ନାବାଳକ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, ଓଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହେଲେ ମାନବାଧିକାର କର୍ମୀ
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେନ୍ଦୁଝର ସହରର ନ୍ୟୁ କଲୋନୀସ୍ଥିତ ସିଟିଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଛାତ୍ରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବହେଳ
ନାବାଳକ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, ଓଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହେଲେ ମାନବାଧିକାର କର୍ମୀ


କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେନ୍ଦୁଝର ସହରର ନ୍ୟୁ କଲୋନୀସ୍ଥିତ ସିଟିଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଛାତ୍ରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବହେଳାର ତଦନ୍ତ ଦାବିରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମୃତ ଛାତ୍ର ଆଦିତ୍ୟ ନାରାୟଣ ପଲେଇ ଯୁକ୍ତଦୁଇ ବିଜ୍ଞାନ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ସହ ଅନୁଷ୍ଠାନର ହଷ୍ଟେଲରେ ରହୁଥିଲେ। ଶ୍ରୀ ନାୟକ ନିଜ ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ ନଭେମ୍ବର ୬ ତାରିଖରେ କଲେଜ କର୍ତୃପକ୍ଷ ଛାତ୍ରଙ୍କ ବାପା ସୁଧାଂଶୁ ଶେଖର ପଲେଇଙ୍କୁ ଫୋନ୍ କରି ତୁରନ୍ତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ପହଂଚିବାକୁ କହିଥିଲେ। ସେଠାରେ ପହଂଚିବା ପରେ ପୁଅ ଗୁରୁତର ଅବସ୍ଥାରେ ଥିବା ଦେଖିଥିଲେ ମଧ୍ୟ କେଉଁ ପରିସ୍ଥିତିରେ ତାଙ୍କର ଏପରି ଅବସ୍ଥା ହେଲା, ସେ ସମ୍ପର୍କରେ କଲେଜ କର୍ତୃପକ୍ଷଙ୍କ ଠାରୁ ସନ୍ତୋଷ ଜନକ ତଥ୍ୟ ମିଳିନଥିବା ଅଭିଯୋଗ ହୋଇଛି।

ଛାତ୍ରଙ୍କ ଡାହାଣ ହାତ ଭାଙ୍ଗିବା ସହ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ନଭେମ୍ବର ୭ ତାରିଖ ସକାଳ ପ୍ରାୟ ୧୦ଟା ୪୦ ମିନିଟ୍ରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର ପାଇଁ କହିଥିଲେ। ତେବେ ବାଟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେହି ନଭେମ୍ବର ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିଭିନ୍ନ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଛାତ୍ର ଜଣକ ଅନୁଷ୍ଠାନର ୪ର୍ଥ ମହଲା ଛାତ ଉପରୁ ପଡ଼ିଯାଇଥିବା କୁହାଯାଉଥିଲେ ମଧ୍ୟ ସେ କେଉଁ ସ୍ଥାନରୁ ଓ କେଉଁ ପରିସ୍ଥିତିରେ ପଡ଼ିଲେ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ସ୍କୁଲ ଓ ହଷ୍ଟେଲରେ ଝରକାରେ ସୁରକ୍ଷା ଗ୍ରିଲ୍, ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ସୁରକ୍ଷା କର୍ମୀ ଏବଂ ଛାତ୍ରଙ୍କ ଉପରେ ନିୟମିତ ତଦାରଖ ବ୍ୟବସ୍ଥା ନଥିବା ନେଇ ହିମାଂଶୁ ନିଜ ଆବେଦନରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣାରେ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ଆଧାରରେ କେନ୍ଦୁଝର ଟାଉନ୍ ଥାନାରେ କେସ୍ ନଂ ୧୧୪୧/୨୦୨୬ ରୁଜୁ ହୋଇଛି। ଘଟଣାର ନିରପେକ୍ଷ ଓ ବୈଜ୍ଞାନିକ ତଦନ୍ତ ପାଇଁ ଏହାକୁ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିବା ସହ ଘଟଣା ସମୟର ସମସ୍ତ ସିସିଟିଭି ଫୁଟେଜ୍, ଡିଜିଟାଲ୍ ରେକର୍ଡ଼ ଓ ଅନ୍ୟାନ୍ୟ ପ୍ରମାଣ ସୁରକ୍ଷିତ ରଖିବାକୁ ଆୟୋଗଙ୍କ ନିକଟରେ ଶ୍ରୀ ନାୟକ ପ୍ରାର୍ଥନା କରିଛନ୍ତି।

ଏଥିସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ, ସ୍କୁଲ ଓ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାର ଯାଂଚ, ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ଛାତ୍ରଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି।

କେବଳ ଏହି ଅନୁଷ୍ଠାନ ନୁହେଁ, ଜିଲ୍ଲାର ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଅଗ୍ନି ନିରାପତା, ହଷ୍ଟେଲ ପରିଚାଳନା ଓ ସିସିଟିଭି ବ୍ୟବସ୍ଥାର ବ୍ୟାପକ ଯାଂଚ କରିବାକୁ ମଧ୍ୟ ହିମାଂଶୁ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

ଜଣେ ନାବାଳକ ଛାତ୍ର ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ସମୟରେ ଏପରି ଅଘଟଣର ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣା ଶିକ୍ଷାନୁଷ୍ଠାନଗୁଡ଼ିକର ସୁରକ୍ଷା ଦାୟିତ୍ୱକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande