
ଚମ୍ପୁଆ, ୧୦ ନଭେମ୍ବର(ହି.ସ.) – ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସ୍ଏସ୍ଆର୍) କାର୍ଯ୍ୟକ୍ରମକୁ ନେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଚମ୍ପୁଆ ଉପଜିଲ୍ଲାପାଳ ଡି.ଏସ୍. ଶୁଭଦର୍ଶୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସହକାରୀ ଜିଲାପାଳ ସୁଜିତ କୁମାର ସ୍ୱାଇଁ, ସହକାରୀ ଫୁଲରାଇ ବେସ୍ରା, ଡେପୁଟି କଲେକ୍ଟର ଶିବାନୀ ଦାଶଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ୨୦୨୭ ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଆଲୋଚନା ହୋଇଥିଲା। ନିର୍ବାଚନ ଆୟୋଗଙ୍କ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୩୦ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ନଭେମ୍ବର ୩୦ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଭୋଟରମାନେ ନିଜର ଦାବି ଓ ଆପତି ଦାଖଲ କରିପାରିବେ। ଜାନୁଆରୀ ୧୬ ସୁଦ୍ଧା ଦାବି ଓ ଆପତିର ଫଇସଲା କରାଯିବା ପରେ ଜାନୁଆରୀ ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ସଂଶୋଧନ ପ୍ରକ୍ରିୟାରେ ନୂତନ ଯୋଗ୍ୟ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପରିବର୍ତନ ଉପରେ ଗୁରୁତ୍ୱ ଦିଆଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta