
୩ ବର୍ଷ ପରେ ବି ଅଧପନ୍ତରିଆ ଉନ୍ନତିକରଣ କାର୍ଯ୍ୟପାଣି, ଶୌଚାଳୟ, ଲିଫ୍ଟ ଓ ଆଲୋକ ବ୍ୟବସ୍ଥାର ଅଭାବ; ଯାତ୍ରୀ ହନ୍ତସନ୍ତ
ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)- ବାହାରୁ ଚକାଚକ୍, ଭିତରେ ଅବ୍ୟବସ୍ଥାର ପାହାଡ଼। ଆଧୁନିକ ରେଳ ଷ୍ଟେସନର ରୂପ ନେଇଥିବା ବେଲପାହାଡ଼ ରେଳ ଷ୍ଟେସନର ବାହ୍ୟ ସୌନ୍ଦର୍ଯ୍ୟ ଯାତ୍ରୀଙ୍କୁ ଆକର୍ଷିତ କରୁଥିବା ବେଳେ ଭିତରକୁ ପ୍ରବେଶ କଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଯାତ୍ରୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାର ଅଭାବ ଏବଂ ଅଧପନ୍ତରିଆ ନିର୍ମାଣ କାର୍ଯ୍ୟ ଷ୍ଟେସନର ବିକାଶକୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି।
କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଅମୃତ ଭାରତ ଷ୍ଟେସନ ଯୋଜନାରେ ବେଲପାହାଡ଼ ରେଳ ଷ୍ଟେସନ ସାମିଲ ହେବା ପରେ ଏହାର ଆଧୁନିକୀକରଣ ସହ ଯାତ୍ରୀଙ୍କୁ ଉନ୍ନତମାନର ସୁବିଧା ମିଳିବ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ। କିନ୍ତୁ, ଯୋଜନା ଘୋଷଣାର ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଷ୍ଟେସନରେ ଆଶାନୁରୂପ ପରିବର୍ତ୍ତନ ହୋଇନଥିବା ଅଭିଯୋଗ ହେଉଛି।
ଷ୍ଟେସନରେ ପାନୀୟ ଜଳ ବ୍ୟବସ୍ଥା ଏବେ ଯାତ୍ରୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ପାଣି ପିଇବା ପାଇଁ ପାଇପ୍ ଲଗାଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରୁ ନାହିଁ। ଫଳରେ ଷ୍ଟେସନରେ ଉପସ୍ଥିତ ଯାତ୍ରୀଙ୍କୁ ମଧ୍ୟ ପାନୀୟ ଜଳ ପାଇଁ ହଇରାଣ ହେବାକୁ ପଡ଼ୁଛି। ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ, ଶିଶୁଙ୍କ ସହ ଯାତ୍ରା କରୁଥିବା ପରିବାର ଏବଂ ବରିଷ୍ଠ ନାଗରିକମାନେ ଏହି ସମସ୍ୟାରେ ଅଧିକ ପ୍ରଭାବିତ ହେଉଛନ୍ତି।
ସେହିପରି ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଶୌଚାଳୟ ବ୍ୟବସ୍ଥା ନଥିବାରୁ ମହିଳା, ବୟସ୍କ ଓ ଅସୁସ୍ଥ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଯାତ୍ରୀଙ୍କ ଅପେକ୍ଷା ପାଇଁ ଉପଯୁକ୍ତ ୱେଟିଂ ହଲ୍ ର ଅଭାବ ମଧ୍ୟ ଅନ୍ୟ ଏକ ସମସ୍ୟା। ଷ୍ଟେସନରେ ଲିଫ୍ଟ ସୁବିଧା ଯୋଗାଇଦେବାକୁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକାରୀ ହୋଇନାହିଁ। ଏହାଦ୍ୱାରା ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ଭାରୀ ଲଗେଜ୍ ଧରି ଯାତ୍ରା କରୁଥିବା ଲୋକେ ପ୍ଲାଟଫର୍ମ ପରିବର୍ତ୍ତନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷରେ ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିଥିବା ସହ ଆଲୋକ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ସନ୍ଧ୍ୟା ଓ ରାତି ସମୟରେ ଯାତ୍ରୀ ଏବଂ ଗାଡ଼ି ଚାଳକମାନେ ନାନା ଅସୁବିଧା ଭୋଗୁଛନ୍ତି। ଏକ ଆଦର୍ଶ ରେଳ ଷ୍ଟେସନରେ ଯେଉଁ ସର୍ବନିମ୍ନ ସୁବିଧା ରହିବା କଥା, ତାହା ଏଠାରେ ଉପଲବ୍ଧ ନହେବା ଯାତ୍ରୀଙ୍କ ଅସନ୍ତୋଷକୁ ବଢ଼ାଇଛି। ଷ୍ଟେସନର ବାହ୍ୟ ସୌନ୍ଦର୍ଯ୍ୟକରଣ ହୋଇଥିଲେ ମଧ୍ୟ ମୌଳିକ ସମସ୍ୟାର ସମାଧାନ ନହେବାକୁ ନେଇ ବେଲପାହାଡ଼ ରେଳ ୟୁଜର୍ସ ଫୋରମ୍ ଓ ସହରବାସୀ କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ରଙ୍ଗବେରଙ୍ଗର ରୂପ ଦେଇଦେଲେ ଗୋଟିଏ ଷ୍ଟେସନ ଆଧୁନିକ ହୋଇପାରିବ ନାହିଁ। ଯାତ୍ରୀଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ୱେଟିଂ ହଲ୍, ଲିଫ୍ଟ, ଆଲୋକୀକରଣ ଓ ସୁବ୍ୟବସ୍ଥିତ ପାର୍କିଂ ଭଳି ମୌଳିକ ସୁବିଧା ଅତ୍ୟନ୍ତ ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି।
ଏନେଇ ନିକଟରେ ରେଳ ବିଭାଗ ଅଧପନ୍ତରିଆ କାର୍ଯ୍ୟଗୁଡ଼ିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହ ଯାତ୍ରୀଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଦାବି ହୋଇଛି। ଅମୃତ ଭାରତ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ କେବଳ ଷ୍ଟେସନର ବାହ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ନୁହେଁ, ବରଂ ଯାତ୍ରୀଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ଉନ୍ନତ ଯାତ୍ରା ଅନୁଭୂତି ପ୍ରଦାନ କରିବା। ତେଣୁ ରେଳ ବିଭାଗ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ