
ନୂଆଦିଲ୍ଲୀ, ୦୯ ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତରେ ଗବେଷଣା ସଂସ୍କୃତିର ବିକାଶ ଏବଂ ଚିକିତ୍ସା ଶିକ୍ଷାକୁ ସୁଦୃଢ଼ କରିବାରେ ଡିଜିଟାଲ୍ ସ୍ୱାସ୍ଥ୍ୟ ସମ୍ବଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଦେଶରେ ନିଜସ୍ୱ ଗବେଷଣା କ୍ଷମତା ବିକଶିତ କରିବା ପାଇଁ ଗବେଷଣା ପ୍ରତି ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ମୌଳିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଜରୁରୀ। ସେ କହିଛନ୍ତି ଯେ, ଜାତୀୟ ଚିକିତ୍ସା ପାଠାଗାର (ଏନ୍ଏମ୍ଏଲ୍)ର ନେଟୱର୍କ ଏବେ ୯୩ଟି ମେଡିକାଲ୍ କଲେଜ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏବେ ଏହାକୁ ଦେଶର ସମସ୍ତ ମେଡିକାଲ୍ କଲେଜ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ, ବିଶେଷକରି ଯେଉଁ ଅଞ୍ଚଳରେ ସମ୍ବଳର ଅଭାବ ରହିଛି।
ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଜାତୀୟ ଚିକିତ୍ସା ପାଠାଗାରରେ ଆୟୋଜିତ ଇଆର୍ଏମ୍ଇଡି କନ୍ସୋର୍ଟିୟମ୍ର ପଞ୍ଚମ ଏକଦିବସୀୟ ଜାତୀୟ ପ୍ରଶିକ୍ଷଣ-ସହ-ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀବାସ୍ତବ ଏହା କହିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଅଧୀନରେ ଆୟୋଜିତ ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଡିଜିଟାଲ୍ ସ୍ୱାସ୍ଥ୍ୟ ସମ୍ବଳ: ପାଠାଗାର ମାଧ୍ୟମରେ ପ୍ରବେଶାଧିକାରର ପୁନଃ ପରିଭାଷା ନିର୍ଦ୍ଧାରଣ’। ଚିକିତ୍ସା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ପ୍ରମାଣ-ଭିତ୍ତିକ ଚିକିତ୍ସା ପଦ୍ଧତିରେ ଡିଜିଟାଲ୍ ଜ୍ଞାନ ସମ୍ବଳର ଭୂମିକାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା।
ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ଚିକିତ୍ସା କ୍ଷେତ୍ରରେ ନିରନ୍ତର ଶିକ୍ଷା ଗ୍ରହଣ ଏବଂ ବୃତ୍ତିଗତ ଦକ୍ଷତାର ବିକାଶ ଅତ୍ୟନ୍ତ ଜରୁରୀ। ସ୍ୱାସ୍ଥ୍ୟ ସେବାର ସ୍ୱରୂପ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ନୂଆ ନୂଆ ରୋଗ ଚିହ୍ନଟ ହେଉଛି, ଚିକିତ୍ସାର ନୂତନ ପଦ୍ଧତି ବିକଶିତ ହେଉଛି ଏବଂ ଚିକିତ୍ସା ପ୍ରଣାଳୀରେ ନିରନ୍ତର ପରିବର୍ତ୍ତନ ଆସୁଛି। ଏପରି ସ୍ଥିତିରେ ସୁସଜ୍ଜିତ ପାଠାଗାର ଏବଂ ସହଜରେ ଉପଲବ୍ଧ ଡିଜିଟାଲ୍ ସମ୍ବଳ ମାଧ୍ୟମରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନୂତନତମ ସୂଚନା ପାଇପାରିବେ। ଏହା ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ।
ସେ ଆହୁରି କହିଥିଲେ ଯେ, ଡିଜିଟାଲ୍ ସ୍ୱାସ୍ଥ୍ୟ ସମ୍ବଳ କେବଳ ସୂଚନା ପ୍ରାପ୍ତ କରିବାର ମାଧ୍ୟମ ନୁହେଁ, ବରଂ ଦେଶରେ ଏକ ସୁଦୃଢ଼ ଗବେଷଣା ବ୍ୟବସ୍ଥା ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ମଧ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣର ଉଲ୍ଲେଖ କରି ସେ ସ୍ୱଦେଶୀ ଗବେଷଣା କ୍ଷମତା ବୃଦ୍ଧି ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଅନ୍ୟ ଦେଶରେ ହୋଇଥିବା ଗବେଷଣାରୁ ଆମେ ଲାଭ ଉଠାଇପାରିବା, କିନ୍ତୁ କେବଳ ସେହି ଗବେଷଣା ଉପରେ ନିର୍ଭର କରି ଭାରତ ନିଜର ଆକାଂକ୍ଷା ପୂରଣ କରିପାରିବ ନାହିଁ। ଏଥିପାଇଁ ଦେଶରେ ଗବେଷଣା ସଂସ୍କୃତି ଏବଂ ମୌଳିକ ଗବେଷଣା କରିବାର କ୍ଷମତା ବିକଶିତ କରିବାକୁ ହେବ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା