
ମୁଖୀଗୁଡ଼ା, ୧୦ ନଭେମ୍ବର(ହି.ସ.) – ଆଜି ଶିକ୍ଷକ ଅଭାବକୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ହୀରାପୁର ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ।
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ,ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ଫଳରେ ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏନେଇ ଅଭିଭାବକମାନେ ପୂର୍ବରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି।ଏହାର ପ୍ରତିବାଦରେ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ।ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।
ଏବେ ଜିଲ୍ଲା ଶିକ୍ଷା ବିଭାଗ କେବେ ଏହି ସମସ୍ୟାର ସମାଧାନ କରିବ ଏବଂ ବିଦ୍ୟାଳୟରେ କେବେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହେବ, ତାହାକୁ ଅପେକ୍ଷା କରିଛନ୍ତି ଅଂଚଳବାସୀ।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର