ତୁର୍କୀର ଇସ୍ପାତ କାରଖାନାରେ ବିସ୍ଫୋରଣ, ୧୬ ମୃତ, ୧୩ ଆହତ; ରାଷ୍ଟ୍ରପତି ଏର୍ଦୋଗାନ୍ କହିଲେ- ସମଗ୍ର ଦେଶ ଶୋକାକୁଳ
ଅଙ୍କାରା (ତୁର୍କୀ), ୧୦ ନଭେମ୍ବର (ହି.ସ.)। ପଶ୍ଚିମ ତୁର୍କୀର ଏକ ଇସ୍ପାତ କାରଖାନାରେ ଘଟିଥିବା ବିସ୍ଫୋରଣରେ ଅତିକମ୍ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଗାନ୍ ସୋମବାର କ୍ୟାବିନେଟ୍ ବୈ
f97a63cfa5e098ac2ea3f753a6c47bc2_1129706522.jpg


ଅଙ୍କାରା (ତୁର୍କୀ), ୧୦ ନଭେମ୍ବର (ହି.ସ.)। ପଶ୍ଚିମ ତୁର୍କୀର ଏକ ଇସ୍ପାତ କାରଖାନାରେ ଘଟିଥିବା ବିସ୍ଫୋରଣରେ ଅତିକମ୍ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଗାନ୍ ସୋମବାର କ୍ୟାବିନେଟ୍ ବୈଠକ ପରେ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଇଜମିରର ଆଲିଆଗା ଜିଲ୍ଲାରେ ଘଟିଥିବା ଏହି ବିସ୍ଫୋରଣର କାରଣ ଜାଣିବା ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ନ୍ୟାୟିକ ଓ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି।

ତୁର୍କୀର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ 'ଟିଏନ୍ଟି ୱାର୍ଲ୍ଡ'ର ରିପୋର୍ଟ ଅନୁଯାୟୀ, ଅଙ୍କାରାସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ କ୍ୟାବିନେଟ୍ ବୈଠକ ପରେ ରାଷ୍ଟ୍ରପତି ଏର୍ଦୋଗାନ୍ କହିଥିଲେ, ଏହି ଘଟଣା ସମଗ୍ର ଦେଶକୁ ଗଭୀର ଦୁଃଖ ଦେଇଛି। ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଇଜମିରର ଗଭର୍ଣ୍ଣର ସୁଲେମାନ ଏଲବାନ୍ କହିଛନ୍ତି ଯେ, ସ୍ଥାନୀୟ ସମୟ ଅନୁଯାୟୀ ସକାଳ ପ୍ରାୟ ୧୧ଟା ୪୬ ମିନିଟ୍ରେ (୦୮୪୬ ଜିଏମ୍ଟି) 'ହାବାସ୍ ଆଇରନ୍ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟ'ରେ ଭଟ୍ଟି (ଫର୍ନେସ୍) ପରିବର୍ତ୍ତନ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏକ ସିଲିଂ କ୍ରେନ୍ ଖସି ପଡ଼ିବାରୁ କିଛି ସାମଗ୍ରୀ ଇଲେକ୍ଟ୍ରିକ୍ ଆର୍କ ଫର୍ନେସ୍ରେ ପଡ଼ିଥିଲା। ଫଳରେ ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍ କ୍ଷତିଗ୍ରସ୍ତ ହୋଇ ବିସ୍ଫୋରଣ ଘଟିଥିଲା।

ପ୍ରାରମ୍ଭରେ ଗଭର୍ଣ୍ଣର ୧୦ ଜଣଙ୍କ ମୃତ୍ୟୁ ଓ ୧୫ ଜଣ ଆହତ ହୋଇଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଭଙ୍ଗାରୁଜା ହୋଇଥିବା ଅଂଶ ତଳେ ଚାରିଜଣ ଫସି ରହିଥିବା ଆଶଙ୍କା ରହିଛି। ଏଲବାନ୍ଙ୍କ ସୂଚନା ଅନୁଯାୟୀ, ଘଟଣା ସମୟରେ କାରଖାନାରେ ପ୍ରାୟ ୨୦୦ ଜଣ ଶ୍ରମିକ ଉପସ୍ଥିତ ଥିଲେ। ସାଧାରଣ ଉତ୍ପାଦନ ସମୟରେ ଏଠାରେ ୩୦୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ମାମଲାର ନ୍ୟାୟିକ ଓ ପ୍ରଶାସନିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande