
ଝାରସୁଗୁଡ଼ା, 11 ନଭେମ୍ବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲାର କୋଲାବିରା କୃଷି ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଅର୍ଥ ହେରଫେର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ। ଏହି ଘଟଣାର ନିରପେକ୍ଷ ଓ ନିଷ୍ପକ୍ଷ ତଦନ୍ତ ସହ ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସେ ଦାବି କରିଛନ୍ତି। ଆଜି କୋଲାବିରାଠାରେ ଗଣମାଧ୍ୟମକୁ ଏହି ମର୍ମରେ ପ୍ରତିକ୍ରିୟା ଦେଇ ବିଧାୟକ ତଦନ୍ତର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, କୋଲାବିରା କୃଷି ସେବା ସମବାୟ ସମିତିରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହେବା ପରେ ସମିତିର ପରିଚାଳନା କମିଟିର ନିଷ୍ପତ୍ତିକ୍ରମେ ସମ୍ପାଦକ ଦେବରାଜ କୁମୁରାଙ୍କୁ ନିଲମ୍ବନ କରାଯାଇଥିଲା। ଏହାସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ମାତ୍ର ସମ୍ପାଦକଙ୍କ ନିଲମ୍ବନ ପରେ ତଦନ୍ତ ପ୍ରକ୍ରିୟା ମନ୍ଥର ହୋଇପଡ଼ିଥିବା ନେଇ ବିଧାୟକ ପ୍ରଶ୍ନ ଉଠାଇଛନ୍ତି।
ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏହି ଦୁର୍ନୀତି ଘଟଣାରେ କେବଳ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ନଥାଇ ଏହା ପଛରେ ଏକାଧିକ ବ୍ୟକ୍ତି ଓ ଅଧିକାରୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି। ତେଣୁ ଘଟଣାର ଉପରଠାଉରିଆ ତଦନ୍ତ ନକରି ଏହାର ମୂଳ ପର୍ଯ୍ୟନ୍ତ ଯାଇ ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ୱ ଦେବା ସହ ପ୍ରକୃତ ଦୋଷୀଙ୍କୁ ଦଣ୍ଡିତ କରନ୍ତୁ।
ରାଜ୍ୟରେ ବିଜେପି ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ବେଳେ ଏଭଳି ଯୋଜନାବଦ୍ଧ ଅର୍ଥ ହେରଫେରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏହି ଦୁର୍ନୀତି ଗରିବ ଚାଷୀଙ୍କ ହକ୍ ଓ ଅଧିକାରକୁ କ୍ଷୁଣ୍ଣ କରିବା ସହ ସମବାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି। ତେଣୁ ଏଥିରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ନିରପେକ୍ଷ ତଦନ୍ତ ମାଧ୍ୟମରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ବିଧାୟକ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ