
ବେଦାନ୍ତ ଝାରସୁଗୁଡ଼ା ପରିଦର୍ଶନ କଲେ ସେଲ୍ର ୧୧ ଜଣିଆ ପ୍ରତିନିଧି ଦଳ
ଝାରସୁଗୁଡ଼ା, 10 ନଭେମ୍ବର (ହି.ସ.) : ଶିଳ୍ପାନୁଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ସହ ସର୍ବୋତ୍ତମ କାର୍ଯ୍ୟପଦ୍ଧତିର ଆଦାନପ୍ରଦାନ ଲକ୍ଷ୍ୟରେ ବେଦାନ୍ତ ଆଲୁମିନିୟମ୍ ଓ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ମଧ୍ୟରେ ଏକ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସେଲ୍ର ୧୧ ଜଣ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍ କାରଖାନା ପରିଦର୍ଶନ କରି ଏଠାକାର ଆଧୁନିକ ସୁରକ୍ଷା ବ୍ୟବସ୍ଥା ଓ ନିରାପତ୍ତା ସମ୍ପର୍କିତ ଉତ୍ତମ କାର୍ଯ୍ୟପଦ୍ଧତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ପରିଦର୍ଶନ ସମୟରେ ପ୍ରତିନିଧି ଦଳ କାରଖାନା ପରିସରରେ ଥିବା 'ସେଫ୍ଟି ଗାଲାକ୍ସି ପାର୍କ' ବୁଲି ଦେଖିବା ସହ ସୁରକ୍ଷା ସଚେତନତା ଓ ବିଭିନ୍ନ ନିରାପତ୍ତା ପଦକ୍ଷେପ ବିଷୟରେ ଜାଣିଥିଲେ। ଏହାସହ କମ୍ପାନିର ଅଧିକାରୀମାନଙ୍କ ସହ ହୋଇଥିବା ଆଲୋଚନାରେ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତି, ନବସୃଜନ ଓ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ରୁ କହିଥିଲେ ଯେ, ସୁଦୃଢ଼ ବ୍ୟବସ୍ଥା, ଆଧୁନିକ ପ୍ରଯୁକ୍ତି ଓ ଉତ୍ତରଦାୟିତ୍ୱ ମାଧ୍ୟମରେ ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରି କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା କମ୍ପାନିର ପ୍ରାଥମିକ ଲକ୍ଷ୍ୟ। ସେଲ୍ ଭଳି ପ୍ରମୁଖ ଶିଳ୍ପ ସଂସ୍ଥା ସହ ଅନୁଭୂତି ଓ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ଶିଳ୍ପ ସୁରକ୍ଷାର ମାନଦଣ୍ଡକୁ ଆହୁରି ଉନ୍ନତ କରାଯାଇପାରିବ ବୋଲି ସେ ମତ ଦେଇଥିଲେ।
ସେହିପରି ସେଲ୍ ଏସ୍ଏସ୍ଓର ଜିଏମ୍ ଇନ୍ଚାର୍ଜ (ସୁରକ୍ଷା) ସୁରେଶ କୁମାର କହିଥିଲେ ଯେ, ଶିଳ୍ପ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାର ନିରନ୍ତର ଉନ୍ନତି ପାଇଁ ପରସ୍ପରର ଅନୁଭୂତି ଓ କାର୍ଯ୍ୟପଦ୍ଧତିରୁ ଶିଖିବା ଅତ୍ୟନ୍ତ ଜରୁରି। ବେଦାନ୍ତ ଝାରସୁଗୁଡ଼ା ପରିଦର୍ଶନ ମାଧ୍ୟମରେ ଏକ ବୃହତ୍ ଓ ଆଧୁନିକ ଶିଳ୍ପାନୁଷ୍ଠାନରେ ସୁରକ୍ଷାକୁ କିପରି କାର୍ଯ୍ୟସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ କରାଯାଇଛି, ସେ ସମ୍ପର୍କରେ ଉପଯୋଗୀ ଅନୁଭୂତି ମିଳିଥିବା ସେ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ