
ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) -ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିଆନ୍ ଖେଳାଳି ତଥା ପୂର୍ବ ତଟ ରେଳପଥର କ୍ରୀଡ଼ା ଅଧିକାରୀ ଶ୍ରୀ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଜାପାନରେ ଅନୁଷ୍ଠିତଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳର ସ୍ୱର୍ଣ୍ଣ ପଦକ ବିଜୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଶ୍ରୀ ଫୁଙ୍କୱାଲ ଅମିତ ରୋହିଦାସଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ନିଷ୍ଠା, ସମର୍ପଣ ଭାବ ଓ ଉତ୍କୃଷ୍ଟ ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରିଥିଲେ। ସେ ରୋହିଦାସଙ୍କୁ ଯୁବ ହକି ଖେଳାଳି ତଥା ଭବିଷ୍ୟତର କ୍ରୀଡ଼ାବିତ୍ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଥିଲେ।
ଶ୍ରୀ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମହାପ୍ରବନ୍ଧକ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଅଭିଜ୍ଞତା ଓ ମାର୍ଗଦର୍ଶନ ଯୁବ କ୍ରୀଡ଼ାବିତ୍ମାନଙ୍କୁ ପ୍ରେରିତ କରିବା ସହ ପୂର୍ବ ତଟ ରେଳପଥରେ କ୍ରୀଡ଼ାର ଅଧିକ ପ୍ରସାର ଓ ପ୍ରୋତ୍ସାହନରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା