
ଭଦ୍ରକ, ୧୦ ନଭେମ୍ବର (ହି.ସ.) - କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ପାଇଁ ୨୦୨୬ ବର୍ଷ ନିମନ୍ତେ ଯୁବକବି ସୁବ୍ରତ କୁମାର ଜେନାଙ୍କ ନାମ ଘୋଷଣା କରାଯାଇଛି। ଯୁବ କବିଙ୍କ ମଧ୍ୟରେ ବେଶ୍ ଆକାଂକ୍ଷିତ ଏହି ସମ୍ମାନ ପାଇଁ ଶ୍ରୀ ଜେନା ମନୋନୀତ ହୋଇଥିବାରୁ ସାହିତ୍ୟ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସଂସଦର ସଭାପତି ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଠାରେ ଅନୁଷ୍ଠିତ ଏକ ବୈଠକରେ ୨୦୨୬ ବର୍ଷ ପାଇଁ ପୁରସ୍କାର ବିଜେତାଙ୍କ ନାମ ଚୂଡ଼ାନ୍ତ କରାଯାଇ ଘୋଷଣା କରାଯାଇଥିଲା। ଏହି ବୈଠକରେ ଅରୁଣ ଖିଲାର, କବି କିଶୋର ପାଣିଗ୍ରାହୀ, ସୁଚିତ୍ରା ପାଣିଗ୍ରାହୀ, ଅମିତାଭ ଖିଲାର ଓ ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଉପସ୍ଥିତ ଥିଲେ। ଏଥିସହିତ ସଂସଦର ସଦସ୍ୟ ଡ. ରବୀନ୍ଦ୍ର ପଣ୍ଡା, ଶାନ୍ତନୁ ମହାପାତ୍ର, ବିଜୟ ଖିଲାର ମଧ୍ୟ ଯୋଗ ଦେଇଥିଲେ। ବିଚାରକମାନଙ୍କ ମତାମତ ଆଧାରରେ ଶ୍ରୀ ଜେନାଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇ ନାମ ଘୋଷଣା କରାଯାଇଥିଲା। ଆସନ୍ତା ଡିସେମ୍ବର ୨୭ ତାରିଖରେ ଭଦ୍ରକସ୍ଥିତ ସଂସ୍କୃତି ଭବନ ଅପରାହ୍ନ ୪ ଘଟିକାରେ ୪୦ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ଆୟୋଜିତ ହେବ। ଏହି ଅବସରରେ ବିଜେତା କବି ସୁବ୍ରତ କୁମାର ଜେନାଙ୍କୁ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏହି ଉତ୍ସବରେ ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ସମାଲୋଚକ ଓ କବି ଡ. ଭଗବାନ ଜୟସିଂହ ମୁଖ୍ୟବକ୍ତା ଏବଂ ବିଶିଷ୍ଟ ଲେଖକ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟ ଭାଷା ବିଭାଗ ମୁଖ୍ୟ ଡକ୍ଟର ଦେବାଶିଷ ପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି ବୋଲି ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ଯୁବକବି ସୁବ୍ରତ କୁମାର ଜେନା ଓଡ଼ିଆ କବିତା ଜଗତର ଜଣେ ପରିଚିତ ସ୍ୱର। ୧୯୭୮ ମସିହା ମେ ୩ ତାରିଖରେ ଯାଜପୁର ଜିଲ୍ଲାର ବାଲିଗରୀ ଗ୍ରାମରେ ତାଙ୍କର ଜନ୍ମ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତର ଶିକ୍ଷା ଲାଭ କରିଛନ୍ତି। ବୃତିରେ ଜଣେ ସାମ୍ବାଦିକ ଭାବେ ସେ ଦୈନିକ ‘ସମ୍ବାଦ’, ‘ଇଟିଭି ଓଡ଼ିଆ’ ଓ ‘ପ୍ରମେୟ ନ୍ୟୁଜ୍ ୭’ ଭଳି ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ୨୦୧୧ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ‘ରଫ୍ ଖାତାର ପ୍ରେମିକ’ ପ୍ରକାଶ ପାଇଥିଲା। ଏହାର ପ୍ରକାଶନ ଦାୟିତ୍ୱ ଡୁଡୁଲୀ ପ୍ରକାଶନୀ ନେଇଥିବା ବେଳେ ପ୍ରସାର ଦାୟିତ୍ୱ ତୁଲାଇଥିଲା ପଶ୍ଚିମା ପବ୍ଲିକେସନ୍ସ। ୨୦୧୯ରେ ତାଙ୍କର ଦ୍ୱିତୀୟ କବିତା ସଂକଳନ ‘କମାରଶାଳର ପଦ୍ୟ’ ଟାଇମପାସ୍ ପ୍ରକାଶନୀ, ଭୁବନେଶ୍ୱର ପକ୍ଷରୁ ପ୍ରକାଶିତ ହୋଇଥିଲା। ୨୦୦୮ ମସିହାରେ ସେ ଯୁବକବି ଭାବେ ସାର୍କ କବିତା ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସେ ୨୦୦୭ରେ ନିଶାନ୍ କବିତା ସମ୍ମାନ, ୨୦୦୯ରେ ମହାମାୟା ସାହିତ୍ୟ ସମ୍ମାନ, ୨୦୧୪ରେ ପଶ୍ଚିମା କବିତା ସମ୍ମାନ ଏବଂ ୨୦୧୮ରେ କଳିଙ୍ଗ ଲିଟେରାରି ୟୁଥ୍ ଆୱାର୍ଡ ଲାଭ କରିଛନ୍ତି। ଯୁବପିଢ଼ିର କବିତା ଚେତନା ଓ ସୃଜନଶୀଳତାକୁ ଉତ୍ସାହିତ କରିବା ସହ କବି ବସନ୍ତ ମୁଦୁଲିଙ୍କ ସାହିତ୍ୟିକ ଆଦର୍ଶ ଓ ସ୍ମୃତିକୁ ଉଜ୍ଜୀବିତ ରଖିବା ଏହି ପୁରସ୍କାରର ମୂଳ ଉଦ୍ଦେଶ୍ୟ। ଶ୍ରୀ ଜେନାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯିବା ତାଙ୍କର ସାହିତ୍ୟିକ ଯାତ୍ରାକୁ ଏକ ନୂତନ ସ୍ୱୀକୃତି ପ୍ରଦାନ କରିବା ସହ ଓଡ଼ିଆ କବିତା ଜଗତର ଯୁବ ପ୍ରତିଭାଙ୍କ ପାଇଁ ଉତ୍ସାହର ବାର୍ତା ବହନ କରୁଛି ବୋଲି ସଂସଦ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ