
ନୂଆଦିଲ୍ଲୀ, ୯ ଅକ୍ଟୋବର (ହି.ସ.)- ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରେଳବାଇ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ ଆଖପାଖରେ ସକାଳ ୪ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସଡ଼କ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ସେମାନଙ୍କ ମୂଳ ଷ୍ଟେସନରୁ କିଛି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତି ନେଇଛି ।
ରେଳବାଇ ଅନୁଯାୟୀ, ଗୁଇନ୍ଦା ସୂଚନା ଏବଂ ଟ୍ରାଫିକ୍ ପରାମର୍ଶ ଆଧାରରେ, କେନ୍ଦ୍ରୀୟ ଦିଲ୍ଲୀରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ କାରଣରୁ ଦୁଇଟି ପ୍ରମୁଖ ରେଳ ଷ୍ଟେସନ ଚାରିପାଖରେ ପ୍ରବଳ ଭିଡ଼ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଏହାଦ୍ୱାରା ଷ୍ଟେସନରେ ଠିକ୍ ସମୟରେ ପହଂଚିବା ଯାତ୍ରୀଙ୍କ ପାଇଁ କଷ୍ଟକର ହୋଇପାରେ ।
ନିକଟରେ, ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ଼ ଏବଂ ରାସ୍ତା ଅବରୋଧ ହେତୁ ବହୁ ସଂଖ୍ୟକ ଯାତ୍ରୀ ଠିକ୍ ସମୟରେ ଷ୍ଟେସନରେ ପହଂଚି ପାରିନଥିଲେ ଏବଂ ଟ୍ରେନ୍ ଫେଲ୍ ହେବା କାରଣରୁ ପ୍ରାୟ ପାଂଚ ହଜାର ଯାତ୍ରୀ ପ୍ଲାଟଫର୍ମରେ ରହି ଯାଇଥିଲେ ବୋଲି ରେଳବାଇ କହିଛି । ଏଭଳି ପରିସ୍ଥିତି ଯେପରି ପୁନର୍ବାର ନ ଉପୁଜେ ସେଥିପାଇଁ ଏହି ନିଷ୍ପତି ନିଆଯାଇଛି ।
ନିଷ୍ପତି ଅନୁଯାୟୀ, ଅକ୍ଟୋବର ୯ ତାରିଖ ଅପରାହ୍ନ ୨ଟା ପରେ ଏହାର ମୂଳ ଷ୍ଟେସନରୁ ଆରମ୍ଭ ହେଉଥିବା ସମସ୍ତ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍, ଯାହା ଅକ୍ଟୋବର ୧୦ ତାରିଖ ଭୋର୍ ୪ଟାରୁ ଅପରାହ୍ନ ୨ଟା ମଧ୍ୟରେ ନୂଆଦିଲ୍ଲୀ କିମ୍ବା ହଜରତ ନିଜାମୁଦ୍ଦିନ ଷ୍ଟେସନରେ ପହଂଚିବାର ଥିଲା, ସେଗୁଡ଼ିକ ବାତିଲ୍ ରହିବ ।
ଯାତ୍ରୀମାନଙ୍କ ପାଇଁ ସମ୍ଭାବ୍ୟ ଅସୁବିଧାକୁ ଏଡ଼ାଇବା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରେଳବାଇ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି । ଯାତ୍ରା କରିବା ପୂର୍ବରୁ ନିଜ ଟ୍ରେନର ସ୍ଥିତି ଯାଂଚ୍ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ