
୧୮ ବର୍ଷରୁ କମ୍ ବୟସର ଗର୍ଭବତୀ ଚିହ୍ନଟ ହେଲେ ତୁରନ୍ତ ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶ
ମିଶନ ବାତ୍ସଲ୍ୟ, ଅଦ୍ୱିକା ଓ ଯଶୋଦା ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ
ଜିଲ୍ଲାକୁ ଶିଶୁ ଭିକ୍ଷାବୃତ୍ତି ମୁକ୍ତ କରିବାକୁ ରଣନୀତି ପ୍ରସ୍ତୁତ
ସହାୟତା ପାଇଁ ୧୦୯୮, ୧୧୨ ଏବଂ ୧୮୧ ହେଲ୍ପଲାଇନ ସେବା ଉପଲବ୍ଧ
ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ ଏବଂ ‘ଏ ଡେ ଫର୍ ଚିଲ୍ଡ୍ରେନ୍’ (ଶିଶୁଙ୍କ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଜିଲ୍ଲା ନିୟୋଜନ ଅଧିକାରୀ, ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ସଦସ୍ୟ ମାନେ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଜିଲ୍ଲାରେ ଶିଶୁଙ୍କ ସୁରକ୍ଷା, ବିକାଶ ତଥା କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସମୀକ୍ଷା କରିଥିଲେ। ମୁଖ୍ୟତଃ ‘ମିଶନ ବାତ୍ସଲ୍ୟ’, ଝାରସୁଗୁଡ଼ା ସେବା ସଦନରେ ଥିବା ଆନୁଷ୍ଠାନିକ ଯତ୍ନ ବ୍ୟବସ୍ଥା, ‘ଯଶୋଦା ଯୋଜନା’, ‘ସୁକନ୍ୟା ସମୃଦ୍ଧି ଯୋଜନା’, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷା ସହାୟତା ପାଣ୍ଠି, ବିବାହ ସହାୟତା ତଥା ପୋକ୍ସୋ ପୀଡ଼ିତାଙ୍କୁ ଦିଆଯାଉଥିବା ସହାୟତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିସହ ଜିଲ୍ଲାରେ ଅନାଥ ଓ ଏକକ ପିତାମାତା ଥିବା ଶିଶୁଙ୍କ ସର୍ଭେ ରିପୋର୍ଟ ଯାଞ୍ଚ କରାଯାଇ ସେମାନଙ୍କୁ ସରକାରୀ ଯୋଜନାର ସୁଫଳ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାଲ୍ୟବିବାହ ରୋକିବା ପାଇଁ ଏକ ସୁଦୃଢ଼ ରଣନୈତିକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ସହ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ଶିଶୁ ଭିକ୍ଷାବୃତ୍ତି ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସ୍ୱାସ୍ଥ୍ୟ ପରୀକ୍ଷା କିମ୍ବା ଚିକିତ୍ସା ସମୟରେ ଯଦି କୌଣସି ଗର୍ଭବତୀ ମହିଳାଙ୍କ ବୟସ ୧୮ ବର୍ଷରୁ କମ୍ ଥିବା ଜଣାପଡ଼େ, ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ତୁରନ୍ତ ଏ ବାବଦରେ ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟକୁ ସତର୍କ କରାଇବେ। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କିଶୋରୀମାନଙ୍କ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ ‘ଅଦ୍ୱିକା’ ଏବଂ ‘ମୈତ୍ରୀ’ କାର୍ଯ୍ୟକ୍ରମକୁ ଆହୁରି ସକ୍ରିୟ କରି ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନିଆଯିବ। ଗ୍ରାମାଞ୍ଚଳରେ ଏଏନଏମ ଏବଂ ଆଶା କର୍ମୀମାନେ ମଧ୍ୟ ସଜାଗ ରହି ନିଖୋଜ ଶିଶୁ ଏବଂ ଶିଶୁ ଚୋରାଚାଲାଣ ଉପରେ ନଜର ରଖିବାକୁ କୁହାଯାଇଛି। ଯେକୌଣସି ଜରୁରୀ ସ୍ଥିତି କିମ୍ବା ଶିଶୁ ନିର୍ଯାତନା ରୋକିବା ନିମନ୍ତେ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮, ଜରୁରୀକାଳୀନ ସେବା ୧୧୨, ମହିଳା ହେଲ୍ପଲାଇନ୍ ୧୮୧ ଏବଂ ରେଳବାଇ/ବସଷ୍ଟାଣ୍ଡରେ ଥିବା ଚାଇଲ୍ଡ ହେଲ୍ପ ଡେସ୍କର ସହାୟତା ନେବାକୁ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ