
ଆଣ୍ଠୁଏ ଗଭୀର ଖାଲ, ଅଢ଼େଇ ବର୍ଷରେ ୧୩୩ ମୃତ୪୫ କି.ମି. ମଧ୍ୟରେ ଦୁଇଟି ଟୋଲ୍ ଗେଟ୍ କୁ ନେଇ ଅସନ୍ତୋଷ, ଉଚ୍ଛେଦ ଦାବି ଜୋରଦାର
ଝାରସୁଗୁଡ଼ା, ୧୦ ନଭେମ୍ବର (ହି.ସ.)- ଜାତୀୟ ରାଜପଥ-୪୯ର ଦୁରାବସ୍ଥା ଦିନକୁ ଦିନ ଚିନ୍ତାଜନକ ହେବାରେ ଲାଗିଛି। ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ପ୍ରାୟ ୬୮ କିଲୋମିଟର ରାସ୍ତା ଏବେ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ବେଳେ ଏହାର ମରାମତି ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ଜନଅସନ୍ତୋଷକୁ ତୀବ୍ର କରିଛି। ବିଶେଷ କରି ଗୋବିନ୍ଦପୁର ଟୋଲ୍ ପ୍ଲାଜା ପରିସରରେ ଆଣ୍ଠୁଏ ଗଭୀର ଖାଲ ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ମରାମତି ହେଉନାହିଁ। ଏଭଳି ସ୍ଥିତିରେ ଟୋଲ୍ ଆଦାୟ ଜାରି ରହିଥିବାରୁ ଟୋଲ୍ ପ୍ଲାଜା ଉଚ୍ଛେଦ ଦାବି ଜୋର ଧରିଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ଜାତୀୟ ରାଜପଥ-୪୯କୁ ଚାରିଥାକିଆ କରିବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଟେଣ୍ଡର ପ୍ରକ୍ରିୟା ଓ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆହୁରି ଅନେକ ବର୍ଷ ଲାଗିବା ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଏହି ରାସ୍ତାରେ ଗତ ଅଢ଼େଇ ବର୍ଷ ମଧ୍ୟରେ ୨୦୭ଟି ଦୁର୍ଘଟଣା ଘଟି ୧୩୩ ଜଣଙ୍କ ଜୀବନ ଯାଇଛି। ଏଥିସହ ୧୦୧ ଜଣ ଆହତ ହୋଇଥିବା ବେଳେ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ କେତେକଙ୍କ ଅଙ୍ଗହାନି ମଧ୍ୟ ଘଟିଛି। ଏତେ ସଂଖ୍ୟକ ମୃତାହତ ସତ୍ତ୍ୱେ ରାସ୍ତାର ଅବସ୍ଥାରେ ସୁଧାର ନ ଆସିବା ଚିନ୍ତାର ବିଷୟ ହୋଇଛି। ରାସ୍ତାର ଦୁରବସ୍ଥା ପାଇଁ ଗୋଟିଏ ପଟେ ଯାନବାହନ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଦାୟୀ ହୋଇଥିବା ବେଳେ ଅନ୍ୟପଟେ ରାଜପଥର ରକ୍ଷଣାବେକ୍ଷଣରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ)ର ଅବହେଳା ମଧ୍ୟ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି। ଗତ ସପ୍ତାହରେ କତରବଗାରୁ ଭିକମପାଲି ମଧ୍ୟରେ ରାସ୍ତା ମରାମତି ନ କଲେ ରାସ୍ତା ଅବରୋଧ କରି ଅଞ୍ଚଳବାସୀ ନିଜେ ମରାମତି କରିବେ ବୋଲି ଜନପ୍ରତିନିଧିମାନେ ଲିଖିତ ଚେତାବନୀ ଦେଇଥିଲେ। ଏହାପରେ ଠିକା ସଂସ୍ଥା ପକ୍ଷରୁ କେତେକ ସ୍ଥାନରେ ନାମକୁ ମାତ୍ର ପିଚୁ ପକାଇ କାମ ସାରି ଦିଆଯାଇଥିବା ଅଭିଯୋଗ ହୋଇଛି।
ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଗୋବିନ୍ଦପୁର ଟୋଲ୍ ପ୍ଲାଜା ପରିସରରେ କଂକ୍ରିଟ୍ ରାସ୍ତାଠାରୁ ଆରମ୍ଭ କରି ପିଚୁ ରାସ୍ତା ପର୍ଯ୍ୟନ୍ତ ବିରାଟ ବିରାଟ ଖାଲ ସୃଷ୍ଟି ହୋଇଛି। ଏପରିକି ଯାନବାହନ ଚଳାଚଳ ପାଇଁ ଏହା ବିପଦଜନକ ହୋଇପଡ଼ିଛି। ଟୋଲ୍ ଆଦାୟ କରୁଥିବା ସଂସ୍ଥା ନିଜ ପରିସରର ରାସ୍ତା ମରାମତି କରିବାରେ ଅବହେଳା କରୁଥିବା ବେଳେ ରାଜପଥର ଅନ୍ୟ ଅଂଶର ରକ୍ଷଣାବେକ୍ଷଣ କିପରି କରୁଥିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ମାତ୍ର ୪୫ କିଲୋମିଟର ଦୂରତା ମଧ୍ୟରେ ଦୁଇଟି ଟୋଲ୍ ଗେଟ୍ ରହିଥିବାରୁ ଏହାର ଯଥାର୍ଥତାକୁ ନେଇ ମଧ୍ୟ ଅସନ୍ତୋଷ ବଢ଼ୁଛି। ରାସ୍ତାର ଦୟନୀୟ ଅବସ୍ଥା ସୁଧାରିବାରେ କର୍ତ୍ତୃପକ୍ଷ ବିଫଳ ହେଉଥିବା ବେଳେ ନିୟମିତ ଟୋଲ୍ ଆଦାୟକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। ଏନେଇ ଟୋଲ୍ ପ୍ଲାଜା ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଦସ୍ତଖତ ଅଭିଯାନ ଆରମ୍ଭ କରି ପ୍ରଶାସନକୁ ଚରମ ଚେତାବନୀ ଦେବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ରାଜପଥର ସୁରକ୍ଷା ଓ ମରାମତି ପାଇଁ ପ୍ରଶାସନ ଏବଂ ଏନ୍ଏଚ୍ଏଆଇ କେବେ ତତ୍ପର ହେବେ, ତାହାକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ