
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) – ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଆଜି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପ୍ରଜ୍ଞା ପାରମିତା ରାଉଳ ଦୋଷୀକୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ୫୦ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଜରିମାନା ଅନାଦେୟ ଆଉ ଏକ ବର୍ଷ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଦଣ୍ଡିତ ଅଭିଯୁକ୍ତ ଜଣକ ହେଲେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସାଂକ୍ରୁପା ଗ୍ରାମର ୪୨ ବର୍ଷୀୟ ଅର୍ଜୁନ ସେଠୀ ଓ ତା’ ସହଯୋଗୀ ଜଳଧର ସେଠୀ ଏକତ୍ର ମିଳି ମିଶି ଏହି ଘଟଣା ଘଟାଇଥିଲେ। ଘଟଣାର ବିବରଣୀ ଅନୁଯାୟୀ: ଘଟଣା କ୍ରମ: ୨୦୨୩ ମସିହାରେ ନାବାଳିକା ଜଣକ ବାବର ବଜାରରୁ ଘରକୁ ଫେରୁଥିବାବେଳେ ନାବାଳିକାଙ୍କୁ ଅଟକାଇ ଅଭିଯୁକ୍ତମାନେ ଘରକୁ ଡାକି ନେଇ ମୁହଁ ବନ୍ଦ କରି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ ଏବଂ କାହାକୁ କହିଲେ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଉକ୍ତ ଘଟଣା ରେ ନାବାଳିକା ଜଣକ ଘଟଣାର ପ୍ରାୟ ୬ ମାସ ପରେ ପୀଡ଼ିତା ଅସୁସ୍ଥ ହୋଇ ଡାକ୍ତରଖାନାରେ ପରୀକ୍ଷା କରାଇବା ପରେ ସେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ପରିବାର ପକ୍ଷରୁ ୨୦୨୩ ସେପ୍େଟମ୍ବର ୯ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ (କେସ୍ ନଂ ୪୮୧/୨୩) ଦାୟର କରାଯାଇଥିଲା। ଏହି ମକଦ୍ଦମା ବିଚାର ସମୟରେ କୋର୍ଟ ସାକ୍ଷ୍ୟ ପ୍ରମାଣକୁ ଭିତି କରି ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅର୍ଜୁନ ସେଠୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ମାମଲାର ଅନ୍ୟ ଅଭିଯୁକ୍ତ ଜଳଧର ଫେରାର ଥିବା ଦର୍ଶାଯାଇଛି। ଏହି ମାମଲାଟି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହୁର କୁମାର ସାହୁ ପରିଚାଳନା କରୁଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି