
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ନିଜ ବ୍ୟକ୍ତିଗତ ଜୀବନ, ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ସାକ୍ଷାତ ଓ ବିବାହ, ଭାରତ ଆଗମନ, ପରିବାରର ଦୁଃଖଦ ଘଟଣା ଏବଂ ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବାର ନିଷ୍ପତ୍ତି ସମ୍ପର୍କିତ ଅନେକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଏହାକୁ ରାଜନୈତିକ ପୁସ୍ତକ ପରିବର୍ତ୍ତେ ଏକ ବ୍ୟକ୍ତିଗତ ସ୍ମୃତିଗ୍ରନ୍ଥ ବୋଲି କହିଛନ୍ତି। ଏହି ପୁସ୍ତକକୁ ସେ ରାହୁଲ, ପ୍ରିୟଙ୍କା ଏବଂ ନିଜ ନାତି-ନାତୁଣୀ ରେହାନ ଓ ମିରାୟାଙ୍କୁ ସମର୍ପିତ କରିଛନ୍ତି।
କୌଣସି ଔପଚାରିକ ଉନ୍ମୋଚନ କାର୍ଯ୍ୟକ୍ରମ ବିନା ବଜାରକୁ ଆସିଥିବା ଏହି ପୁସ୍ତକର ବିକ୍ରି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହାର୍ପର କଲିନ୍ସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ମୋଟ ୭ଟି ଅଧ୍ୟାୟ ରହିଛି। ପୁସ୍ତକର ମୁଖପୃଷ୍ଠାରେ ଥିବା ସୋନିଆ ଗାନ୍ଧୀଙ୍କ ଫଟୋ ୧୯୬୬ ମସିହାରେ ରାଜୀବ ଗାନ୍ଧୀ ଉଠାଇଥିଲେ।
ସୋନିଆ ଗାନ୍ଧୀ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ପୁସ୍ତକର ଏକ ଅଂଶ ସେୟାର କରି ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବାର ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ତାଙ୍କ ମନରୁ ସନ୍ଦେହର ଶେଷ ଅଂଶ ମଧ୍ୟ ଦୂର ହୋଇଯାଇଥିଲା ଏବଂ ସେ ନିଜକୁ କହିଥିଲେ ଯେ ତାଙ୍କୁ ନିଜ ପ୍ରତି ସଚ୍ଚୋଟ ରହିବା ଉଚିତ। କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳ ମଧ୍ୟ ଏକ୍ସରେ ପୁସ୍ତକ ପ୍ରକାଶନ ପାଇଁ ସୋନିଆ ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସୋନିଆଙ୍କ ଜୀବନକୁ ଏକ ପ୍ରେରଣାଦାୟକ ଯାତ୍ରା ବୋଲି ବର୍ଣ୍ଣନା କରିବା ସହ ତାଙ୍କ ସହ କାମ କରିବା ଏବଂ ତାଙ୍କ ନେତୃତ୍ୱକୁ ନିକଟରୁ ଦେଖିବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ବୋଲି କହିଛନ୍ତି।
ସୋନିଆ ଗାନ୍ଧୀ ପୁସ୍ତକରେ ଲେଖିଛନ୍ତି ଯେ, ୨୦୦୪ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ହିଁ ସେ ନିଷ୍ପତ୍ତି ନେଇଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ। ରାହୁଲ ଓ ପ୍ରିୟଙ୍କା ମଧ୍ୟ ତାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁନଥିଲେ। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ହତ୍ୟାର ସ୍ମୃତି ତାଙ୍କ ମନରେ ଥିଲା। ପ୍ରଧାନମନ୍ତ୍ରୀ ହେଲେ ସୋନିଆଙ୍କ ଜୀବନ ପ୍ରତି ବିପଦ ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା ଥିଲା। ସୋନିଆ ଲେଖିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟରେ ସେ ନିଜ ନିଷ୍ପତ୍ତିକୁ ସାର୍ବଜନୀନ କରିନଥିଲେ, ଯାହାଦ୍ୱାରା ଦଳ ମଧ୍ୟରେ ନେତୃତ୍ୱକୁ ନେଇ କୌଣସି ବିବାଦ ସୃଷ୍ଟି ନହୁଏ।
ନିର୍ବାଚନରେ ବିଜୟ ପରେ ମେଣ୍ଟର ନେତାମାନେ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ ନିଜର ଅସହମତି ପ୍ରକାଶ କରିଥିଲେ, କିନ୍ତୁ ନେତାମାନେ ତାଙ୍କ କଥା ସମ୍ପୂର୍ଣ୍ଣ ଶୁଣିବା ପୂର୍ବରୁ ହିଁ ଏହାକୁ ସମ୍ମତି ବୋଲି ଧରି ନେଇଥିଲେ। ଏହି ସମୟରେ ରାହୁଲ ତାଙ୍କୁ ପଚାରିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେବାକୁ କାହିଁକି ହଁ କହିଲେ। ପ୍ରିୟଙ୍କା ମଧ୍ୟ ତାଙ୍କୁ ମନେ ପକାଇ ଦେଇଥିଲେ ଯେ, ସେ ପୂର୍ବରୁ ହିଁ ନିଜ ନିଷ୍ପତ୍ତି ସ୍ପଷ୍ଟ କରିସାରିଛନ୍ତି। ସୋନିଆ ପ୍ରଧାନମନ୍ତ୍ରୀ ନହେବା ପଛରେ ବିଦେଶୀ ମୂଳର ପ୍ରସଙ୍ଗକୁ ମଧ୍ୟ ଏକ କାରଣ ବୋଲି ଦର୍ଶାଇଛନ୍ତି। ସେ ଆଶଙ୍କା କରୁଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେଲେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ଏହି ପ୍ରସଙ୍ଗ ଉଠାଇ ରାଜନୈତିକ ବିବାଦ ସୃଷ୍ଟି କରିପାରନ୍ତି। ଶେଷରେ ସେ ଡ. ମନମୋହନ ସିଂହଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ।
ପୁସ୍ତକରେ ସୋନିଆ ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ସାକ୍ଷାତର ଅନୁଭୂତି ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ ୧୯ ବର୍ଷ ବୟସରେ ଇଂରାଜୀ ଶିଖିବା ପାଇଁ ଇଟାଲୀରୁ କେମ୍ବ୍ରିଜ ଆସିଥିଲେ। ସେଠାରେ ଏକ ଗ୍ରୀକ୍ ରେଷ୍ଟୁରାଣ୍ଟରେ ତାଙ୍କ ନଜର ରାଜୀବ ଗାନ୍ଧୀଙ୍କ ଉପରେ ପଡ଼ିଥିଲା। ଜାନୁଆରୀ ମାସର ଗୋଟିଏ ଦିନ ତାଙ୍କ ବନ୍ଧୁ କ୍ରିଷ୍ଟିଆନ୍ ଭନ୍ ଷ୍ଟିଗଲିଜ୍ ଉଭୟଙ୍କର ପରିଚୟ କରାଇଥିଲେ। ସୋନିଆ ପୁସ୍ତକରେ କହିଛନ୍ତି ଯେ, ପ୍ରଥମ ସାକ୍ଷାତରେ ହିଁ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଧୀରେ ଧୀରେ ସେମାନଙ୍କ ସାକ୍ଷାତ ବଢ଼ିଥିଲା ଏବଂ ଉଭୟ ଏକାଠି ସମୟ ବିତାଇବା ଆରମ୍ଭ କରିଥିଲେ। ନିଜ ସମ୍ପର୍କ ବିଷୟରେ ବାପାଙ୍କୁ ଜଣାଇବାକୁ ସେ ଭୟ କରୁଥିଲେ, କାରଣ ତାଙ୍କୁ ଆଶଙ୍କା ଥିଲା ଯେ ବାପା ତାଙ୍କୁ ଇଟାଲୀ ଫେରାଇ ନେଇପାରନ୍ତି।
ଇଟାଲୀର ନାଗରିକତା ଛାଡ଼ି ଭାରତୀୟ ନାଗରିକତା ଗ୍ରହଣ କରିବା ସମ୍ପର୍କରେ ସୋନିଆ ଲେଖିଛନ୍ତି ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନିଜର ଇଟାଲୀୟ ପାସପୋର୍ଟକୁ ସାଇତି ରଖିଥିଲେ, କାରଣ ଏହା ତାଙ୍କ ପରିଚୟର ଏକ ଅଂଶ ଥିଲା। ରାଜୀବ ଗାନ୍ଧୀ ସାର୍ବଜନୀନ ଜୀବନରେ ପ୍ରବେଶ କରିବା ପରେ ତାଙ୍କୁ ଭାରତୀୟ ନାଗରିକତା ଗ୍ରହଣ କରିବା ଠିକ୍ ଲାଗିଥିଲା। ୧୯୮୩ ମସିହାରେ ଭାରତୀୟ ନାଗରିକତା ଗ୍ରହଣ କରିବାର ଔପଚାରିକ ପ୍ରକ୍ରିୟା ସମୟରେ ଦସ୍ତାବିଜ ପଢ଼ିବା ବେଳେ ତାଙ୍କ ହୃଦସ୍ପନ୍ଦନ ବଢ଼ିଯାଇଥିଲା। ତାଙ୍କୁ ଅନୁଭବ ହୋଇଥିଲା ଯେ, ତାଙ୍କ ପରିଚୟର ଏକ ଅଂଶ ସବୁଦିନ ପାଇଁ ଛାଡ଼ି ଯାଉଛି।
ପୁସ୍ତକରେ ଅନ୍ତର୍ଜାତୀୟ ନେତାମାନଙ୍କ ସହ ସାକ୍ଷାତ ସମ୍ପର୍କିତ ଅନେକ ରୋଚକ ଘଟଣା ମଧ୍ୟ ରହିଛି। ସୋନିଆ ୨୦୦୦ ମସିହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଭାରତ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ସେ କ୍ଲିଣ୍ଟନଙ୍କୁ ସେଠାରେ ଉପସ୍ଥିତ ସୁନ୍ଦରୀ ମହିଳାମାନଙ୍କୁ ଲୁଚି ଲୁଚି ଦେଖୁଥିବାର ଲକ୍ଷ୍ୟ କରିଥିଲେ। ସେ କାଶ୍ମୀର ସମ୍ପର୍କରେ କ୍ଲିଣ୍ଟନଙ୍କ ମତାମତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସୋନିଆଙ୍କ ଅନୁଯାୟୀ, କ୍ଲିଣ୍ଟନ କାଶ୍ମୀରକୁ ପରମାଣୁ ସଂଘର୍ଷର କେନ୍ଦ୍ର ଏବଂ ବିଶ୍ୱର ଅନ୍ୟତମ ବିପଜ୍ଜନକ ସ୍ଥାନ ବୋଲି ମନେ କରୁଥିଲେ।
୨୦୦୮ ମସିହାରେ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜିଙ୍କ ଭାରତ ଗସ୍ତ ସମ୍ପର୍କରେ ସୋନିଆ ଲେଖିଛନ୍ତି ଯେ, ସେହି ସମୟରେ ସାର୍କୋଜି ନିଜ ସାଥୀ କାର୍ଲା ବ୍ରୁନିଙ୍କ ବିନା ଭାରତ ଆସିଥିଲେ। ଭୋଜି ସମୟରେ ତତ୍କାଳୀନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀଙ୍କ ପତ୍ନୀ ତାଙ୍କୁ ବିବାହ ଯୋଜନା ସମ୍ପର୍କରେ ପଚାରିଥିଲେ। ସାର୍କୋଜି ସ୍ୱାଭାବିକ ଭାବେ ଏହାର ଉତ୍ତର ଦେଇଥିଲେ ଏବଂ କାର୍ଲାଙ୍କୁ ଫୋନ୍ରେ ବାର୍ତ୍ତା ମଧ୍ୟ ପଠାଉଥିଲେ। ପରବର୍ତ୍ତୀ ସମୟରେ ଏକ ସାକ୍ଷାତ ବେଳେ ସାର୍କୋଜିଙ୍କ ଆଚରଣକୁ ସୋନିଆ କିଛିଟା ଅହଂକାରୀ ବୋଲି ବର୍ଣ୍ଣନା କରିଛନ୍ତି।
ବ୍ରିଟେନର ରାଜକୁମାରୀ ଡାଏନାଙ୍କ ସହ ସାକ୍ଷାତର ଘଟଣା ମଧ୍ୟ ସୋନିଆ ନିଜ ପୁସ୍ତକରେ ଲେଖିଛନ୍ତି। ସେ କହିଛନ୍ତି ଯେ, ୧୯୮୧ ମସିହାରେ ସେ ରାଜୀବ ଗାନ୍ଧୀଙ୍କ ସହ ଡାଏନାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ଡାଏନାଙ୍କ ଭାରତ ଗସ୍ତ ସମୟରେ ତାଜମହଲ ସମ୍ମୁଖରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ପରେ ଡାଏନା ତାଙ୍କ ଘରକୁ ଚା' ପିଇବାକୁ ମଧ୍ୟ ଆସିଥିଲେ। ସେହି ସମୟରେ ସୋନିଆଙ୍କ ମାଆ ଭାରତରେ ଥିଲେ। ପ୍ରିୟଙ୍କା ତାଙ୍କ ମାଆଙ୍କ ସହ ଡାଏନାଙ୍କ ପରିଚୟ କରାଇଥିଲେ। ଡାଏନା ତାଙ୍କ ମାଆଙ୍କ ସହ ଇଟାଲୀୟ ଭାଷାରେ କଥା ହୋଇଥିଲେ ଏବଂ ବିଦାୟ ନେବା ସମୟରେ ତାଙ୍କୁ 'ଚାଓ, ନୋନ୍ନା' ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା