
କେନ୍ଦ୍ରାପଡ଼ା, ୧୦ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଜଟେଶ୍ୱର ଜଳପୋଖ ନିକଟସ୍ଥ କରାଣ୍ଡିଆ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ଅଭିଯୋଗ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବିଶେଷକରି ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ବେଆଇନ କାରବାର ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ, ରୋଗୀ ଓ ସାଧାରଣ ଲୋକେ ସ୍କୁଲ, କଲେଜ, ଡାକ୍ତରଖାନା ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଯାତାୟାତ କରୁଛନ୍ତି। ରାସ୍ତା ଉପରେ ବାଲି ପଡ଼ି ରହୁଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବାଲି ଚାଲାଣରେ ସମ୍ପୃକ୍ତ କିଛି ବ୍ୟକ୍ତି ମଦ୍ୟପାନ କରି ପଥଚାରୀଙ୍କୁ ଭୟଭୀତ କରୁଛନ୍ତି। ଅନ୍ୟପକ୍ଷରେ କରିଲୋପାଟଣା ପୋଲ ନିକଟରେ ଖଣି ବିଭାଗର ନଜରଦାରୀ ସତ୍ତ୍ୱେ ଏହି କାରବାର ବନ୍ଦ ହେଉନଥିବା ନେଇ ପ୍ରଶ୍ନ ଉଠିଛି। ତେବେ ଏ ସମ୍ପର୍କରେ ଖଣି ଅଧିକାରୀ ଦିନେଶ ମହାପାତ୍ରଙ୍କୁ ପଚାରିବାରୁ, ଖୁବଶୀଘ୍ର ବାଲି ମାଫିଆଙ୍କୁ ସାବାଡ଼ କରାଯିବା ସହ ବେଆଇନ ବାଲି ଚାଲାଣ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବା, ଚାଲାଣରେ ବ୍ୟବହୃତ ଗାଡ଼ି ଜବତ କରିବା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖଣି ବିଭାଗର ପ୍ରତିଶ୍ରୁତି ପରେ ଏବେ ପ୍ରକୃତରେ କେବେ ଚୋରା ବାଲି କାରବାର ବନ୍ଦ ହେଉଛି, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।
ହିନ୍ଦୁସ୍ଥାନ ସମାଚାର / ରବି