ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା
Debate-competition-JHS
ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା


ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)- ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଅଧୀନସ୍ଥ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଏକ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ସମ୍ପାଦିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି “ସୁରକ୍ଷିତ ଆର୍ଥିକ କାରବାର ସମୃଦ୍ଧ କରେ ପରିବାର” ଶୀର୍ଷକ ବିଷୟବସ୍ତୁ ଉପରେ ନିଜ ନିଜର ପ୍ରଭାବଶାଳୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଞ୍ଚୟର ଆବଶ୍ୟକତା ଏବଂ ସଚେତନ ଆର୍ଥିକ କାରବାର ଦ୍ୱାରା ପରିବାର ତଥା ସମାଜ କିପରି ସମୃଦ୍ଧି ହାସଲ କରିପାରିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଭାବେ ଅନୁଷ୍କା ଓତା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଙ୍କିତ କୋଠିଆ ଦ୍ୱିତୀୟ ଏବଂ ବିବେକ ରଞ୍ଜନ ମହାନ୍ତି ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଝାରସୁଗୁଡ଼ା ଶିଶୁ କଲ୍ୟାଣ ସମିତିର ସଭ୍ୟା ମମତା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ଏବଂ ବିଶିଷ୍ଟ ସମାଜସେବୀ ନିରଞ୍ଜନ ମାଳୀ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନାରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ ଏବଂ ଜଗନ୍ନାଥ ରାଉତ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ କାର୍ଯ୍ୟକ୍ରମଟି ଉଦଯାପିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande