
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦଲକି ସାହିରେ ଗୋହତ୍ୟାକୁ ନେଇ ଉତେଜନା। ଗ୍ରାମବାସୀ ଓ ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରେ ଦେଖାଦେଇଥିଲା ମୁହାଁମୁହିଁ ପରିସ୍ଥିତି। ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଜି ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ କେନ୍ଦୁଝର ଏସ୍ପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ତେଜିଛି।
ଗୋହତ୍ୟାକୁ ନେଇ ଗ୍ରାମବାସୀ ଓ ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରେ ବିବାଦ। ଘଷିପୁରା ଥାନା ଦଲକି ସାହିରେ ଘଟିଥିବା ଏହି ଘଟଣାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ପରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।
ବଜରଙ୍ଗ ଦଳ ପକ୍ଷରୁ ଗୋହତ୍ୟାରେ ସମ୍ପୃକ୍ତ ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି କରାଯାଇଥିବା ବେଳେ ଗ୍ରାମବାସୀ ଏହାକୁ ନିଜର ପାରମ୍ପରିକ ରୀତିନୀତି ଓ ଧାର୍ମିକ ଆସ୍ଥା ସହ ଜଡ଼ିତ ବୋଲି କହିଛନ୍ତି।
ଏହି ଘଟଣାକୁ ନେଇ ଆଜି ଗ୍ରାମବାସୀଙ୍କ ପ୍ରତିନିଧି ଦଳ କେନ୍ଦୁଝର ଏସ୍ପିଙ୍କୁ ଭେଟିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଦିଆଯାଇଥିବା ଏଫ୍ଆଇଆର୍ରେ ଏସ୍ସି/ଏସ୍ଟି ଆକ୍ଟ ଲାଗିଥିଲେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ହୋଇନାହିଁ। ଏହା ସହ ଜାହେରଗାଡ଼ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରି ସମ୍ପୃକ୍ତ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ କୌଣସି ଧର୍ମ ବା ସମ୍ପ୍ରଦାୟ ବିରୋଧୀ ନୁହନ୍ତି। କିନ୍ତୁ ସେମାନଙ୍କ ପାରମ୍ପରିକ ଆସ୍ଥାସ୍ଥଳ ଜାହେରା ଉପରେ ଆକ୍ରମଣକୁ ସେମାନେ ଗ୍ରହଣ କରିପାରୁନାହାନ୍ତି।
ଗ୍ରାମବାସୀଙ୍କ ଦାବି ଗ୍ରହଣ କରିବା ସହ ମାମଲାର ପୁନଃ ସମୀକ୍ଷା କରାଯିବ ଏବଂ ତଦନ୍ତ ପରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କେନ୍ଦୁଝର ଏସ୍ ପି ।
ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ବିଜେପି ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରାଯାଇଥିବା ବେଳେ ଏହାର ଜବାବ ରଖିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାୟକ।
ଆଦିବାସୀଙ୍କୁ ସମ୍ମାନ ଓ ସେମାନଙ୍କ ପରମ୍ପରାର ସୁରକ୍ଷା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଦେଶରେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏବଂ ଓଡ଼ିଶାରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବା ଏହାର ଉଦାହରଣ। ଆଦିବାସୀଙ୍କ ଇତିହାସ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ସେମାନଙ୍କ ଆସ୍ଥାସ୍ଥଳ ଜାହେରା ଉପରେ ଆକ୍ରମଣ ଅଭିଯୋଗର ଉପଯୁକ୍ତ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ଏହାସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେ ଆଶା ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA