
ଧର୍ମଶାଳା, ୧ ନଭେମ୍ବର (ହି.ସ.)- ଭାରତ ହେଉଛି ସଂସ୍କୃତିର ଦେଶ ଏଠାରେ କେଉଁ ଆବାହମାନ କାଳରୁ ପୂଜ୍ୟପୂଜାର ପରମ୍ପରା ଚାଲି ଆସିଛି । ସେହି ସଂସ୍କୃତିକୁ ବଜାୟ ରଖିବା ପାଇଁ କୁଆଖିଆର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାସନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଲାୟନ୍ସ କ୍ଳବ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ଆଜି ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ବାସନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଲାୟନ୍ସ କ୍ଳବ ପକ୍ଷରୁ ସମ୍ପାଦକ ତଥା କବି ବିଶ୍ୱନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପୂଜ୍ୟପୂଜା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ସଭାପତି ଜନ୍ମଜୟ ସାହୁ, ସମ୍ମାନିତ ଅତିଥି ଭାବେ ସଂଘର ସଭାପତି ପ୍ରାକ୍ତନ ଶିକ୍ଷକ ବେଣୁଧର ପତି, ପ୍ରାକ୍ତନ ଅଧ୍ୟକ୍ଷ ବେଣୁଧର ଶରଣ, ପ୍ରାକ୍ତନ ଡ଼ିଏସପି ଅକ୍ତର ହୁସେନ ଖାଁ , ବିପିନ ବିହାରୀ ଦେଓ ଓ ବିପଦର ବନ୍ଧୁ ଟ୍ରଷ୍ଟର ସଭାପତି ଭଗବାନ ଦାସ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ପବିତ୍ର ଦିବସରେ ଫସିଉଲ ହକ୍, ଦିନବନ୍ଧୁ ତ୍ରିପାଠୀ, କୁଳମଣି ମଲ୍ଲିକ, ପ୍ରତାପରୁଦ୍ର ପଣ୍ଡା ଓ କୈଳାସ ଦାସ ପ୍ରମୁଖ ନୂତନ ସଦସ୍ୟ ଭାବେ ଏହି ସଂଘ ସହ ଯୋଡ଼ି ହୋଇ ଥିଲେ । ହିନ୍ଦ୍ମଜଦୁର ସଂଘର ରାଜ୍ୟ ଉପସଭାପତି ଶ୍ରମିକ ନେତା ପ୍ରଦୀପ ଦାସ ଓ ଭାରତୀୟ ଜନତା ପାଟିର ଯାଜପୁର ଜିଲା ସ୍ୱଚ୍ଛଭାରତ ମିଶନର ଜିଲା ସଂଯୋଜକ ପ୍ରଫୁଲ୍ଲ ଗିରି ପ୍ରମୁଖ ଉପସ୍ଥିତ ରହି ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଟ୍ରଷ୍ଟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମସ୍ତ କର୍ମକର୍ତା ଓ ସଦସ୍ୟମାନଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଅତିଥିମାନେ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଳନ୍ଦୀ କଣ୍ଠ ସଭା ପରିଚାଳନା କରିଥିବା ବେଳେ ସଦସ୍ୟ ନାରାୟଣ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସଦସ୍ୟ ଅବ୍ଦୁଲ ରୋପ ଖାଁ ଓ ଆଲ୍ଲାଉଦ୍ଦିନ ଖାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ