
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ପାଳସାହି ବେତାଳିଗାଁ ଅଂଚଳରେ ବଢ଼ି ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ ଚିନ୍ତାର କାରଣ ପାଲଟିଛି। ବେଆଇନ ଦେଶୀ ଓ ବିଦେଶୀ ମଦ ଠାରୁ ଡ୍ରଗ୍ସ ଆଦି କାରବାର ଏବଂ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିକାର କରିବା ସହ ଅଂଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି। ଏନେଇ ଆଜି ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେଙ୍କୁ ଭେଟି ଅଂଚଳବାସୀଙ୍କ ପକ୍ଷରୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବେଆଇନ ମଦ କାରବାର ଓ ନିଶାଦ୍ରବ୍ୟ ବ୍ୟବସାୟ ଯୋଗୁଁ ଅଂଚଳର ସୁସ୍ଥ ସାମାଜିକ ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି। ଏହାର କୁପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ିବା ସହ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ ପୁଲିସ ପ୍ରଶାସନ କଡ଼ା ନଜର ରଖିବା ସହ ନିୟମିତ ପାଟ୍ରୋଲିଂ ଓ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏଥିସହ ଅଂଚଳରେ ନିଶା କାରବାରକୁ ରୋକିବା ସହ ଏକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ସାମାଜିକ ପରିବେଶ ସୃଷ୍ଟି କରିବାକୁ ପୁଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲ ଅନୁରୋଧ କରିଛନ୍ତି। ସେବାନିବୃତ ଯବାନ କାଶୀନାଥ ମହାନ୍ତି,ଯୁବନେତା ତୁଷାରକାନ୍ତ ସାହୁ, ଆଇନଜୀବୀ ରମେଶ ବେହେରା,ସମାଜସେବୀ ତ୍ରିଲୋଚନ ଦାଶ,ଭବରଞ୍ଜନ ମହାନ୍ତି,ପ୍ରାକ୍ତନ ସରପଞ୍ଚ ଅନିଲ କୁମାର ଦାସ ପ୍ରମୁଖ ଧୂଷୁରୀ ଆଇଆଇସିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ