ଦେବଭୂମିରେ ସାଂସ୍କୃତିକ ଚେତନାର ସଙ୍ଗମ, ‘ନବୋତ୍ଥାନ’ ଓ ‘ଯୁଗବାର୍ତ୍ତା’ ଉପସ୍ଥାପନ କଲା ନୂତନ ଭାରତର ଦୃଷ୍ଟିକୋଣ
ଉତ୍ତର ପ୍ରଦେଶର ସାଂସ୍କୃତିକ-ବୈଚାରିକ ଚେତନା ଓ ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ଐତିହ୍ୟକୁ ଏକ ସୂତ୍ରରେ ବାନ୍ଧିଲା - କେଦାରନାଥ-ବଦ୍ରିନାଥରେ ‘ଯୁଗବାର୍ତ୍ତା’ ଓ ‘ନବୋତ୍ଥାନ’ ପତ୍ରିକାର ବିମୋଚନ, ‘ଉତ୍ତର ପ୍ରଦେଶ ତୀର୍ଥାଟନ-ପର୍ଯ୍ୟଟନ’ ପୁସ୍ତକ ମଧ୍ୟ ଲୋକାର୍ପିତ - ଜନପ୍ରତିନିଧି ଓ ଧର୍ମାଚାର୍ଯ୍ୟମା
केदारनाथ में विधायक भूपेश चौबे सहित संत और गणमान्य लोग युग्वार्ता और नवोत्थान पत्रिका का विमोचन करते।


केदारनाथ में विधायक भूपेश चौबे,संत और गणमान्य लोग युग्वार्ता और नवोत्थान पत्रिका का विमोचन करते।


बद्रीनाथ धाम में विधायक भूपेश चौबे,संत कमलेश रतूड़ी और गणमान्य लोग युग्वार्ता और नवोत्थान पत्रिका का विमोचन करते


- ଉତ୍ତର ପ୍ରଦେଶର ସାଂସ୍କୃତିକ-ବୈଚାରିକ ଚେତନା ଓ ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ଐତିହ୍ୟକୁ ଏକ ସୂତ୍ରରେ ବାନ୍ଧିଲା

- କେଦାରନାଥ-ବଦ୍ରିନାଥରେ ‘ଯୁଗବାର୍ତ୍ତା’ ଓ ‘ନବୋତ୍ଥାନ’ ପତ୍ରିକାର ବିମୋଚନ, ‘ଉତ୍ତର ପ୍ରଦେଶ ତୀର୍ଥାଟନ-ପର୍ଯ୍ୟଟନ’ ପୁସ୍ତକ ମଧ୍ୟ ଲୋକାର୍ପିତ

- ଜନପ୍ରତିନିଧି ଓ ଧର୍ମାଚାର୍ଯ୍ୟମାନେ ପ୍ରକାଶନଗୁଡ଼ିକର ବିଷୟବସ୍ତୁ ଓ ଆକର୍ଷଣୀୟ ସାଜସଜ୍ଜାକୁ କଲେ ପ୍ରଶଂସା, ୟୁପି-ଉତ୍ତରାଖଣ୍ଡର ଏକାତ୍ମତାକୁ ମିଳିଲା ସ୍ୱର

କେଦାରନାଥ/ବଦ୍ରିନାଥ, ୧୦ ନଭେମ୍ବର (ହି.ସ.)। ଦେବଭୂମି ଉତ୍ତରାଖଣ୍ଡର ଦୁଇ ପ୍ରମୁଖ ଧାମ କେଦାରନାଥ ଓ ବଦ୍ରିନାଥରେ ଦୀପୋତ୍ସବ ଏବଂ ଭାଇଦୂଜର ପବିତ୍ର ଅବସରରେ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଚେତନା, ରାଷ୍ଟ୍ରୀୟ ବିଚାର ଓ ସାଂସ୍କୃତିକ ଏକାତ୍ମତାର ବାର୍ତ୍ତା ସାମ୍ନାକୁ ଆସିଛି। ବହୁଭାଷୀ ସମ୍ବାଦ ସଂସ୍ଥା ହିନ୍ଦୁସ୍ଥାନ ସମାଚାରର ପତ୍ରିକା ‘ନବୋତ୍ଥାନ’ ଓ ‘ଯୁଗବାର୍ତ୍ତା’ର ସ୍ୱତନ୍ତ୍ର ସଂସ୍କରଣଗୁଡ଼ିକର ବିମୋଚନ ସହିତ ‘ଉତ୍ତର ପ୍ରଦେଶ ତୀର୍ଥାଟନ-ପର୍ଯ୍ୟଟନ’ ପୁସ୍ତକର ଲୋକାର୍ପଣ କରାଯାଇଛି। ଏହି ଆୟୋଜନ ମାଧ୍ୟମରେ ଉତ୍ତର ପ୍ରଦେଶର ସାଂସ୍କୃତିକ-ବୈଚାରିକ ପରମ୍ପରା ଓ ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ଐତିହ୍ୟକୁ ଏକ ସାଧାରଣ ମଞ୍ଚ ମିଳିଛି।

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ମଧ୍ୟରେ ଥିବା ଏହି ଆତ୍ମୀୟ ସମ୍ପର୍କର ଝଲକ କେଦାରନାଥ ଧାମରେ ହିନ୍ଦୁସ୍ଥାନ ସମାଚାରର ତିନୋଟି ପ୍ରକାଶନର ବିମୋଚନ ସମୟରେ ସାକାର ହୋଇଥିଲା। ବହୁଭାଷୀ ସମ୍ବାଦ ସଂସ୍ଥା ହିନ୍ଦୁସ୍ଥାନ ସମାଚାରର ‘ନବୋତ୍ଥାନ’ର ‘ସଂସ୍କୃତି ସହିତ ସ୍ୱାବଲମ୍ବନ’ ବିଶେଷାଙ୍କ ଏବଂ ‘ଯୁଗବାର୍ତ୍ତା’ର ‘ଯୋଗୀ ରାଜରେ ଅଗ୍ରଣୀ ପ୍ରଦେଶ’ ବିଶେଷାଙ୍କର ବିମୋଚନ କରାଯାଇଥିଲା। ଏହା ସହିତ ‘ଉତ୍ତର ପ୍ରଦେଶ ତୀର୍ଥାଟନ-ପର୍ଯ୍ୟଟନ’ ପୁସ୍ତକର ମଧ୍ୟ ଲୋକାର୍ପଣ ହୋଇଥିଲା।

ଦେବଭୂମି କେଦାରନାଥରେ ପତ୍ରିକାଗୁଡ଼ିକର ବିମୋଚନ ଉତ୍ତର ଭାରତର ସାଂସ୍କୃତିକ ଏକାତ୍ମତା, ଆଧ୍ୟାତ୍ମିକ ଐତିହ୍ୟ, ଭାଷାଗତ ଅସ୍ମିତା ଓ ବିକାଶର ପରିବର୍ତ୍ତିତ ବିମର୍ଶକୁ ଏକ ମଞ୍ଚରେ ଆଣିବାର ସୁଯୋଗ ସୃଷ୍ଟି କରିଥିଲା। ଗୋଟିଏ ପଟେ ଉତ୍ତର ପ୍ରଦେଶର କାଶୀ, ଅଯୋଧ୍ୟା, ମଥୁରା, ପ୍ରୟାଗରାଜ, ନୈମିଷାରଣ୍ୟ ଓ ବିନ୍ଧ୍ୟାଚଳ ଭଳି ତୀର୍ଥ ପରମ୍ପରା ରହିଥିବାବେଳେ ଅନ୍ୟପଟେ ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଭଳି ହିମାଳୟୀ ଧାମ ରହିଛି। ଗଙ୍ଗାର ଅବିରତ ଧାରାଠାରୁ ଆରମ୍ଭ କରି ହିମାଳୟର ତପୋଭୂମି ପର୍ଯ୍ୟନ୍ତ ଉଭୟ ରାଜ୍ୟ ଭାରତୀୟ ସଭ୍ୟତାର ସେହି ନିରନ୍ତରତାର ପ୍ରତୀକ, ଯାହା ଭୌଗୋଳିକ ସୀମାଠାରୁ ବହୁ ଅଧିକ ବ୍ୟାପକ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଭୂପେଶ ଚୌବେ କହିଥିଲେ ଯେ ସକାରାତ୍ମକ ସାମ୍ବାଦିକତା ସମାଜକୁ ଦିଗଦର୍ଶନ ଦେବା ଏବଂ ଜନଜାଗରଣ ସୃଷ୍ଟି କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହି ପ୍ରକାଶନଗୁଡ଼ିକ ମାଧ୍ୟମରେ ରାଷ୍ଟ୍ର, ସଂସ୍କୃତି, ସମାଜ ଓ ଜନହିତ ସହ ଜଡ଼ିତ ବିଷୟଗୁଡ଼ିକୁ ଏକ ପ୍ରଭାବଶାଳୀ ମଞ୍ଚ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାରର ମୁଖ୍ୟ ସମନ୍ୱୟକ ତଥା ଆଞ୍ଚଳିକ ସମ୍ପାଦକ ଡ. ରାଜେଶ ତିୱାରୀ କହିଥିଲେ ଯେ ଭାଷା ମାଧ୍ୟମରେ ସମାଜର ସ୍ମୃତି, ପରମ୍ପରା, ସଂଘର୍ଷ ଓ ସଫଳତା ପରବର୍ତ୍ତୀ ପିଢ଼ି ପାଖରେ ପହଞ୍ଚିଥାଏ। ଭାରତୀୟ ଭାଷାରେ ସାମ୍ବାଦିକତାକୁ ସୁଦୃଢ଼ କରିବା ଦେଶର ସାଂସ୍କୃତିକ ବିବିଧତା ଓ ବୈଚାରିକ ଆତ୍ମନିର୍ଭରତାକୁ ମଜବୁତ କରିବା ସହ ସମାନ।

କେଦାରନାଥର ବିମୋଚନ ସମାରୋହରେ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲା ଅନ୍ତର୍ଗତ ରାବର୍ଟସଗଞ୍ଜର ବିଧାୟକ ଭୂପେଶ ଚୌବେ, ବାବା କେଦାରନାଥଙ୍କ ପୂଜକ ଅରୁଣ ନୌଟିୟାଲ, ଭୈରବନାଥଙ୍କ ପୂଜକ ଅରବିନ୍ଦ ଶୁକ୍ଳା, ହିନ୍ଦୁସ୍ଥାନ ସମାଚାରର ମୁଖ୍ୟ ସମନ୍ୱୟକ ତଥା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଓ ଝାଡ଼ଖଣ୍ଡର ଆଞ୍ଚଳିକ ସମ୍ପାଦକ ଡ. ରାଜେଶ ତିୱାରୀ, ଉତ୍ତରାଖଣ୍ଡ ବ୍ୟୁରୋ ମୁଖ୍ୟ ରାଜେଶ ପାଣ୍ଡେୟ ଏବଂ ସାମ୍ବାଦିକ ଜିତେନ୍ଦ୍ର ପାଣ୍ଡେୟଙ୍କ ସମେତ ଅନ୍ୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅତିଥିମାନେ ତିନୋଟି ପ୍ରକାଶନର ଆକର୍ଷଣୀୟ କଳେବର, ରୁଚିସମ୍ପନ୍ନ ସାଜସଜ୍ଜା ଓ ଉଚ୍ଚମାନର ବିଷୟବସ୍ତୁକୁ ପ୍ରଶଂସା କରିଥିଲେ।‘ଯୁଗବାର୍ତ୍ତା’ରେ ଯୋଗୀ ଶାସନରେ ଅଗ୍ରଣୀ ପ୍ରଦେଶର ଚିତ୍ର

‘ଯୁଗବାର୍ତ୍ତା’ର ‘ଯୋଗୀ ରାଜରେ ଅଗ୍ରଣୀ ପ୍ରଦେଶ’ ବିଶେଷାଙ୍କରେ ଉତ୍ତର ପ୍ରଦେଶର ନେତୃତ୍ୱ, ବିକାଶ, ସୁଶାସନ ଓ ପରିବର୍ତ୍ତିତ ପରିଚୟ ସମ୍ପର୍କିତ ବିମର୍ଶକୁ ସ୍ଥାନ ଦିଆଯାଇଛି। ଜନସଂଖ୍ୟା, ସାଂସ୍କୃତିକ ବିସ୍ତାର ଓ ଐତିହାସିକ ଐତିହ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ଆଜି ଜାତୀୟ ରାଜନୀତି, ଅର୍ଥନୀତି, ଧାର୍ମିକ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିଶେଷାଙ୍କରେ ପରିବର୍ତ୍ତିତ ଉତ୍ତର ପ୍ରଦେଶର ଯାତ୍ରାକୁ ବୈଚାରିକ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇଛି। ଉତ୍ତର ପ୍ରଦେଶର ପ୍ରଗତି ସମ୍ପର୍କିତ ଏହି ବିମର୍ଶ ଉତ୍ତରାଖଣ୍ଡର ପବିତ୍ର ଭୂମିରେ ସାମ୍ନାକୁ ଆସିବା ଉଭୟ ରାଜ୍ୟ ମଧ୍ୟରେ ସଂଳାପ ଓ ଆତ୍ମୀୟତାକୁ ମଧ୍ୟ ରେଖାଙ୍କିତ କରୁଛି।

ସାଂସ୍କୃତିକ ଏକତାର ଜୀବନ୍ତ ସ୍ୱରୂପ

‘ଉତ୍ତର ପ୍ରଦେଶ ତୀର୍ଥାଟନ-ପର୍ଯ୍ୟଟନ’ ପୁସ୍ତକକୁ ରାଜ୍ୟର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ବ୍ୟାପକ ପରିଚୟ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଇଛି। କାଶୀରୁ କେଦାରନାଥ ପର୍ଯ୍ୟନ୍ତ, ଅଯୋଧ୍ୟାରୁ ବଦ୍ରିନାଥ ପର୍ଯ୍ୟନ୍ତ ଏବଂ ବିନ୍ଧ୍ୟାଚଳରୁ ହିମାଳୟର ଶିଖର ପର୍ଯ୍ୟନ୍ତ ବିସ୍ତାରିତ ଆସ୍ଥାର ପରମ୍ପରା ଭାରତର ସାଂସ୍କୃତିକ ଏକତାର ଜୀବନ୍ତ ସ୍ୱରୂପ।

ବଦ୍ରିନାଥରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କୁଳପୁରୋହିତ କଲେ ପତ୍ରିକାର ବିମୋଚନ

ଅନ୍ୟପଟେ ବଦ୍ରିନାଥ ଧାମରେ ଭାଇଦୂଜ ଅବସରରେ ବିଧାୟକ ଭୂପେଶ ଚୌବେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଳପୁରୋହିତ ତଥା ଯୋଶୀମଠର ପ୍ରସିଦ୍ଧ ସନ୍ଥ କମଳେଶ କୁକରେତୀ ଏବଂ ଡ. ରାଜେଶ ତିୱାରୀ ‘ନବୋତ୍ଥାନ’ ଓ ‘ଯୁଗବାର୍ତ୍ତା’ ପତ୍ରିକାର ବିମୋଚନ କରିଥିଲେ।

ଏହି ଅବସରରେ ସନ୍ଥ କମଳେଶ କୁକରେତୀ କହିଥିଲେ ଯେ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଚେତନା ଓ ସାମାଜିକ ମୂଲ୍ୟବୋଧର ସଂରକ୍ଷଣରେ ସାହିତ୍ୟ ଓ ସାମ୍ବାଦିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ନବୋତ୍ଥାନ’ର ବିଶେଷାଙ୍କ ଭାରତୀୟ ସମାଜର ସାଂସ୍କୃତିକ ମୂଳଦୁଆ, ପରମ୍ପରା, ଜ୍ଞାନ, କୌଶଳ ଓ ସ୍ଥାନୀୟ ସମ୍ବଳ ପ୍ରତି ଆସ୍ଥାକୁ ସୁଦୃଢ଼ କରିବାର ବିଚାର ଉପରେ ଆଧାରିତ। ଏଥିରେ ବିକାଶକୁ କେବଳ ଅର୍ଥନୈତିକ ସମ୍ପ୍ରସାରଣ ମଧ୍ୟରେ ସୀମିତ ନରଖି ସାଂସ୍କୃତିକ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭର ସମାଜ ଗଠନ ସହ ଯୋଡ଼ି ଉପସ୍ଥାପନ କରାଯାଇଛି।

ଉତ୍ତର ପ୍ରଦେଶରୁ ଅଲଗା ହୋଇ ଉତ୍ତରାଖଣ୍ଡ ଗଠିତ ହୋଇଥିଲେ ମଧ୍ୟ ଏହାଦ୍ୱାରା ଉଭୟ ରାଜ୍ୟର ସାଂସ୍କୃତିକ, ସାମାଜିକ ଓ ଭାବନାତ୍ମକ ସମ୍ପର୍କରେ କୌଣସି ଦୂରତା ସୃଷ୍ଟି ହୋଇନାହିଁ। ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡକୁ ଏକ ସ୍ୱତନ୍ତ୍ର ପରିଚୟ ସହ ଆଗକୁ ବଢ଼ୁଥିବା ଦେଖିଥିବାବେଳେ ଉତ୍ତରାଖଣ୍ଡ ମଧ୍ୟ ନିଜ ମୂଳ ସହ ଯୋଡ଼ି ହୋଇ ରହିବାର ପରମ୍ପରାକୁ ବଜାୟ ରଖିଛି। ଉଭୟ ରାଜ୍ୟର ଧାର୍ମିକ ପରମ୍ପରା, ଲୋକସଂସ୍କୃତି, ଭାଷାଗତ ବିବିଧତା, ତୀର୍ଥସ୍ଥଳ ଓ ଜନଜୀବନ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଶ୍ରୀକେଦାରନାଥର ଉପତ୍ୟକାରେ ଉତ୍ତର ପ୍ରଦେଶର ତୀର୍ଥ ଐତିହ୍ୟ ଓ ବିକାଶ ଯାତ୍ରାକୁ କେନ୍ଦ୍ର କରି ପ୍ରକାଶନଗୁଡ଼ିକର ବିମୋଚନ ଏହି ଆତ୍ମୀୟ ସମ୍ପର୍କର ପ୍ରତୀକ ପାଲଟିଛି।

ଭାରତୀୟ ଭାଷା ହିଁ ଜାତୀୟ ଚେତନାର ପ୍ରକୃତ ବାହକ

ଦେଶର ପ୍ରଥମ ବହୁଭାଷୀ ସମ୍ବାଦ ସଂସ୍ଥା ଭାବେ ହିନ୍ଦୁସ୍ଥାନ ସମାଚାର ଭାରତୀୟ ଭାଷାଗୁଡ଼ିକରେ ସମ୍ବାଦ ଓ ବିଚାରର ପ୍ରସାର ପରମ୍ପରାକୁ ଆଗକୁ ବଢ଼ାଉଛି। ‘ନବୋତ୍ଥାନ’ ଓ ‘ଯୁଗବାର୍ତ୍ତା’ ପତ୍ରିକା ମଧ୍ୟ ଭାରତୀୟ ଭାଷାରେ ଜାତୀୟ ବିମର୍ଶକୁ ବ୍ୟାପକ କରିବାର ମାଧ୍ୟମ ପାଲଟିଛି।

‘ନବୋତ୍ଥାନ’ର ବିଶେଷାଙ୍କରେ ସଂସ୍କୃତି ସହିତ ସ୍ୱାବଲମ୍ବନର ବ୍ୟାପକ ବିଚାରକୁ ପ୍ରାଧାନ୍ୟ ଦିଆଯାଇଛି। ଏହାର ବୈଚାରିକ ଆଧାର ହେଉଛି ଭାରତୀୟ ସମାଜର ନିଜ ମୂଳ, ପରମ୍ପରା, ଜ୍ଞାନ, କୌଶଳ ଓ ସମ୍ବଳ ପ୍ରତି ଆସ୍ଥାକୁ ସୁଦୃଢ଼ କରିବା। ବିକାଶର ଅର୍ଥ କେବଳ ଅର୍ଥନୈତିକ ସମ୍ପ୍ରସାରଣ ନୁହେଁ, ବରଂ ସାଂସ୍କୃତିକ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭର ସମାଜ ଗଠନ ମଧ୍ୟ। ଭାରତୀୟ ଭାଷାରେ ଏଭଳି ବିମର୍ଶର ପ୍ରକାଶନ ଦେଶର ବିବିଧ ସାଂସ୍କୃତିକ ଚେତନାକୁ ଜାତୀୟ ସଂଳାପ ସହ ଯୋଡ଼ିଥାଏ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande