
ନଭେମ୍ବର ୧୩ ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଦିନିଆ ଚିତ୍ରଶିଳ୍ପୀ ଶିବିର ନୀଳ ଶଇଳ
ପୁରୀ, 11 ନଭେମ୍ବର (ହି.ସ.) ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୧୩ ନଭେମ୍ବର ରୁ ୧୫ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପୁରୀ ସ୍ଥିତ ନୀଳାଦ୍ରି ଭକ୍ତ ନିବାସଠାରେ ତିନି ଦିନିଆ ଚିତ୍ରଶିଳ୍ପୀ ଶିବିର ନୀଳ ଶଇଳ ଆୟୋଜନ ହେବ। ଏଥିରେ ପଦ୍ମ ପୁରସ୍କାର, ଜାତୀୟ ପୁରସ୍କାର, ରାଜ୍ୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ତଥା ଅନେକ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରି ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ଚିତ୍ରକଳା ପ୍ରଦର୍ଶନ କରିବେ। ୧୩ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକାରେ ଏହି ଶିବିରର ଶୁଭାରମ୍ଭ ହେବ ଏବଂ ୧୫ ତାରିଖ ରବିବାର ଅପରାହ୍ନ ୪ ଟା ରେ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ ଅତିଥିଗଣ ଯୋଗ ଦେବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିତ୍ରଶିଳ୍ପୀଙ୍କ ରହଣି ଏବଂ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଅଛି। ଶିବିରରେ ପ୍ରସ୍ତୁତ ହୋଇଥିବା ସମସ୍ତ ପେଣ୍ଟିଂକୁ ନେଇ ଏକ କଫି ଟେବୁଲ୍ ବୁକ୍ ମଧ୍ୟ ପ୍ରକାଶିତ ହେବ। ଏହାଦ୍ୱାରା ଶିବିରରେ ପ୍ରସ୍ତୁତ ହୋଇଥିବା ଅନନ୍ୟ କଳାକୃତିଗୁଡ଼ିକର ସଂରକ୍ଷଣ ସହ ଶ୍ରୀଜଗନ୍ନାଥ ସଂସ୍କୃତିର କଳାତ୍ମକ ବିଭବକୁ ଏକ ସୁନ୍ଦର ଦଲିଲ ଭାବେ ଦେଶବିଦେଶର କଳାପ୍ରେମୀ ଓ ଗବେଷକଙ୍କ ନିକଟରେ ପହଞ୍ଚାଇବାର ସୁଯୋଗ ସୃଷ୍ଟି ହେବ।
କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ କଳା ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରସାର କରିବା ହେଉଛି ନୀଳ ଶଇଳ ଚିତ୍ରଶିଳ୍ପୀ ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଚିତ୍ରଶିଳ୍ପୀମାନେ ନିଜସ୍ୱ କଳାନୈପୁଣ୍ୟ ଓ ସୃଜନଶୀଳତା ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗକୁ ଚିତ୍ରକଳା ମାଧ୍ୟମରେ ଉପସ୍ଥାପନ କରିବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ପୁରୀରେ ନୀଳ କନ୍ଦର ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ