
...
ଭୁବନେଶ୍ୱର,୧୦ ନଭେମ୍ବର (ହି.ସ)- ଛାତ୍ରସମାଜ, ଯୁବପିଢ଼ି, ଚାଷୀ ଓ ଗରିବଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଏକାଧିକ ଐତିହାସିକ ନିଷ୍ପତି ନେଇଛନ୍ତି। ଏହା ‘ବିକଶିତ ଓଡ଼ିଶା-୨୦୩୬’ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା କହିଛନ୍ତି।
ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡ଼ା କହିଛନ୍ତି ଯେ, ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ ଭତା ପ୍ରଦାନ କରାଯାଇଛି। ଏହାଦ୍ୱାରା ଭତା ପାଇଁ ଦୀର୍ଘଦିନ ଅପେକ୍ଷା କରିବାର ସମସ୍ୟା ଦୂର ହେବ।
ଉଚ୍ଚଶିକ୍ଷାରେ ଡିଜିଟାଲ ସୁବିଧା ବୃଦ୍ଧି ପାଇଁ ୩୯୩.୬୨ କୋଟି ଟଙ୍କା ବ୍ୟୟରେ ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନାକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ୬ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକଙ୍କୁ ଦୈନିକ ୧ ଜିବି ମାଗଣା ହାଇସ୍ପିଡ୍ ଇଣ୍ଟରନେଟ୍ ମିଳିବ। ସେହିପରି ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ୍) ପରୀକ୍ଷାରେ ପ୍ରୟାସ ସଂଖ୍ୟା ଉପରେ ଥିବା ସୀମା ହଟାଇବା ନିଷ୍ପତି ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଉପହାର ବୋଲି ସେ କହିଛନ୍ତି।
ଭାଗଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟା ସରଳ କରିବାକୁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ଯାଂଚ ଓ ଡିଜିଟାଲ ସମ୍ମତି ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଜମି ମାଲିକମାନେ ଯେକୌଣସି ସ୍ଥାନରୁ ମୋବାଇଲ୍ ଆପ୍ ଜରିଆରେ ସମ୍ମତି ଦେଇପାରିବେ।
କୃଷି ଜଳସେଚନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲାର ବୋଡେନ୍, ସିନାପାଲି ଓ କୋମନା ବ୍ଲକରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୫୯ଟି ଗାଁର ପ୍ରାୟ ୮,୮୦୦ ହେକ୍ଟର ଜମି ଜଳସେଚିତ ହେବ। ଏଥିସହ ଟିଟିଲାଗଡ଼ ଅଂଚଳରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ କଳାହାଣ୍ଡିରେ ୬୦୦ ମେଗାୱାଟ୍ ବିଶିଷ୍ଟ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ଏହି ସମସ୍ତ ନିଷ୍ପତି ଶିକ୍ଷା, ନିଯୁକ୍ତି, କୃଷି, ଜଳସେଚନ ଓ ଶକ୍ତି କ୍ଷେତ୍ରରେ ରାଜ୍ୟର ବିକାଶକୁ ନୂଆ ଦିଗ ଦେବ। ଏଥିପାଇଁ ଶ୍ରୀ ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ କ୍ୟାବିନେଟ୍ କୁ ଧନ୍ୟବାଦ ଜଣାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା