ଜାତୀୟ ପ୍ରଚାରକ ପଣ୍ଡିତ ଅନନ୍ତ ମିଶ୍ରଙ୍କ ୧୪୩ତମ ଜୟନ୍ତୀ ସମାରୋହ ଓ ସ୍ମୃତି ବକ୍ତୃତା କାର୍ଯ୍ୟକ୍ରମ : ତର୍ପଣ ଇତିହାସ ସହିତ ବର୍ତମାନକୁ ଯୋଡ଼ିଥାଏ'-ସତ୍ୟବାଦୀ ବିଧାୟକ
ସାକ୍ଷୀଗୋପାଳ, ୧୦ ନଭେମ୍ବର (ହି.ସ.)- ଇତିହାସ ବେଳେ ବେଳେ କଡ଼ ଲେଉଟାଏ । ତ୍ୟାଗ, ତପସ୍ୟା ଓ ଆତ୍ମ ବଳିଦାନ ମାଧ୍ୟମରେ ଜାତିର ଭବିଷ୍ୟତ ତିଆରି ହୁଏ । ଜାତିର ତର୍ପଣ ଇତିହାସ ସହିତ ବର୍ତମାନକୁ ଯୋଡ଼ିଥାଏ ଓ ସମ୍ପର୍କର ନୂଆ ଫର୍ଦ୍ଦ ଆରମ୍ଭ ହୁଏ ବୋଲି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମତବ୍ୟକ୍ତ କ
କବିତା ପାଠ ଅବସରରେ


ରାଜ୍ୟର ସ୍ବନାମ ଧନ୍ୟ ସାରସ୍ଵତ ସାଧକଙ୍କୁ ସମ୍ବର୍ଦ୍ଧନା ଅବସରରେ


ସାକ୍ଷୀଗୋପାଳ, ୧୦ ନଭେମ୍ବର (ହି.ସ.)- ଇତିହାସ ବେଳେ ବେଳେ କଡ଼ ଲେଉଟାଏ । ତ୍ୟାଗ, ତପସ୍ୟା ଓ ଆତ୍ମ ବଳିଦାନ ମାଧ୍ୟମରେ ଜାତିର ଭବିଷ୍ୟତ ତିଆରି ହୁଏ । ଜାତିର ତର୍ପଣ ଇତିହାସ ସହିତ ବର୍ତମାନକୁ ଯୋଡ଼ିଥାଏ ଓ ସମ୍ପର୍କର ନୂଆ ଫର୍ଦ୍ଦ ଆରମ୍ଭ ହୁଏ ବୋଲି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମତବ୍ୟକ୍ତ କରିଛନ୍ତି ।

ଜାତୀୟ ଖ୍ୟାତିସଂପନ୍ନ ପ୍ରଚାରକ ଉତ୍କଳ ଦଧୀଚି ପୁଣ୍ୟାତ୍ମା ପଣ୍ଡିତ ଅନନ୍ତ ମିଶ୍ରଙ୍କ ରାଜ୍ୟ ସ୍ତରୀୟ ୧୪୩ତମ ଜୟନ୍ତୀ ସମାରୋହ ଅବକାଶରେ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ମୃତି-ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତି ପରିଷଦ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗିତାରେ ଆୟୋଜିତ ଏହି ସମାରୋହର ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଧାୟକ ଶ୍ରୀ ମିଶ୍ର ପଂଚସଖାଙ୍କ ଜାତୀୟ ଚେତନା ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ମହନୀୟ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତି ପରିଷଦର ସଭାପତି ଡଃ. ହେମନ୍ତ କୁମାର ଛୋଟରାୟ ଏହି ଅଧିବେଶନରେ ପୌରୋହିତ୍ୟ କରିଥିଲେ । ଖ୍ୟାତିସମ୍ପନ୍ନ ଲେଖକ ଡଃ. ଧରଣୀଧର ନାଥ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଭାଷାଭିତିକ ପ୍ରଦେଶ ଗଠନ, ଉତ୍କଳ ସମ୍ମିଳନୀର ବିଚ୍ଛିନ୍ନାଚଂଳ ଅଧିବେଶନ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ତ୍ୟାଗପୂତ ଜୀବନ ବିଷୟରେ ସ୍ମୃତି-ବକ୍ତୃତା ପ୍ରଦାନ କରିଥିଲେ । ବିଶିଷ୍ଟ ଲେଖିକା ଡଃ. ବାସନ୍ତୀ ମହାନ୍ତି ସମ୍ମାନିତ ଅତିଥି ରୂପେ ଜାତି ନିର୍ମାଣରେ ସତ୍ୟବାଦୀ ସପ୍ତସଖାଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ ।

ଏହି ଉତ୍ସବରେ ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟଙ୍କ ଲିଖିତ ଚକାନୟନ' ଓ ସ୍ମୃତି ପରିଷଦର ପତ୍ରିକା ଭାଷା ସମ୍ମିଳନୀ' ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ସ୍ମୃତି ପରିଷଦର ସଂପାଦକ ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟ (ଛାଟୋଇ) ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ସଭାପତି ଡଃ. ଛୋଟରାୟ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡଃ. କୁଳମଣି ଓଝା ଓ ମନୋରଞ୍ଜନ ମିଶ୍ର ଦ୍ୱିତୀୟ ଅଧିବେଶନର ସଂଯୋଜନା କରିଥିଲେ ।

ଏହି ଅଧିବେଶନରେ ଓଡ଼ିଆ ଭାଷା-ସାହିତ୍ୟର ବିଦ୍ୱାନ ପ୍ରଫେସର୍ ଡଃ. ଉଦୟନାଥ ସାହୁଙ୍କୁ ସତ୍ୟବାଦୀ ସପ୍ତସଖା ଭାଷା ସମ୍ମାନ, କୁଳପତି ପ୍ରଫେସର୍ ଡଃ. ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତିରତ୍ନ ସମ୍ମାନ, କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀଙ୍କୁ ଉତ୍କଳ ସଙ୍ଗୀତରତ୍ନ ସମ୍ମାନ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡଃ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ଉତ୍କଳ ଶିଶୁରତ୍ନ ସମ୍ମାନ, ଚୌଧୁରୀ ବରଦା ପ୍ରସନ୍ନ ଦାସଙ୍କୁ ଉତ୍କଳ ଗଳ୍ପରତ୍ନ ସମ୍ମାନ, ହାସ୍ୟକବି ରବୀନ୍ଦ୍ର ରାଉତଙ୍କୁ ଉତ୍କଳ ହସଫୁଲ ସମ୍ମାନ ଏବଂ ଲେଖିକା ଶ୍ରୀମତୀ ନିର୍ମଳା ଫରେସିଂଙ୍କୁ ଉତ୍କଳ ବାଣୀପ୍ରଭା ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ନବଘନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଥମ ସଂପାନ ଉଦ୍ଘାଟନୀ ଉତ୍ସବରେ ପରିଷଦର କାର୍ଯ୍ୟକାରୀ ସଭାପତି ନବଘନ ଶତପଥୀ ପୌରୋହିତ୍ୟ କରିଥିଲେ । ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଡ. ସତ୍ୟନାରାୟଣ ଆଚାର୍ଯ୍ୟ ଉଦ୍ଘାଟକ ରୂପେ ଯୋଗଦେଇ ପଣ୍ଡିତ ଅନନ୍ତ ମିଶ୍ରଙ୍କ ତ୍ୟାଗ ତପସ୍ୟାପୂତ ଜୀବନ ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ ।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସାରଳା ଚେୟାର୍ ପ୍ରାକ୍ତନ ପ୍ରଫେସର୍ ଡଃ. ଉଦୟନାଥ ସାହୁ ମୁଖ୍ୟଅତିଥି ରୂପେ ଜାତୀୟ ପ୍ରଚାରକ ପଣ୍ଡିତ ଅନନ୍ତ ମିଶ୍ରଙ୍କ ସେବା ଓ ସଂସ୍କାର ଅଭିମୁଖୀ କାର୍ଯ୍ୟାବଳୀ ସମ୍ପର୍କରେ ବର୍ଣ୍ଣନା କରିବା ସହ ଓଡ଼ିଶା ପ୍ରଦେଶ ଗଠନ ଅଭିଯାନରେ ସକ୍ରିୟ ଯୋଗଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଗୋଟିଏ ଜାତି ତା'ର ଭାଷା-ସାହିତ୍ୟକୁ ନେଇ ବଂଚି ରହେ । ଓଡ଼ିଆ ଜାତି ତ୍ୟାଗର ଭୂମି, ଉତ୍ସର୍ଗ ଓ ସମର୍ପଣର ଭୂଖଣ୍ଡ । ଭାରତୀୟ ଜ୍ଞାନ ପରମ୍ପରାରେ ଉତ୍କଳୀୟ ଜ୍ଞାନଧାରାର ବିଶେଷ ଅବଦାନ ରହିଛି ବୋଲି ପ୍ରଫେସର୍ ସାହୁ କହିଥିଲେ । ସାରଳା ମହାଭାରତକୁ ନେଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ସାରଳା ମହାଭାରତ, ବଳରାମ ଦାସଙ୍କ ରାମାୟଣ, ଜଗନ୍ନାଥ ଦାସଙ୍କ ଭାଗବତ ଓ ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପଛରେ ଚାରିଟି ସ୍ତମ୍ଭ ରୂପେ ଦଣ୍ଡାୟମାନ । ପଣ୍ଡିତ ଅନନ୍ତ ମିଶ୍ର କେବଳ ତ୍ୟାଗର ତପସ୍ୱୀ ନ ଥିଲେ, ଜୀବନ ବ୍ୟାପୀ ଓଡ଼ିଆ ଜାତିର ଜାଗୃତି ନିମନ୍ତେ ତପସ୍ୟା କରିଥିଲେ ବୋଲି ପ୍ରଫେସର୍ ସାହୁ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ବାଗ୍ମୀ ତଥା ଭଞ୍ଜ ସାହିତ୍ୟ ଗବେଷକ ଡଃ. ଅଭିମନ୍ୟୁ ବରାଳ ମୁଖ୍ୟବକ୍ତା ରୂପେ ପୁଣ୍ୟାତ୍ମା ଅନନ୍ତ ମିଶ୍ରଙ୍କ ଜୀବନର ଇତିବୃତି ବର୍ଣ୍ଣନା କରିଥିବା ବେଳେ ଶିକ୍ଷାବିତ୍ ଡଃ. ବଳରାମ ଦାଶ ଓ କାହ୍ନୁଚରଣ ପ୍ରଧାନ ସମ୍ମାନିତ ଅତିଥି ରୂପେ ସ୍ମୃତି-ବକ୍ତବ୍ୟ ପ୍ରଦାନ କରିଥିଲେ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶୀ ସହକାରୀ ପ୍ରଫେସର୍ ଡଃ. କୁଳମଣି ଓଝା ଓ ଭୀମସେନ ମହାପାତ୍ର ଉତ୍ସବର ସଂଯୋଜନା କରିଥିଲେ । ବିଶାଖା ଦେବୀ ଓ ସୁଜାତା ଦେବୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୧୨୦ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତି କରି ଅନନ୍ତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ସଦାଶିବ ମିଶ୍ର ବେଦପାଠ କରିଥିଲେ ଏବଂ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ତରଫରୁ ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି' ସଂଗୀତ ଏବଂ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ଶେଷରେ କବି ବିଜୟ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତି ସମାରୋହରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande