
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ଦେଶର ବିଭିନ୍ନ ଅଂଚଳରେ ପାଣିପାଗର ପରିବର୍ତନ ଦେଖିବାକୁ ମିଳୁଛି। ଗୋଟିଏ ପଟେ ଉତର ଭାରତରେ ଦିନକୁ ଦିନ କୁହୁଡ଼ି ସହ ଶୀତର ପ୍ରକୋପ ବଢ଼ୁଥିବା ବେଳେ ଦକ୍ଷିଣ ଭାରତର ଅନେକ ଅଂଚଳରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ନଭେମ୍ବର ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତୀ ୨୪ ଘଂଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ।
ଦିଲ୍ଲୀ-ଏନ୍ସିଆରରେ ଆଗାମୀ କିଛି ଦିନ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ନଭେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବାର ସମ୍ଭାବନା ଅଛି। ଏହି ସମୟରେ ସର୍ବାଧିକ ତାପମାତ୍ରା ୨୭ରୁ ୩୦ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୭ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।
ପାଣିପାଗ ବିଭାଗ ଅନୁଯାୟୀ, ମଧ୍ୟ ଓ ଉପର ଟ୍ରପୋସ୍ଫିୟରରେ ସକ୍ରିୟ ପଶ୍ଚିମା ବିକ୍ଷୋଭର ପ୍ରଭାବରେ ପାହାଡ଼ିଆ ଅଂଚଳଗୁଡ଼ିକରେ ପାଣିପାଗର ପରିବର୍ତନ ହେବ। ଜମ୍ମୁ-କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡରେ ୧୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଂଚଳରେ ବିକ୍ଷିପ୍ତରୁ ବ୍ୟାପକ ଭାବେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ବିଶେଷ କରି ନଭେମ୍ବର ୧୨ ତାରିଖରେ କଶ୍ମୀର ଉପତ୍ୟକାର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ତୁଷାରପାତ ହୋଇପାରେ।
ନଭେମ୍ବର ୧୨ରୁ ୧୬ ତାରିଖ ମଧ୍ୟରେ ପଞ୍ଜାବର କେତେକ ଅଂଚଳରେ ହାଲୁକା ବର୍ଷା ହୋଇପାରେ। ନଭେମ୍ବର ୧୧ରୁ ୧୪ ତାରିଖ ମଧ୍ୟରେ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଘଂଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ଆଶଙ୍କା ରହିଛି।
ଦକ୍ଷିଣ ଭାରତର ଦକ୍ଷିଣ-ପୂର୍ବ ଆରବ ସାଗର, ମନ୍ନାର ଉପସାଗର ଓ ଲକ୍ଷାଦ୍ୱୀପ ଅଂଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଉପଦ୍ୱୀପୀୟ ଭାରତରେ ବର୍ଷା ଜାରି ରହିବାର ସମ୍ଭାବନା ଅଛି। ତାମିଲନାଡୁ, ପୁଡୁଚେରୀ ଓ କାରାଇକାଲ୍ର କେତେକ ସ୍ଥାନରେ ନଭେମ୍ବର ୧୧, ୧୫ ଓ ୧୬ ତାରିଖରେ ପ୍ରବଳ ବର୍ଷା ହୋଇପାରେ।
କେରଳ ଓ ମାହେରେ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଏଥିସହିତ ନଭେମ୍ବର ୧୬ ତାରିଖ ପାଇଁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଆନ୍ଧ୍ରପ୍ରଦେଶ, ୟାନାମ୍, ରାୟଲସୀମା, କର୍ଣ୍ଣାଟକର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଂଚଳରେ ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ବର୍ଷା ହେବାର ଆଶଙ୍କା ରହିଛି।
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ନଭେମ୍ବର ୧୧ରୁ ୧୬ ତାରିଖ ମଧ୍ୟରେ ବ୍ୟାପକ ବର୍ଷା ହୋଇପାରେ। ଏହି ସମୟରେ ପ୍ରବଳ ବର୍ଷା ସହ ଘଂଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ନଭେମ୍ବର ୧୧ ତାରିଖରେ ବିହାର, ଝାଡ଼ଖଣ୍ଡ, ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମ୍ରେ ହାଲୁକା ବର୍ଷା ହୋଇପାରେ। ଉତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ନଭେମ୍ବର ୧୧ରୁ ୧୨ ତାରିଖ ମଧ୍ୟରେ ବିକ୍ଷିପ୍ତ ବର୍ଷା ହେବ। ସେହିପରି ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ