
ନୂଆଦିଲ୍ଲୀ, ୦୧ ନଭେମ୍ବର (ହି.ସ.)। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଗଣତନ୍ତ୍ର ନାମରେ ଅରାଜକତାର ମଞ୍ଚ ସଜାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟର ପ୍ରକୃତ ଚେହେରା ଦେଶବାସୀ ଦେଖୁଛନ୍ତି। ସେ କହିଛନ୍ତି ଯେ, ନଭେମ୍ବର ୧ ତାରିଖକୁ ଦେଶ ଭୁଲିନାହିଁ। ୧୯୮୪ ମସିହାର ଏହି ଦିନ ଦିଲ୍ଲୀର ରାସ୍ତାରେ ଶିଖ୍ମାନଙ୍କ ନରସଂହାରର ଏକ ଭୟାବହ ଅଧ୍ୟାୟ ଲେଖାଯାଉଥିଲା। ହଜାର ହଜାର ନିରୀହ ଶିଖ୍ ପରିବାରଙ୍କ କ୍ଷତ ଆଜି ମଧ୍ୟ ଶୁଖିନାହିଁ। ଆଉ ଆଜି ସେହି ତାରିଖରେ କଂଗ୍ରେସ ରାମଲୀଳା ମୈଦାନରେ ଗଣତନ୍ତ୍ର ବଞ୍ଚାଇବାର ନାଟକ କରୁଛି। ଏହା ରାଜନୈତିକ ସମ୍ବେଦନହୀନତାର ଚରମ ସୀମା ବୋଲି ସେ କହିଛନ୍ତି।
ରବିବାର ହରିନଗରରୁ ତିଳକ ନଗର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଏହି କଥା କହିଥିଲେ।
ସେ କହିଛନ୍ତି ଯେ, ପର୍ବପର୍ବାଣୀର ଏହି ଋତୁରେ ଯେତେବେଳେ ଦିଲ୍ଲୀର ବ୍ୟବସାୟୀ, ଛୋଟ ଦୋକାନୀ ଏବଂ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଲୋକମାନେ ନିଜ ପରିବାରର ସୁଖସମୃଦ୍ଧି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ସେତେବେଳେ କଂଗ୍ରେସ ନିଜର ରାଜନୈତିକ ନାଟକବାଜି ମାଧ୍ୟମରେ ଦିଲ୍ଲୀର ଗତିକୁ ରୋକିବା ସହ ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଛି।
ସେ ଆହୁରି କହିଛନ୍ତି ଯେ, ପ୍ରଥମେ ମିଥ୍ୟା ପ୍ରଚାର କର, ପରେ ଜନାଦେଶକୁ ବଦନାମ କର, ରାସ୍ତାଘାଟରେ ଅରାଜକତାର ପରିବେଶ ସୃଷ୍ଟି କର ଏବଂ ନିଜର ରାଜନୈତିକ ନିରାଶାର ମୂଲ୍ୟ ଦେଶ ଓ ଦିଲ୍ଲୀବାସୀଙ୍କଠାରୁ ଆଦାୟ କର। ଏହା ହିଁ ରାହୁଲ ଗାନ୍ଧୀଙ୍କ ରାଜନୀତିର ମଡେଲ ହୋଇଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରର ଦ୍ୱାହି ଦେଇ କଂଗ୍ରେସ ୧୯୮୪ର କଳଙ୍କକୁ ଲିଭାଇ ପାରିବ ନାହିଁ। ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହେବାର ନିରାଶାରେ ଦିଲ୍ଲୀର ବ୍ୟବସାୟୀମାନଙ୍କ ଜୀବିକାକୁ ମଧ୍ୟ ବିପଦରେ ପକାଇ ପାରିବ ନାହିଁ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ମନେ ରଖିବା ଉଚିତ୍ ଯେ, ଜନାଦେଶରୁ ମିଳିଥିବା ପରାଜୟର ପ୍ରତିଶୋଧ ଦେଶବାସୀଙ୍କଠାରୁ ଏବଂ ନିଜର ରାଜନୈତିକ ବିଫଳତାର ମୂଲ୍ୟ ଦିଲ୍ଲୀବାସୀଙ୍କଠାରୁ ଆଦାୟ କରାଯାଇପାରିବ ନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା