
କାଠମାଣ୍ଡୁ, ୦୮ ଅକ୍ଟୋବର (ହି.ସ.)- ତାଞ୍ଜାନିଆର ଆରୁଶାରେ ଚାଲିଥିବା ଅନ୍ତଃସଂସଦୀୟ ସଂଘ (ଆଇପିୟୁ)ର ୧୫୩ତମ ମହାସଭାରେ ନେପାଳ ଦ୍ୱାରା ଉପସ୍ଥାପିତ ଜଳବାୟୁଜନିତ ବିପର୍ଯ୍ୟୟ ସମ୍ବନ୍ଧୀୟ ଜରୁରୀ ପ୍ରସ୍ତାବ ଦୁଇ-ତୃତୀୟାଂଶ ବହୁମତରେ ପାରିତ ହୋଇଛି।
ନେପାଳୀ ସଂସଦର ସ୍ପିକର ଡୋଲ ପ୍ରସାଦ (ଡିପି) ଆର୍ୟାଲଙ୍କ ଦ୍ୱାରା ଉପସ୍ଥାପିତ ‘ହିମାଳୟ ଅଂଚଳ ତଥା ଅନ୍ୟାନ୍ୟ ବିପଦପ୍ରବଣ ଅଂଚଳରେ ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟର ମୁକାବିଲା ଏବଂ ସହନଶୀଳତା ସୁଦୃଢ଼ କରିବା ପାଇଁ ତତ୍କାଳ ସଂସଦୀୟ ପଦକ୍ଷେପ’ ଶୀର୍ଷକ ଜରୁରୀ ଏଜେଣ୍ଡାକୁ ମହାସଭାରେ ଦୁଇ-ତୃତୀୟାଂଶ ବହୁମତ ମିଳିଛି।
ଏହି ଅବସରରେ ସ୍ପିକର ଆର୍ୟାଲ ହିମାଳୟକୁ ମାନବତାର ସାଧାରଣ ଐତିହ୍ୟ ଏବଂ ଏସିଆର ‘ୱାଟର ଟାୱାର’ ବୋଲି ବର୍ଣ୍ଣନା କରି କହିଥିଲେ ଯେ ଜଳବାୟୁ ପରିବର୍ତନ କାରଣରୁ ହିମାଳୟ, ହିମନଦ ଏବଂ ହିମତାଳଗୁଡ଼ିକ ଉପରେ ବଢ଼ୁଥିବା ବିପଦ ସମଗ୍ର ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ହେଉଛି।
ନେପାଳ ନିକଟରେ ସାମ୍ନା କରିଥିବା ଜଳବାୟୁଜନିତ ବିପର୍ଯ୍ୟୟଗୁଡ଼ିକର ଉଲ୍ଲେଖ କରି ସେ କହିଥିଲେ ଯେ ଜଳବାୟୁ ନ୍ୟାୟ ଏବଂ ସଂସଦୀୟ ଉତରଦାୟିତ୍ୱ ପାଇଁ ବିଶ୍ୱର ସଂସଦଗୁଡ଼ିକ ମଧ୍ୟରେ ସାଧାରଣ ଦାୟିତ୍ୱ ଏବଂ ସହଯୋଗ ଆବଶ୍ୟକ।
ଆର୍ୟାଲ କହିଥିଲେ ଯେ ମହାସଭା ଦ୍ୱାରା ନେପାଳର ପ୍ରସ୍ତାବ ପାରିତ ହେବା କେବଳ ନେପାଳର ଦାୟିତ୍ୱ ନୁହେଁ, ବରଂ ଆଇପିୟୁର ସମସ୍ତ ସଦସ୍ୟ ଦେଶ ଏବଂ ସାଂସଦମାନଙ୍କର ମଧ୍ୟ ସାଧାରଣ ଦାୟିତ୍ୱ ଅଟେ। ସେ ଜଳବାୟୁଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ସଂସଦୀୟ ଜଳବାୟୁ କୂଟନୀତିକୁ ଆହୁରି ପ୍ରଭାବଶାଳୀ କରିବା ଉପରେ ଜୋର ଦେଇଥିଲେ।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ