ଗୋଚର ଜମିକୁ ଗ୍ରାସ କରୁଛି ଖଣି ଓ ଶିଳ୍ପ : ଚରିବାକୁ ମିଳୁନି ଜାଗା, ବିପଦମୁହାଁ ଗୋ-ସମ୍ପଦ
Mining and Industries Encroaching Grazing Lands
ଗୋଚର ଜମିକୁ ଗ୍ରାସ କରୁଛି ଖଣି ଓ ଶିଳ୍ପ : ଚରିବାକୁ ମିଳୁନି ଜାଗା, ବିପଦମୁହାଁ ଗୋ-ସମ୍ପଦ


ଦିନକୁ ଦିନ କମୁଛି ଦେଶୀ ଗାଈଙ୍କ ସଂଖ୍ୟା, ଜୀବିକା ହରାଉଛନ୍ତି ଗୋପାଳକ ପରିବାର

ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)- ଶିଳ୍ପାୟନ ଓ ବିକାଶର ଆଢ଼ୁଆଳରେ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି ଗୋଚର ଜମି। ଫଳରେ ଗୋରୁଗାଈଙ୍କ ଚରିବା ପାଇଁ ଆଉ ପର୍ଯ୍ୟାପ୍ତ ସ୍ଥାନ ମିଳୁନାହିଁ। ଏଭଳି ସ୍ଥିତି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଅଞ୍ଚଳରେ ଗୋ-ସମ୍ପଦର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିଛି। ଗୋଚର ଜମି ହ୍ରାସ ଯୋଗୁଁ ଗୋପାଳନ ବୃତ୍ତି ମଧ୍ୟ ସଙ୍କଟରେ ପଡ଼ିଥିବା ବେଳେ ଅନେକ ପରିବାର ଜୀବିକା ହରାଇବାକୁ ବସିଛନ୍ତି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଖଣି ଓ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଗୋଚର ଜମି ଜବରଦଖଲ କରି ଘର ଓ ଦୋକାନ ନିର୍ମାଣ, ଗୋଚର କିସମ ଜମିକୁ ଅନ୍ୟ କିସମରେ ପରିବର୍ତ୍ତନ ଏବଂ ରାସ୍ତାଘାଟ ସମେତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନାମରେ ଗୋଚର ଜମି ବ୍ୟବହାର କରାଯାଉଛି। ଏହାଦ୍ୱାରା ପାରମ୍ପରିକ ଗୋଚର ଜମିର ପରିମାଣ କ୍ରମଶଃ କମିବାରେ ଲାଗିଛି। ଗୋଚର ଜମି ଅଭାବରୁ ଗୋରୁଗାଈ ଚରିବା ପାଇଁ ସ୍ଥାନ ନପାଇ ରାସ୍ତା ଉପରେ ବୁଲୁଛନ୍ତି। ଫଳରେ ବିଭିନ୍ନ ସମୟରେ ଯାନବାହନ ଧକ୍କାରେ ଗୋରୁଙ୍କ ମୃତ୍ୟୁ ଘଟୁଛି। ଅନ୍ୟପକ୍ଷରେ ଗୋପାଳନ ପାଇଁ ଆବଶ୍ୟକ ସୁବିଧା ନଥିବାରୁ ଦେଶୀ ଗାଈଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗୋବର ଓ ଗୋମୂତ୍ର ଆଧାରିତ ପାରମ୍ପରିକ ଜୈବିକ ଚାଷ ପ୍ରଣାଳୀ ମଧ୍ୟ କ୍ରମେ ଲୋପ ପାଇବାକୁ ବସିଛି। ଏହି ସମସ୍ୟାର ସବୁଠାରୁ ଅଧିକ ପ୍ରଭାବ ଲଖନପୁର ତହସିଲ ଅଞ୍ଚଳରେ ପଡ଼ିଥିବା ଅଭିଯୋଗ ହେଉଛି। ପୂର୍ବରୁ ଗୋଟିଏ ଗୋଟିଏ ଗାଁରେ ୨୦୦ରୁ ୩୦୦ ପର୍ଯ୍ୟନ୍ତ ଗାଈ ରହୁଥିବା ବେଳେ ଏବେ ସେହି ସଂଖ୍ୟା ୫୦କୁ ମଧ୍ୟ ଛୁଇଁପାରୁନାହିଁ। ଗୋଚର ଜମି ନଥିଲେ ଗୋରୁଗାଈ ପାଳନ କରିବୁ କିପରି ବୋଲି ସ୍ଥାନୀୟ ଗୋପାଳକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଗୋପାଳନ ବୃତ୍ତି ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଗାଈ ସଂଖ୍ୟା କମିବା ସହ ଦୁଗ୍ଧ ଉତ୍ପାଦନ ଓ ପାରମ୍ପରିକ ଗୋପାଳନ ବୃତ୍ତି ପ୍ରଭାବିତ ହେଉଛି। ଜୀବିକା ହରାଇ ଅନେକ ଗୋପାଳକ ପରିବାରର ପିଲାମାନେ ମଧ୍ୟ ରୋଜଗାର ଅନ୍ୱେଷଣରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖାଯାଉଛି।

ଏଭଳି ସ୍ଥିତିରେ ଗୋ-ସମ୍ପଦର ସୁରକ୍ଷା ପାଇଁ ଅଞ୍ଚଳବାସୀ କେତେକ ଦାବି ଉଠାଇଛନ୍ତି। ଲଖନପୁର ତହସିଲ ଅଞ୍ଚଳର ସମସ୍ତ ଗୋଚର ଜମିକୁ ଚିହ୍ନଟ କରି ଜବରଦଖଲମୁକ୍ତ କରିବା, ଗୋଚର ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ବନ୍ଦ କରିବା, ପ୍ରତ୍ୟେକ ପଞ୍ଚାୟତରେ ଗୋଚର ଜମିର ଉନ୍ନତିକରଣ ସହ ଘାସ ଚାଷର ବ୍ୟବସ୍ଥା କରିବା ଏବଂ ଦେଶୀ ଗୋ-ବଂଶର ସୁରକ୍ଷା ପାଇଁ ଗୋଶାଳା ସ୍ଥାପନ କରିବାକୁ ସେମାନେ ଦାବି କରିଛନ୍ତି। ସମୟୋଚିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଗୋଚର ଜମି ସହ ପାରମ୍ପରିକ ଗୋପାଳନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ସଙ୍କଟାପନ୍ନ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande