
ଜୟପୁର,୧୦ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ର ମୁଖ୍ୟ ଦେଓମାଳିକୁ ନେଇ ତିନୋଟି ପଂଚାୟତ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଥାଉ କି ଦେଓମାଳି ପାହାଡ଼କୁ ଯିବାକୁ ଦୁଇଟି ଗେଟ୍ ରହିଛି । ଯାହାର ଭାର କୋଟିଆ ପଂଚାୟତ ଅଧିନରେ ରହିଛି । ହେଲେ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀ ଓ ଉପରକାଂଟି ପଂଚାୟତବାସୀଙ୍କ ପଟ୍ଟା ଜମିରେ ନିର୍ମିତ ହୋଇଥିବା ଉଭୟ ପଂଚାୟତବାସୀ ଦାବି କରି ଆସୁଛନ୍ତି । ଯାହାକୁ ନେଇ ଉଭୟ ଦୁଧାରୀ ଓ ଉପରକାଂଟି ପଂଚାୟତବାସୀ ୨ ନମ୍ବର ଗେଟ୍ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ ମୁତାବକ ଉଭୟ ପଂଚାୟତବାସୀଙ୍କ ଜାଗା କାରଣରୁ ଦେଓମାଳିର ବିକାଶ ସମ୍ଭବ ହେଲା । କିନ୍ତୁ ସରକାର କୋଟିଆବାସୀଙ୍କୁ ଦୁଇଟି ଯାକ ଗେଟ୍ ହସ୍ତାନ୍ତର କରିଛନ୍ତି ଯାହା ବିବାଦର ମୂଳ କାରଣ । ସରକାର ଗୋଟିଏ ଗେଟ୍ ର ଦାୟିତ୍ୱ ଦୁଧାରୀ ଓ ଉପରକାଂଟି ଲୋକଙ୍କୁ ଦିଅନ୍ତୁ । ଧାରଣାରେ ବସିଥିବା ଲୋକେ ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ କରି ନାହାନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ କୋଟିଆ ପଂଚାୟତବାସୀଙ୍କ କହିବା ଅନୁଯାୟୀ, ଦୁଇଟି ଗେଟ୍ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅନୁମତି ମିଳିଛି। ତେଣୁ ଗେଟ୍ ଛାଡ଼ିବାକୁ ସେମାନେ ମଧ୍ୟ ନାରାଜ। ଦୁଇ ପକ୍ଷ ନିଜ ନିଜ ଦାବିରେ ଅଟଳ ରହିଥିବାରୁ ଦେଓମାଳୀ ଗେଟ୍ ବିବାଦ ଏବେ ଜଟିଳ ରୂପ ନେଇଛି। ପ୍ରକାଶ ଥାଉ କି ସରକାର କୋଟିଆବାସୀଙ୍କ ବିକାଶକୁ ଆଖିରେ ରଖି ଅନ୍ୟ ଦୁଇ ପଂଚାୟତବାସୀଙ୍କୁ ଅଣଦେଖା କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ। ସରକାର ଯଥାଶୀଘ୍ର ଉପୁଜିଥିବା ବିବାଦର ସମାଧାନ କରିବାକୁ ସାଧରଣରେ ଦାବି ହେଉଛି। ଗ୍ରାମବାସୀ କହିଛନ୍ତି ଯେ ଯଦି ଆମ କଥା ନ ମାନିବେ ତେବେ ଆମେ ଆଗକୁ ଭୋଟ ବର୍ଜନ କରିବୁ । ପୋଲିସ ପହଁଚି ଆଲୋଚନା କରିଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି