
୫୯ତମ କୁମାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମନ ଜିଣିଲା ‘ଇନକିଲାବ ଜିନ୍ଦାବାଦ୍’
ଗୁରୁବାର ସନ୍ଧ୍ୟା ରେ ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଲତାଫ୍ ରାଜା ଙ୍କ ସଂଗୀତ ପରିବେଷଣ
ପୁରୀ,11 ନଭେମ୍ବର (ହି.ସ.)କୁମାର ଉତ୍ସବ ସମିତି, ପୁରୀ ପକ୍ଷରୁ ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ୫୯ତମ କୁମାର ଉତ୍ସବ-୨୦୨୬ର ଦ୍ୱିତୀୟ ସନ୍ଧ୍ୟା ସଙ୍ଗୀତ, ନୃତ୍ୟ ଓ ଲୋକକଳାର ଚିତ୍ତାକର୍ଷକ ପରିବେଷଣରେ ବେଶ୍ ଜୀବନ୍ତ ହୋଇଉଠିଥିଲା। ତେବେ ଏହି ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ସାଜିଥିଲା ଯୁବ ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତିଙ୍କ ନିର୍ଦ୍ଦେଶନାରେ ସହିଦ ଭଗତ ସିଂହଙ୍କ ଜୀବନୀ ଆଧାରିତ ନାଟକ ‘ଇନକିଲାବ ଜିନ୍ଦାବାଦ୍’। ଦେଶପ୍ରେମ, ତ୍ୟାଗ, ସଂଘର୍ଷ ଓ ବଳିଦାନର ଅମର ଗାଥାକୁ ନେଇ ପରିବେଷିତ ଏହି ନାଟକ ଦର୍ଶକଙ୍କ ମନରେ ଗଭୀର ଭାବାବେଗ ସୃଷ୍ଟି କରିବା ସହ ଦେଶଭକ୍ତିର ଭାବନାକୁ ଉଜ୍ଜୀବିତ କରିଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଅନନ୍ୟା କଳା ମନ୍ଦିର, ପୁରୀ ପକ୍ଷରୁ ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ, ୟୁନିକ୍ ଟ୍ରାନ୍ସଜେଣ୍ଡର ଗ୍ରୁପ୍ ପକ୍ଷରୁ ନବଦୁର୍ଗା, ନଟରାଜ ଡ୍ୟାନ୍ସ ଏକାଡେମୀ, କଟକ ପକ୍ଷରୁ ଲୋକନୃତ୍ୟ, ଜେଡିସି ନୃତ୍ୟଭୂମି ପକ୍ଷରୁ ବଙ୍ଗଳା ଲୋକନୃତ୍ୟ ଏବଂ ଆଦିନୃତ୍ୟ କଳା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଝୁମର ନୃତ୍ୟ ପରିବେଷିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତର ଲୋକକଳା ଓ ନୃତ୍ୟର ଏହି ଅପୂର୍ବ ସମାହାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟ ତଥା ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଦ୍ଵିତୀୟ ସନ୍ଧ୍ୟାରେ ବରିଷ୍ଠ ସେବାୟତ ବିଦ୍ୟାପତି ନନ୍ଦକିଶୋର ପତିମହାପାତ୍ର, ସମାଜସେବୀ ପ୍ରଫେସର ସୌଭାଗ୍ୟ କୁମାର ସାହୁ, ପୁରୀ ଜିଲ୍ଲା ବାର ଆସୋସିଏସନର ସମ୍ପାଦକ ଶରତ ଚନ୍ଦ୍ର ରାୟଗୁରୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ସମିତିର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱନାଥ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ଅନୁଷ୍ଠାନର ଉପଦେଷ୍ଟା ସରସ୍ୱତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିଡ଼ ଓ ହେଲ୍ପ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରିୟାଂଶୀ ଦାସଙ୍କୁ ସମାଜସେବୀ ଭାରତୀ ନାୟକ ସ୍ମୃତି ସମ୍ମାନ ଏବଂ ସ୍ବେଚ୍ଛାସେବୀ ଅଜୟ କୁମାର ପ୍ରଧାନଙ୍କୁ ପୂର୍ବତନ ବିଧାୟକ ଗଦାଧର ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶ୍ରୀକ୍ଷେତ୍ର ଗୃହିଣୀ ଭାବେ ଶ୍ରୀମତୀ କଳ୍ପନା ମୁଦୁଲିଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ପାର୍ବତୀ ପାଟ୍ଟଯୋଶୀ ମହାପାତ୍ରଙ୍କ ସ୍ମୃତିରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କନିଷ୍ଠ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଭରତ କୁମାର ନାୟକ, ଶ୍ୟାମ ପ୍ରକାଶ ସେନାପତି ଓ ଜ୍ୟୋତିର୍ମୟୀ ପଣ୍ଡା ସୁନ୍ଦର ଭାବେ ମଞ୍ଚ ସଞ୍ଚାଳନା କରିଥିଲେ। ଏହି ଅବସରରେ ସର୍ବଶ୍ରୀ ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଗୌରୀଶଙ୍କର ସାମନ୍ତରାୟ, ବିରଞ୍ଚୀ ନାରାୟଣ ଷଡ଼ଙ୍ଗୀ, ସନ୍ତୋଷ ମହାନ୍ତି, ଶୁଭଶ୍ରୀ ଜୟସିଂହ, ନିଗମ ପାତ୍ର, ଲିନୁ ନାୟକ, ଗୌତମ ସାହୁ, କ୍ଷୀରୋଦ କୁମାର ଦାଶ, ସୌମ୍ୟ ରଞ୍ଜନ ନାୟକ, ରାକେଶ କୁମାର ନାୟକ, ଅମ୍ରିତ କୁମାର ସାମନ୍ତରାୟ, ପପି ସାହୁ, ମିର୍ଣ୍ଣାଲିନ ଦାସ, ମନସ୍ମିତା ସାହୁ, ଚନ୍ଦନ କୁମାର ସାହୁ, ପ୍ରୀତିପନ୍ନା କରଣ, ନିରଜ ମହାନ୍ତି, କିଶୋର ଚନ୍ଦ୍ର ଦାସ, ଚନ୍ଦ୍ରଶେଖର ଓମ ପାତ୍ର, ପାୟଲ ମହାନ୍ତି, ବନିତା ଦୀକ୍ଷିତ, ଦେବରାଜ ଦାସ, ସାହିଲ ମହାନ୍ତି, ସନ୍ତୋଷ ସେନାପତି, ନିହାରିକା ତ୍ରିପାଠୀ, ଶିଶିରକାନ୍ତ ଶତପଥୀ, ପ୍ରମୋଦ ପଟ୍ଟନାୟକ, ରେଶମା ରଣା, ଅଭ୍ୟୁଦୟ ଦାସ, ବାପିନା ସାମନ୍ତରାୟ, ରଶ୍ମି ରଞ୍ଜନ ପାତ୍ର, ତ୍ରିଲୋଚନ ମଲ୍ଲ, ମମତା ସ୍ୱାଇଁ, ଓ ସୁବାଷ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ତିନିଦିନିଆ ଏହି ସାଂସ୍କୃତିକ ମହୋତ୍ସବର ଆସନ୍ତାକାଲି ଉଦ୍ଯାପନୀ ସନ୍ଧ୍ୟାରେ ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଲତାଫ୍ ରାଜା ତାଙ୍କର ଲୋକପ୍ରିୟ ସଙ୍ଗୀତ ପରିବେଷଣ କରିବେ। ତାଙ୍କ ସୁମଧୁର କଣ୍ଠସ୍ୱରରେ ଶରଧାବାଲିର ମୁକ୍ତାକାଶ ରଙ୍ଗମଞ୍ଚ ସଙ୍ଗୀତମୟ ହୋଇଉଠିବା ସହ ଦର୍ଶକଙ୍କ ପାଇଁ ଏହି ସନ୍ଧ୍ୟା ଏକ ସ୍ମରଣୀୟ ଅନୁଭୂତି ହେବ ବୋଲି ଆଶା କରାଯାଉଛି। ଉତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ପୁରୀବାସୀ ତଥା ସମସ୍ତ ସଙ୍ଗୀତପ୍ରେମୀଙ୍କୁ ଯୋଗଦେବା ପାଇଁ ସମିତି ପକ୍ଷରୁ ଆମନ୍ତ୍ରଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ