
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – କେନ୍ଦୁଝର ସହରର ସିଟିଜି ପରିଚାଳିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଆଦିତ୍ୟ ପଲେଇ ଚଳିତ ମାସ ୬ ତାରିଖରେ ହଷ୍ଟେଲର ଚାରି ମହଲାରୁ ପଡ଼ି ଅକାଳ ମୃତ୍ୟୁବରଣ କରିବା ଘଟଣା ଏବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କଇଛି। ଏହା ଏକ ଦୁର୍ଘଟଣା ବୋଲି ବିଦ୍ୟାଳୟ କର୍ତୃପକ୍ଷ କହୁଥିବାବେଳେ ମୃତ ଛାତ୍ରଙ୍କ ପରିବାର ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଏପରିକି ପୁଅକୁ ପିଟି ପିଟି ହତ୍ୟା କରାଯାଇଥିବା ଗୁରୁତର ଅଭିଯୋଗ ଆଣି ମୃତକଙ୍କ ବାପା ସୁଧାଂଶୁ ଶେଖର ପଲେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ଗସ୍ତ ଅବସରରେ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।
ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ପଂଚାୟତ ନଳପଙ୍ଗା ଗ୍ରାମର ଆଦିତ୍ୟ କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋସ୍ଥିତ ସିଟିଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମବର୍ଷ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ। ଗତ ୬ ତାରିଖ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟର ଚାରି ମହଲା କୋଠାରୁ ପଡ଼ି ସେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଚିକିତ୍ସା କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ୭ ତାରିଖ ସକାଳ ୧୦ଟା ୪୫ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଛାତ୍ର ଆଦିତ୍ୟଙ୍କ ବାପା ସୁଧାଂଶୁଙ୍କ ଅଭିଯୋଗ ଅନୁଯାୟୀ ଚଳିତମାସ ୬ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ଫୋନ୍ କରି ଆଦିତ୍ୟ ଚାରି ମହଲାରୁ ପଡ଼ି ଆହତ ହୋଇଥିବା ଏବଂ ଧରଣୀଧର ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାଇଥିଲେ। ପରିବାର ଲୋକେ ହସ୍ପିଟାଲରେ ପହଂଚିବା ବେଳକୁ ଆଦିତ୍ୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତେବେ ଜଣେ ଛାତ୍ର ଚାରି ମହଲାରୁ କିପରି ପଡ଼ିଲେ, ଏହା ପଛରେ କୌଣସି ଅନ୍ୟ କାହାର ସମ୍ପୃକ୍ତି ଅଛି ତାହା ଜଣାପଡ଼ି ନାହିଁ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA