
ପୁରୀ, ୧୦ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ୨୦୨୬ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଯୁବବର୍ଗଙ୍କ ପ୍ରତିଭାର ଉନ୍ମେଷ ଦିଗରେ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ। ପ୍ରତ୍ୟେକ ପିଲା ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି। ଏହାର ପରିପ୍ରକାଶ ପାଇଁ ଏହିଭଳି ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପିଲା ଉପରେ ବାପା ମା' ଅଯଥା ଚାପ ନ ଦେଇ ତା' ଆଗ୍ରହର ଶିକ୍ଷା ଦିଗରେ ସହାୟକ ହେଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,
ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗଦେଇ ଯୁବ ଉତ୍ସବ ମାଧ୍ୟମରେ ଯୁବବର୍ଗଙ୍କ ସ୍ବପ୍ନ ଓ ଇଛାକୁ ପୂର୍ଣ୍ଣ କରିବାର ସୁଯୋଗ ରହିଥାଏ। ଏଠାକୁ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଚୟନ ହୋଇ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ। ତେଣୁ ସମସ୍ତ ପ୍ରତିଯୋଗୀ ଯେ କୌଣସି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ କରିବାକୁ ସେମାନେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ ଓ ଯୁବ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ବ୍ଲକ ଓ ମହାନଗର ନିଗମରୁ ଚୟନ ହୋଇ ଆସିଥିବା ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଲୋକ ସଂଗୀତ ପ୍ରତିଯୋଗିତାରେ ପୁରୀ ମହାନଗର ନିଗମ ପ୍ରଥମ, ପିପିଲି ବ୍ଲକ ଦ୍ୱିତୀୟ, ସତ୍ୟବାଦୀ ବ୍ଲକ ତୃତୀୟ ସ୍ଥାନ ଅଧିକାର କରିଥିଲା।ଲୋକନୃତ୍ୟରେ ପୁରୀ ମହାନଗର ନିଗମ ପ୍ରଥମ, ନିମାପଡା ବ୍ଲକ ଦ୍ୱିତୀୟ, ବ୍ରହ୍ମଗିରି ବ୍ଲକ ତୃତୀୟ, କବିତା ଲିଖନ ପ୍ରତିଯୋଗିତାରେ କାକଟପୁର ବ୍ଲକର ଓମ ପ୍ରକାଶ ସାହୁ ପ୍ରଥମ, ପୁରୀ ସଦରର ମାମା ପ୍ରଧାନ ଦ୍ୱିତୀୟ, ପୁରୀ ମହାନଗର ନିଗମର ବିଶ୍ୱାସ କୁମାର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ପଦ୍ମଲୋଚନ ପଣ୍ଡା, ମାନସ ରଞ୍ଜନ ମହାପାତ୍ର, ଡଃ. ସୀମାଞ୍ଚଳ ପଣ୍ଡା, କିଶୋର ଚନ୍ଦ୍ର ପଣ୍ଡା, ଗୌରାଙ୍ଗ ଚରଣ ଖୁଣ୍ଟିଆ, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ପାଳ, ଗୁରୁ ପାଗଳ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ବିଜେତା ଦଳକୁ ଟ୍ରଫି, ନଗଦ ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତାକାଲି ନୁକ୍କଡ ନାଟକ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / ବିଜୟ