
ରାୟଗଞ୍ଜ, ୯ ଅକ୍ଟୋବର (ହିସ) ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ଉତର ଦିନାଜପୁର ଜିଲ୍ଲାର ରାୟଗଞ୍ଜ ଠାରେ ଜାତୀୟ ରାଜପଥ-୧୨ରେ ଏକ ସଡ଼କ ଦୁର୍ଘଟଣାରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚାରି ଜଣ ଶ୍ରମିକ ଏବଂ ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଅଛନ୍ତି। ସମସ୍ତ ମୃତକ ମାଲଦା ଜିଲ୍ଲାର କାଲିଆଚକ ଅଂଚଳର ବାସିନ୍ଦା ଥିଲେ। ପୋଲିସ ଦୁଇଟି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୋଲିସର କହିବା ଅନୁଯାୟୀ, ଗୁରୁବାର ରାତିରେ ପିକଅପ୍ ଭ୍ୟାନ୍ଟି କାଲିଆଚକରୁ କୁକୁଡ଼ା ନେଇ ସିଲିଗୁଡ଼ି ଯାଉଥିଲା। ସେଠାରେ ମାଲ ଖାଲିକରିବା ପରେ ଗାଡ଼ିଟି ଚାରି ଜଣ ଶ୍ରମିକ ଏବଂ ଡ୍ରାଇଭରଙ୍କୁ ନେଇ ଫେରୁଥିଲା। ଶୁକ୍ରବାର ସକାଳ ପ୍ରାୟ ୪ଟା ବେଳେ, ବଙ୍କା ମୋର୍ ନିକଟରେ ପିକ୍ଅପ୍ ଭ୍ୟାନ୍ଟି ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଭ୍ୟାନରେ ଥିବା ସମସ୍ତ ପାଂଚ ଜଣଙ୍କର ମୃତ୍ୟୁ ଘଟିଥିଲା।
ମୃତକମାନେ ହେଲେ ହସନାତ ଅଲ୍ଲୀ (୧୫), ମହମ୍ମଦ ରମଜାନ ମୋମିନ୍ (୨୮), ମହମ୍ମଦ ମୁସ୍ତାଫା ଅନସାରୀ (୧୮), ସାହେଲ ଅନସାରୀ (୧୭) ଏବଂ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ସୋହେଲ ଅଖତର (୩୧)। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚିିଥିଲେ। ଉଦ୍ଧାର କାର୍ଯ୍ୟ ଚଳାଇ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।
ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି। ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ପ୍ରାୟ ଦୁଇ ଘଂଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହେବା ପରେ ପୋଲିସ ଟ୍ରାଫିକକୁ ପୁରୁଣା ଜାତୀୟ ରାଜପଥ ଆଡକୁ ଡାଇଭର୍ଟ୍ କରିଥିଲା। ପୋଲିସ ଅଧୀକ୍ଷକ ଡକ୍ଟର ସୋନାୱାନେ କୁଳଦୀପ ସୁରେଶ ଏହି ଦୁର୍ଘଟଣାରେ ପାଂଚ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରାଯାଇଛି ବୋଲି ସେ କହିଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ କରୁଛି।
--------
ହିନ୍ଦୁସ୍ଥାନ ସମାଚାର / ଗଗନ