ଗଞ୍ଜାମ ବନ୍ୟା ପାଇଁ ବିଜେପି ଓ ବିଜେଡି ଉଭୟ ଦାୟୀ: ଭକ୍ତ
ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେଉ, ଚାଷୀଙ୍କ ଋଣ ଛାଡ଼ ଦାବି ଭୁବନେଶ୍ୱର , ୧୦ ନଭେମ୍ବର (ହି.ସ.) - ଗଞ୍ଜାମ ବନ୍ୟା ପାଇଁ ବର୍ତମାନର ବିଜେପି ସରକାର ଓ ପୂର୍ବତନ ବିଜେଡି ସରକାର ଉଭୟ ଦାୟୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ଡ୍ୟାମ୍ ର ଜଳ ପରିଚାଳ
ghjft


ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେଉ, ଚାଷୀଙ୍କ ଋଣ ଛାଡ଼ ଦାବି

ଭୁବନେଶ୍ୱର , ୧୦ ନଭେମ୍ବର (ହି.ସ.) - ଗଞ୍ଜାମ ବନ୍ୟା ପାଇଁ ବର୍ତମାନର ବିଜେପି ସରକାର ଓ ପୂର୍ବତନ ବିଜେଡି ସରକାର ଉଭୟ ଦାୟୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ଡ୍ୟାମ୍ ର ଜଳ ପରିଚାଳନାରେ ଅବହେଳା ପାଇଁ ବିଜେପି ସରକାର ଦାୟୀ ହୋଇଥିବା ବେଳେ ୨୪ ବର୍ଷ ଶାସନରେ ରହି ଗଞ୍ଜାମ ବନ୍ୟାର ସ୍ଥାୟୀ ପ୍ରତିକାର ନ କରିବାରୁ ବିଜେଡି ମଧ୍ୟ ସମାନ ଭାବେ ଦାୟୀ ବୋଲି ସେ କହିଛନ୍ତି।

ଗଞ୍ଜାମ ଓ ଗଜପତିର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ମଙ୍ଗଳବାର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ଆଇଏମଡିର ସତର୍କ ସୂଚନା ସତ୍ୱେ ୨୩ରୁ ୨୮ ତାରିଖ ମଧ୍ୟରେ ଡ୍ୟାମ୍ ଗୁଡ଼ିକର ଜଳସ୍ତର ହ୍ରାସ କରାଯାଇ ନଥିଲା। ପରେ ହଠାତ୍ ଜଳପ୍ରବାହ ୭ ହଜାର କ୍ୟୁସେକ୍ ରୁ ବୃଦ୍ଧି କରି ୧.୪୦ ଲକ୍ଷ କ୍ୟୁସେକ୍ କରାଯାଇଥିଲା। ଏହା ମନୁଷ୍ୟକୃତ ବନ୍ୟା ବୋଲି ଅଭିଯୋଗ କରି ସେ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଏଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ।

୧୯୯୦, ୨୦୧୩ ଓ ୨୦୧୮ରେ ମଧ୍ୟ ଗଞ୍ଜାମ ବନ୍ୟାର ସମ୍ମୁଖୀନ ହୋଇଥିଲା। ଏହା ସତ୍ତ୍ୱେ ସ୍ଥାୟୀ ପ୍ରତିକାର ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ତେଣୁ ପ୍ରତିଥର ଉଦ୍ଧାର, ରିଲିଫ୍ ଓ ମରାମତିରେ ଅର୍ଥ ଖର୍ଚ୍ଚ କରିବା ବଦଳରେ ଏକ ବୃହତ୍ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ବନ୍ୟାର ସ୍ଥାୟୀ ସମାଧାନ କରାଯାଉ ବୋଲି ସେ ଦାବି କରିଥିଲେ।

ବନ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଦାବିକୁ ପ୍ରଶ୍ନ କରି ଶ୍ରୀ ଦାସ କହିଥିଲେ, ବନ୍ୟାରେ ଲୋକଙ୍କ ମୃତ୍ୟୁ ଓ ଚାଷୀଙ୍କ ଆତ୍ମହତ୍ୟାକୁ କିପରି ଅଣଦେଖା କରାଯାଇପାରିବ? ଜଳସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହାର ନୈତିକ ଉତରଦାୟିତ୍ୱ ନେବା ଉଚିତ ବୋଲି ସେ କହିଥିଲେ।

ପିସିସି ସଭାପତିଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ରହିଛି - ଗଞ୍ଜାମ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରି ୨,୫୦୦ କୋଟି ବଦଳରେ ୫,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦାବି କରାଯାଉ।

- ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏମଏସପି ଆଧାରରେ କ୍ଷତିପୂରଣ ଦିଆଯାଉ ଏବଂ ସେମାନଙ୍କ ଋଣ ଛାଡ଼ କରାଯାଉ।

- ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଉ।

- ନଦୀବନ୍ଧ, ଆନିକଟ ଓ କେନାଲଗୁଡ଼ିକର ତୁରନ୍ତ ମରାମତି କରାଯାଉ।

- ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେଉ।

- ବନ୍ୟା ପରିଚାଳନାରେ ଅବହେଳା କରିଥିବା ଅଧିକାରୀ ଓ ଯନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ।

ସରକାର ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶାକୁ ଗୁରୁତ୍ୱ ଦେଇ ତୁରନ୍ତ ଏହି ଦାବିଗୁଡ଼ିକ ପୂରଣ କରନ୍ତୁ ବୋଲି ଶ୍ରୀ ଦାସ ଦାବି କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande