
ବେଙ୍ଗାଲୁରୁ, ୦୧ ନଭେମ୍ବର (ହି.ସ.)। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବେଙ୍ଗାଲୁରୁ-ମୁମ୍ବାଇ ମଧ୍ୟରେ ହୁବଲି ମାର୍ଗ ଦେଇ ଦ୍ୱିତୀୟ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚଳାଚଳ ସହିତ ବେଙ୍ଗାଲୁରୁ-ହୁବଲି-ପୁଣେ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର୍ ବିକଶିତ କରିବା ଯୋଜନା ଘୋଷଣା କରିଛନ୍ତି। ଏହାବ୍ୟତୀତ ବହୁ ପ୍ରତୀକ୍ଷିତ ବେଙ୍ଗାଲୁରୁ-ମାଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଆସନ୍ତା ୪-୫ ସପ୍ତାହ ମଧ୍ୟରେ ଚଳାଚଳ ଆରମ୍ଭ କରିବାର ଆଶା ରହିଛି।
ରେଳମନ୍ତ୍ରୀ ବୈଷ୍ଣବ ରବିବାର ବେଙ୍ଗାଲୁରୁର ଏସ୍ଏମ୍ଭିଟି ରେଳ ଷ୍ଟେସନରେ ବେଙ୍ଗାଲୁରୁ-ମୁମ୍ବାଇ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କର୍ଣ୍ଣାଟକରେ ରେଳ ସଂଯୋଗ ଓ ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତାବିତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ହୁବଲି ମାର୍ଗ ଦେଇ ଚଳାଚଳ କରିବାକୁ ଥିବା ନୂତନ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଦ୍ୱାରା ଉତ୍ତର କର୍ଣ୍ଣାଟକର ଯାତ୍ରୀମାନେ ବିଶେଷ ଉପକୃତ ହେବେ। ହୁବଲି ସମେତ ଏହି ରେଳମାର୍ଗର ବିଭିନ୍ନ ସହରର ଯାତ୍ରୀମାନଙ୍କୁ ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଦ୍ରୁତ ଏବଂ ଆରାମଦାୟକ ରେଳଯାତ୍ରାର ବିକଳ୍ପ ମିଳିବ।
ରେଳମନ୍ତ୍ରୀ ବେଙ୍ଗାଲୁରୁ-ହୁବଲି-ପୁଣେ ମଧ୍ୟରେ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ କରିଡର୍ ବିକଶିତ କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟର ୩,୦୦୦ କିଲୋମିଟର ଦୀର୍ଘ ହାଇସ୍ପିଡ୍ ରେଳ ପ୍ରକଳ୍ପରେ ଏହି ମାର୍ଗକୁ ସାମିଲ କରାଯିବ। ଏହାଦ୍ୱାରା କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ, ଉତ୍ତର କର୍ଣ୍ଣାଟକର ପ୍ରମୁଖ ସହର ହୁବଲି ଏବଂ ମହାରାଷ୍ଟ୍ରର ପୁଣେ ମଧ୍ୟରେ ଦ୍ରୁତ ରେଳ ସଂଯୋଗ ସ୍ଥାପନ ପାଇଁ ପଥ ପରିଷ୍କାର ହେବ।
ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟର ୪,୦୦୦ କିଲୋମିଟର ଦୀର୍ଘ ହାଇସ୍ପିଡ୍ ରେଳ ପ୍ରକଳ୍ପ ଅଧୀନରେ ବେଙ୍ଗାଲୁରୁ-ଚେନ୍ନାଇ ଏବଂ ବେଙ୍ଗାଲୁରୁ-ହାଇଦ୍ରାବାଦ କରିଡର୍ ଘୋଷଣା କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ବେଙ୍ଗାଲୁରୁରୁ ଚେନ୍ନାଇ ଯାତ୍ରା ପାଇଁ ପ୍ରାୟ ୭୩ ମିନିଟ୍ ଏବଂ ହାଇଦ୍ରାବାଦ ଯାତ୍ରା ପାଇଁ ୨ ଘଣ୍ଟା ୧୦ ମିନିଟ୍ ସମୟ ଲାଗିବ ବୋଲି ଆକଳନ କରାଯାଇଛି।
କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ଉତ୍ତର କର୍ଣ୍ଣାଟକକୁ ହାଇସ୍ପିଡ୍ ରେଳ ନେଟୱର୍କ ସହ ଯୋଡ଼ିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଏହି କ୍ରମରେ ବେଙ୍ଗାଲୁରୁ-ହୁବଲି-ପୁଣେ ମାର୍ଗକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପରେ ସାମିଲ କରିବାକୁ ଘୋଷଣା କରାଯାଇଛି।
ଉପକୂଳ କର୍ଣ୍ଣାଟକର ଯାତ୍ରୀମାନଙ୍କ ବହୁ ପ୍ରତୀକ୍ଷିତ ବେଙ୍ଗାଲୁରୁ-ମାଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଖୁବ୍ଶୀଘ୍ର ଚଳାଚଳ ଆରମ୍ଭ କରିବ। ରେଳମନ୍ତ୍ରୀ କହିଛନ୍ତି ଯେ, ଏହି ମାର୍ଗରେ ଆବଶ୍ୟକୀୟ ବୈଷୟିକ ପରୀକ୍ଷା ଏବଂ ଟ୍ରାଏଲ୍ ରନ୍ ସଫଳତାର ସହ ସମ୍ପନ୍ନ ହୋଇଛି। ଆସନ୍ତା ୪-୫ ସପ୍ତାହ ମଧ୍ୟରେ ଏହି ଟ୍ରେନ୍ର ନିୟମିତ ଚଳାଚଳ ଆରମ୍ଭ ହେବାର ଆଶା ରହିଛି।
ବେଙ୍ଗାଲୁରୁ-ମୁମ୍ବାଇ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ରେ ମୋଟ ୧୬ଟି କୋଚ୍ ରହିବ। ଏଥିରେ ୮ଟି ମୋଟର କୋଚ୍, ୪ଟି ଟ୍ରେଲର କୋଚ୍, ୨ଟି ନନ୍-ଡ୍ରାଇଭିଂ ଟ୍ରେଲର କୋଚ୍ ଏବଂ ୨ଟି ଡ୍ରାଇଭିଂ ଟ୍ରେଲର କୋଚ୍ ସାମିଲ ରହିବ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭି. ସୋମନ୍ନା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଏଚ୍.ଡି. କୁମାରସ୍ୱାମୀଙ୍କ ସମେତ ସାଂସଦ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା