
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେଉଁଝରର ଭବିଷ୍ୟତ ଓ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତିଟି ସ୍ୱାଭିମାନୀ ଓଡ଼ିଆଙ୍କ ସ୍ୱର ଦିଲ୍ଲୀ ଦରବାର ପହଂଚିବା ଦରକାର ବୋଲି ମଣ୍ଡୁଆ ସ୍ଥିତ ସାଉଁଟି କମ୍ୟୁନିଟି ସେଣ୍ଟର ଠାରେ ଓଡ଼ିଶା ସ୍ୱାଭିମାନ ମଂଚ ଦ୍ୱାରା ଆୟୋଜିତ ଜନ ଜାଗରଣ କର୍ମଶାଳାରେ ମତ ପ୍ରକାଶ ପାଇଛି।
ମଂଚ ପକ୍ଷରୁ ଦିଲ୍ଲୀ ଚାଲ' ଅଭିଯାନର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ୱାଭିମାନୀ ବିଜୟ ପଟ୍ଟନାୟକ ଦିଲ୍ଲୀ ଦରବାରରେ ହିଁ ସ୍ୱର ଶାଣିତ ହେଲେ ଆମେ ଆମର ରାଜ୍ୟ ତଥା ଜିଲ୍ଲାର ହକ୍ ଫେରି ପାଇପାରିବା ବୋଲି ସ୍ପଷ୍ଟ ମତ ରଖିଥିଲେ।
ମଂଚର ଆବାହକ ସ୍ୱାଭିମାନୀ ସୁଧାଂଶୁ ପାତ୍ର ଦିଲ୍ଲୀ ଚାଲ କାର୍ଯ୍ୟକ୍ରମର ମୂଳଦୁଆ କେଉଁଝରରୁ ପଡ଼ିଥିବାରୁ କେଉଁଝର ବାସୀଙ୍କ ସହଯୋଗ ଏବଂ ସଦିଚ୍ଛା ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଥିଲେ। ଏଥିସହ କେଉଁଝର ନାଗରିକ ମଂଚ ପକ୍ଷରୁ ବିଜୟ ପଟ୍ଟନାୟକ ମହୋଦୟଙ୍କୁ ସମ୍ବର୍ଧନା କରାଯିବା ସହ ଦିଲ୍ଲୀ ଚାଲ କାର୍ଯ୍ୟକ୍ରମର ସଫଳତା କାମନା କରାଯାଇଥିଲା।
ବିଶେଷ କରି ବରିଷ୍ଠ କର୍ମକର୍ତା ଭରତ ପାତ୍ର, କୃଷ୍ଣ ଚନ୍ଦ୍ର ମହାନ୍ତି, ଡ଼ ଅରୁଣ ସାହୁଙ୍କ ସମେତ ସମସ୍ତ ଆଗଧାଡ଼ିର କର୍ମକର୍ତା ସାମିଲ ହୋଇଥିଲେ।
ଦିଲ୍ଲୀ ଚାଲ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖି ବିଜେଡ଼ି ଜିଲ୍ଲା ସଭାପତି ଉଭୟ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଜବାବ୍ ଦେହି କରିଥିଲେ। ୨୦୦୪ରେ ଆଜିର ମୁଖ୍ୟମନ୍ତ୍ରୀ ତଥା ସେତେବେଳର ବିଧାୟକ କେଉଁଝରର ସ୍ୱାର୍ଥକୁ ଆଖି ଆଗରେ ରଖି ଯେଉଁ ମତ ମନ୍ତବ୍ୟ ରଖିଥିଲେ, ଏବେ ସେଥିରୁ ସେ କିଭଳି ଦୂରେଇ ଯାଉଛନ୍ତି ବୋଲି ସିଧା ପ୍ରଶ୍ନ କରି ଦିଲ୍ଲୀ ଚାଲ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇଥିଲେ।
କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ବି ଏହାକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କାରଣ କୌଣସି ପ୍ରସଙ୍ଗକୁ ନେଇ ଯେତେବେଳେ ବି କୌଣସି ଆନ୍ଦୋଳନ କିମ୍ବା ବିକ୍ଷୋଭ ହୁଏ, ତାକୁ ସରକାର ଦଳୀୟ ଦୃଷ୍ଟିରେ ଦେଖି ଭଣ୍ଡୁର କରିଦିଅନ୍ତି। ତେଣୁ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ଆମେ ନ୍ୟାୟ ପାଇପାରିବା ବୋଲି ସୁବର୍ଣ୍ଣ ବାବୁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ତେବେ ଦିଲ୍ଲୀ ଚାଲ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କେଉଁଝରର ସ୍ୱାଭିମାନୀ ପ୍ରଶାନ୍ତ ଦଳେଇଙ୍କୁ ଜିଲ୍ଲା ସଂଯୋଜକ ଭାବେ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି।
କାର୍ଯ୍ୟକ୍ରମରେ ଜିଲ୍ଲା ସରପଂଚ ସଂଘ ସଭାପତି ଅନିରୁଦ୍ଧ ନାୟକଙ୍କ ନେତୃତ୍ୱରେ ଆଖ ପାଖ ଅଂଚଳର ୩୦ରୁ ଅଧିକ ସରପଂଚ ସାମିଲ ହୋଇଥିଲେ।
ମଂଚର ପ୍ରମୁଖ ମୁଖପାତ୍ର ସ୍ୱାଭିମାନୀ ପ୍ରମୋଦ ସାମନ୍ତରାୟ ଗୋପବନ୍ଧୁଙ୍କ କଥା ମନେ ପକେଇ ସମସ୍ତଙ୍କ ସ୍ୱର ଶାଣିତ କରିବାକୁ ଆହ୍ୱାନ ଦେଇଛନ୍ତି। ଶେଷରେ ଛାୟା ଗଣଶିକ୍ଷା ମନ୍ତ୍ରୀ ସ୍ୱାଭିମାନୀ ଅନୀଲ ମିଶ୍ର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA