ଧୁତ୍ରା-ବାଗଡ଼ିହି ରେଳ ଲାଇନ୍ ରୁ ଲୁଟ୍ ହେଲା ରେଳ ସୁରକ୍ଷା ସାମଗ୍ରୀ
Railway Safety Equipment Stolen from Dhutra–Bagdihi Railway Line
ଧୁତ୍ରା-ବାଗଡ଼ିହି ରେଳ ଲାଇନ୍ ରୁ ଲୁଟ୍ ହେଲା ରେଳ ସୁରକ୍ଷା ସାମଗ୍ରୀ


୧୫୭ ପେଣ୍ଡ୍ରୋଲ୍ କ୍ଲିପ୍ ଓ ଫିସ୍ ପ୍ଲେଟ୍ ଚୋରିଘଟଣାର ଗୁରୁତ୍ୱ ଦୃଷ୍ଟିରୁ ରାଞ୍ଚିରୁ ପହଞ୍ଚିଲେ ବରିଷ୍ଠ ଆରପିଏଫ୍ ଅଧିକାରୀ

ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)- ହାୱଡ଼ା-ମୁମ୍ବାଇ ରେଳପଥର ଧୁତ୍ରା-ବାଗଡ଼ିହି ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୀପାବଳି ପୂର୍ବରୁ ଏକ ବଡ଼ ଧରଣର ରେଳ ଉପକରଣ ଚୋରି ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ତୃତୀୟ ରେଳ ଲାଇନ୍ ରୁ ୧୫୭ଟି ପେଣ୍ଡ୍ରୋଲ୍ କ୍ଲିପ୍ ଓ ଫିସ୍ ପ୍ଲେଟ୍ ଚୋରି କରି ନେଇଥିବା ଜଣାପଡ଼ିଛି। ପ୍ରାୟ ଏକ କିଲୋମିଟରରୁ ଅଧିକ ରେଳ ଧାରଣାରୁ ଏହି ସାମଗ୍ରୀ ଖୋଲି ନିଆଯାଇଥିବାରୁ ରେଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ବାଗଡ଼ିହି-ଧୁତ୍ରା ମଧ୍ୟବର୍ତ୍ତୀ ୪୯୭/୨-୮ କିଲୋମିଟର ନିକଟରେ ଥିବା ତୃତୀୟ ରେଳ ଲାଇନ୍ ରୁ ଦୁର୍ବୃତ୍ତମାନେ ପେଣ୍ଡ୍ରୋଲ୍ କ୍ଲିପ୍ ଓ ଫିସ୍ ପ୍ଲେଟ୍ ଖୋଲି ନେଇଥିଲେ। ରେଳ ଧାରଣାକୁ ଦୃଢ଼ ଭାବେ ଧରି ରଖିବା ସହ ସୁରକ୍ଷିତ ରେଳ ଚଳାଚଳରେ ଏହି ଉପକରଣଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏଭଳି ଚୋରି ଘଟଣାକୁ ରେଳବାଇ ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରାଯାଉଛି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଚକ୍ରଧରପୁର ଆରପିଏଫ୍ କମାଣ୍ଡାଣ୍ଟ ଛୁଟିରେ ଥିବାରୁ ରାଞ୍ଚିରେ ଅବସ୍ଥାପିତ ବରିଷ୍ଠ କମାଣ୍ଡାଣ୍ଟ ଗତ ଶନିବାର ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହ ଆରପିଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା ସାମଗ୍ରୀ କେଉଁଠାକୁ ନିଆଯାଇଛି ଏବଂ ଏହା ପଛରେ କେଉଁମାନଙ୍କ ହାତ ରହିଛି, ସେନେଇ ଖୋଳତାଡ଼ ଚାଲିଛି।

ଅନ୍ୟପକ୍ଷରେ, ଏହି ଚୋରି ପଛରେ ସ୍କ୍ରାପ୍ ମାଫିଆଙ୍କ ସମ୍ପୃକ୍ତି ଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଏହାର ସତ୍ୟତା ସ୍ପଷ୍ଟ ହୋଇନାହିଁ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିବା ପରେ ଝାରସୁଗୁଡ଼ା ଆରପିଏଫ୍ ର ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ରେଳ ଧାରଣାରୁ ସୁରକ୍ଷା ସାମଗ୍ରୀ ଏତେ ପରିମାଣରେ ଚୋରି ହେବା ରେଳବାଇ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ରେଳବାଇ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande