
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ନାନା
ପାଟେକରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ବରିଷ୍ଠ ଅଭିନେତା ନାନା ପାଟେକର ଜୀଙ୍କ ଦେହାନ୍ତ ଭାରତୀୟ ସିନେମା ଜଗତ ପାଇଁ ଏକ
ଅପୂରଣୀୟ କ୍ଷତି। ନିଜର ଅସାଧାରଣ ପ୍ରତିଭା,
ଶକ୍ତିଶାଳୀ ଅଭିନୟ ଓ କଳାକ୍ଷେତ୍ର ପ୍ରତି ଦୀର୍ଘକାଳୀନ ଅବଦାନ
ମାଧ୍ୟମରେ ସେ ପିଢ଼ି ପରେ ପିଢ଼ି ଦର୍ଶକଙ୍କ ହୃଦୟରେ ଏକ ଅଭୁଲା ଛାପ ଛାଡ଼ିଯାଇଛନ୍ତି। ମହାପ୍ରଭୁ
ଶ୍ରୀଜଗନ୍ନାଥ ଦିବଂଗତ ଆତ୍ମାଙ୍କୁ ଚିରଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଦୁଃଖଦ ସମୟରେ ତାଙ୍କ
ପରିବାର, ବନ୍ଧୁବର୍ଗ
ଓ ଅସଂଖ୍ୟ ପ୍ରଶଂସକଙ୍କୁ ଏହି ଅପୂରଣୀୟ ବିୟୋଗକୁ ସହିବା ପାଇଁ ଶକ୍ତି ଓ ସାନ୍ତ୍ୱନା ପ୍ରଦାନ
କରନ୍ତୁ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଏକ ଶୋକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ୍ରସିଦ୍ଧ ଅଭିନେତା, ପଦ୍ମଶ୍ରୀ
ନାନା ପାଟେକରଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ନିଜର ଜୀବନ୍ତ ଓ
ଅସାଧାରଣ ଅଭିନୟ ଶୈଳୀ ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ଅଭୁଲା ଛାପ ଛାଡ଼ିଯାଇଛନ୍ତି। ତାଙ୍କର
ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଅଗଣିତ ପ୍ରଶଂସକଙ୍କ
ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଓଁ ଶାନ୍ତି !
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ବର୍ଷୀୟାନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ
ପରଲୋକ ଖବର ଶୁଣି ଗଭୀର ଦୁଃଖିତ । ନିଜର ଅସାଧାରଣ ଅଭିନୟ ପ୍ରତିଭା ମାଧ୍ୟମରେ ସେ ଭାରତୀୟ
ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା
କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା
ଜଣାଉଛି ।
ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ ଏକ ଶୋକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବରିଷ୍ଠ ଅଭିନେତା ନାନା ପାଟେକରଙ୍କ
ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କର ସ୍ୱତନ୍ତ୍ର ସଂଳାପ ପରିବେଷଣ ଶୈଳୀ ଏବଂ
ଜଟିଳ ଚରିତ୍ରଗୁଡ଼ିକୁ ସହଜତାର ସହ ଜୀବନ୍ତ କରିବାର ଅପୂର୍ବ ଦକ୍ଷତା ତାଙ୍କୁ ଭାରତୀୟ ସିନେମାରେ
ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏହି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ, ବନ୍ଧୁବର୍ଗ
ଓ ପ୍ରଶଂସକମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଓଁ ଶାନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କିମ୍ବଦନ୍ତୀ ଅଭିନେତା ନାନା
ପାଟେକର ଜୀଙ୍କ ଦେହାନ୍ତରେ ଗଭୀର ଭାବେ ମର୍ମାହତ। ତାଙ୍କର ଅସାଧାରଣ ଅଭିନୟ ଯାତ୍ରା, ଶକ୍ତିଶାଳୀ
ଅଭିନୟ, ସ୍ମରଣୀୟ
ସଂଳାପ ପରିବେଷଣ ଏବଂ ସ୍ୱତନ୍ତ୍ର ପରଦା ଉପସ୍ଥିତି ଭାରତୀୟ ସିନେମା ଉପରେ ଏକ ଅମିଟ ଛାପ
ଛାଡ଼ିଯାଇଛି। ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ପିଢ଼ି ପରେ ପିଢ଼ି ସ୍ମରଣୀୟ ହୋଇ ରହିବ। ତାଙ୍କ
ପରିବାର, ବନ୍ଧୁବର୍ଗ, ସମର୍ଥକ
ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମୋର ହୃଦୟରୁ ସମବେଦନା। ଦିବଂଗତ ଆତ୍ମାଙ୍କୁ ଚିରଶାନ୍ତି ମିଳୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା