
ଜୟପୁର, ୧୦ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କୋଟପାଡ଼ରୁ ଜଗଦଳପୁର ଯାଉଥିବା ବେଳେ ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଆଇ ୨୦ କାର । ହଠାତ୍ ଗାଡ଼ିରେ ଲାଗିଗଲା ନିଆଁ। ଗାଡ଼ି ନମ୍ବର ସିଜି୧୭ଏଲବି ୮୯୪୦। ଗାଡି ଚାଲୁଥିବା ବେଳେ ହଟାଥ ଧୂଆଁ ବାହାରିଥିଲା ଜାଣିବା ପରେ ଗାଡ଼ିକୁ ରାସ୍ତା କଡ଼କୁ ନେଇଥିଲେ ଚାଳକ। ତେବେ ଚାଳକ କିଛି ବୁଝିବା ପୂର୍ବରୁ ଗାଡ଼ିରେ ହଠାତ୍ ଗ୍ୟାସ୍ ଚାପ ସୃଷ୍ଟି ହୋଇ କାଚ ଫାଟି ଯାଇଥିଲା। ଏହାପରେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।ଖବର ପାଇ କୋଟପାଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ହେଲେ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଚଳନ୍ତା ଗାଡ଼ିରେ ହଠାତ୍ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।
ହିନ୍ଦୁସ୍ଥାନ ସମାଚାର / ପିକେପି