
ସାଲେପୁର, ୧୦ ନଭେମ୍ବର (ହି.ସ.) - ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ନେମାଳ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା ବେଳେ ହଠାତ୍ ଏକ ଅଘଟଣ ଘଟିଛି । ଏହିପୀଠରେ ନୂତନ ଭାବେ ଗୋପୀନାଥଜୀଉଙ୍କର ୫୦ ଫୁଟ୍ ଉଚ୍ଚ ବିଶିଷ୍ଟ ମନ୍ଦିର ନିର୍ମାଣ ସମୟରେ ଉପରକୁ ପଥର ଉଠାଉଥିବା ହାଇଡ୍ରା ମେସିନଟି ଭାରସାମ୍ୟ ହରାଇବାରୁ ଓଲଟି ପଡିଥିଲା । ପଳରେ ଏଥିରେ ଉଠୁଥିବା ପଥରଖଣ୍ଡ ଛିଟିକି ପଡି ଜଣେ ମହିଳାଙ୍କ ଗୋଡରେ ପଡିବାରୁ ସେ ଗୁରୁତର ହୋଇଥିବା ବେଳେ ଅନ୍ୟ ଏକ ଖଣ୍ଡ ପଥର ପାଖରେ ଥିବା ଆଜବେଷ୍ଟସ ଘରେ ଉପରେ ପଡିବାରୁ ଏହା ଭିତରେ ପୂଜା କରୁଥିବା ଜଣେ ପୂଜକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ଗୁରୁତର ମହିଳା ପୁଷ୍ପଲତା ଗୋସ୍ୱାମୀ ଓ ପୂଜକ ଶିବପ୍ରସାଦ ପଣ୍ଡାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସାନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ବେଳେ ପ୍ରାଥମିକ ଚିକିତ୍ସାନିମନ୍ତେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗତ ସରକାରଙ୍କ ଅମଳରୁ ନେମାଳ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣକରାଯାଇ ୨୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଯୋଗାଇ ଦିଆଯାଇଥିବା ଓବିସିସି ଘରୋଇ ଠିକାସଂସ୍ଥା ଟେଣ୍ଡର ମାଧ୍ୟମରେ ଏହି କାର୍ଯ୍ୟ ଦିଆଯାଇଥିଲା। ଏହି ଠିକାସଂସ୍ଥାଠାରୁ ଗ୍ରୀନ୍ ଗ୍ରୋ ଠିକାସଂସ୍ଥା ନେଇ ବର୍ତମାନ ଏହି କାର୍ଯ୍ୟ କରୁଛି । ଏହି ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ସମୟରେ ଯେଉଁ ଶ୍ରମିକମାନେ ଏଥିରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସୁରକ୍ଷାଦେବା ପାଇଁ କୌଣସି କିଟ୍ ବ୍ୟବହାର କରାଯାଉନଥିବା ବେଳେ ଅନେକ ସମୟରେ ବିଭିନ୍ନ ଯନ୍ତ୍ରପାତୀକୁ ଲେବର ମାନେ ଚଳାଉଥିବା ନେଇ ଅଭିଯୋଗ ହେଉଛି । ମଙ୍ଗଳବାର ସକାଳେ ମନ୍ଦିର ନିର୍ମାଣ ପାଇଁ ହାଇଡ୍ରାମେସିନରେ ପଥର ଉଠୁଥିବା କାର୍ଯ୍ୟକୁ ଜଣେ ହେଲଫର କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଦେଖାଯାଇଛି। ଅଚ୍ୟୁତାନନ୍ଦ ପୀଠ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏହାର ଉନ୍ନତିକରଣ କାର୍ଯ୍ୟ ସମୟରେ ଏଠାକୁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି । କାର୍ଯ୍ୟ ଚାଲିଥିବା ବେଳେ ଠିକାସଂସ୍ଥା ପକ୍ଷରୁ ଭକ୍ତମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଜଣାଯାଇଛି । ଉକ୍ତ ଘଟଣା ଜାଣିବା ପରେ ନେମାଳ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ହାଇଡ୍ରାମେସିନଟିକୁ ଜବତ କରି ପୋଲିସ ଥାନାରେ ଅଟକ ରଖିଛି । ଅପରପକ୍ଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକଙ୍କୁ କିଭଳି ସହାୟତା ଯୋଗାଇ ଦିଆଯିବ ସେ ନେଇ ଏ ଅଂଚଳବାସିନ୍ଦାଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍