
ଭବାନୀପାଟଣା, ୧୦ ନଭେମ୍ବର (ହି.ସ.)- ଆଜି ବିଶ୍ଵ ମିତବ୍ୟୟିତା ଦିବସ ଏବଂ ସଞ୍ଚୟ ପକ୍ଷ ଉପଲକ୍ଷେ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା ପରିସରରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଞ୍ଚୟର ମହତ୍ତ୍ଵ ଆର୍ଥିକ ସଚେତନତା ଓ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।
ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ।
ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସଞ୍ଚୟର ଉପକାରିତା ଓ ଏହାର ସାମାଜିକ ତଥା ଆର୍ଥିକ ଗୁରୁତ୍ଵ ସମ୍ପର୍କରେ ନିଜ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ । ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଜଣ ପ୍ରତିଯୋଗୀଙ୍କୁ ନଗଦ ଅର୍ଥରାଶି ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ