୍କ ବିବାହ ୧୪ ଫେବୃଆରୀ ୨୦୨୫ରେ ଭୋପାଳରେ ହୋଇଥିଲା। ବିବାହ ସମାରୋହରେ ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବଡ଼ ନେତା ସାମିଲ ହୋଇଥିଲେ। ଉଭୟଙ୍କ ନିର୍ବନ୍ଧ ୨୩ ମେ ୨୦୨୪ରେ ହୋଇଥିଲା। ଏବେ ରିଦ୍ଧି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଅବସରରେ ସମଗ୍ର ପରିବାରରେ ଖୁସିର ମାହୋଲ ରହିଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା