
ସମ୍ବଲପୁର, ୧୦ ନଭେମ୍ବର (ହି.ସ.)- ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବିଚରଣ କରୁଥିବା ଏକ ମହାବଳ ବାଘ ଗତକାଲି ଅପରାହ୍ନରେ ପର୍ଯ୍ୟଟକ ବହୁଳ ଅଂଚଳକୁ ଆସିଥିବା ବେଳେ ୪ଟି ସଫାରି ଗାଡ଼ିରେ ଥିବା ପ୍ରାୟ ୪୦ ଜଣ ପର୍ଯ୍ୟଟକ ତାକୁ ଦେଖିବାର ସୁଯୋଗ ପାଇଥିଲେ । ନିଜର ଆବାସସ୍ଥଳୀ ଓ ଜଙ୍ଗଲ ପରିବେଶ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ବାଘଟି ପର୍ଯ୍ୟଟନ ଅଂଚଳକୁ ଆସିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଅଭୟାରଣ୍ୟର କୋର୍ ଅଂଚଳରେ ଏହି ପୁରୁଷ ରୟାଲ ବେଙ୍ଗଲ ଟାଇଗର ଏକ ସମ୍ବର ଶିକାର କରିଛି । ବାଘର ଏହି ଶିକାରକୁ ବନ ବିଭାଗ ପକ୍ଷରୁ ନିଶ୍ଚିତ କରାଯାଇଛି । ଏହା ଅଭୟାରଣ୍ୟରେ ବାଘର ସ୍ୱାଭାବିକ୍ ଶିକାରୀ ପ୍ରବୃତି ସମ୍ପର୍କିତ ଏକ ଉଲ୍ଲେଖନୀୟ ପର୍ଯ୍ୟବେକ୍ଷଣ ବୋଲି କୁହାଯାଇଛି ।
ବାଘର ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟର ପଶ୍ଚିମ ସୀମା ସମେତ ନଦୀପଥରେ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିସହ ପୋଚିଂ, ଫାଶ, ଜାଲ କିମ୍ବା ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ପୁଲିସ, ସ୍ଥାନୀୟ ଜନସାଧାରଣ ଓ ଗୁପ୍ତ ସୂଚନାଦାତାଙ୍କୁ ସତର୍କ କରାଯାଇଛି ।
ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ସୂଚନାଦାତାଙ୍କ ପାଇଁ ୧ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ । ଏହି କାର୍ଯ୍ୟରେ ବରଗଡ଼ ଓ ସମ୍ବଲପୁର ପୋଲିସ ମଧ୍ୟ ଆବଶ୍ୟକ ସହଯୋଗ ଓ ସୂଚନା ପ୍ରଦାନ କରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଅଭୟାରଣ୍ୟରେ ଲଗାଯାଇଥିବା ଆରବିଟି କ୍ୟାମେରାରେ ବାଘର ଉପସ୍ଥିତି ନେଇ ଚିତ୍ର ୮ ତାରିଖରେ କଏଦ୍ ହୋଇଥିଲା । ଏହା ସହ ପାଟ୍ରୋଲିଂ ବେଳେ ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଥିବା ସୂଚନା ମିଳିଥିଲା । ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଏପରିକି ଗତକାଲି ଅପରାହ୍ନରେ ପର୍ଯ୍ୟଟକ ବହୁଳ ଅଂଚଳକୁ ଆସିଥିବା ବେଳେ ୪ଟି ସଫାରି ଗାଡ଼ିରେ ଥିବା ପ୍ରାୟ ୪୦ ଜଣ ପର୍ଯ୍ୟଟକ ବାଘଟିକୁ ଦେଖିବାର ସୁଯୋଗ ପାଇଥିଲେ ।
ସୂଚନା ଅନୁସାରେ, ଗତ ଚାରି ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ଠାବ ହୋଇଛି । ଡେଚୁଆଁ-ଲଖନପୁର ଜଙ୍ଗଲ ଦେଇ ବାଘଟି ଦେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ତେବେ ଏହି ବାଘଟିର ଉତ୍ପତି, ଲିଙ୍ଗ ଓ ବାଘଟି କେଉଁ ଅଂଚଳରୁ ଆସିଛି, ତାହାର ବୟସ ଏବଂ ଅନ୍ୟାନ୍ୟ ବିବରଣୀ ଜାଣିବା ପାଇଁ ଟ୍ରାପ୍ କ୍ୟାମେରାରେ ଉତୋଳିତ ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଏବଂ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ)କୁ ପଠାଯାଇଛି । ବିଶେଷଜ୍ଞମାନେ ଫଟୋର ବିଶ୍ଳେଷଣ କରିବା ପରେ ଏହି ମହାବଳ ବାଘ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ