
ଝାରସୁଗୁଡ଼ା, 11 ନଭେମ୍ବର (ହି.ସ.)
ଡାକ୍ତରଖାନାକୁ ଖୁବ୍ଶୀଘ୍ର ମିଳିବ ଏକ୍ସ-ରେ ମେସିନ୍, ପୂରଣ ହେବ ଡାକ୍ତର ଓ କର୍ମଚାରୀ ପଦବୀ
ସ୍ୱର୍ଗତ ଚିନ୍ତାମଣି ସିଂହ ନାଏକଙ୍କ ନାମରେ ନାମିତ ହେବାକୁ ପ୍ରସ୍ତାବ ଗୃହୀତ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ରୋଗୀ କଲ୍ୟାଣ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସିଏଚ୍ସି ଅଧୀକ୍ଷକ ଡା. ଘନଶ୍ୟାମ ସୋରେନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଡାକ୍ତରଖାନାର ଭିତ୍ତିଭୂମି ଓ ଚିକିତ୍ସା ସେବାର ଉନ୍ନତି ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।
କୋଲାବିରା ଡାକ୍ତରଖାନାକୁ ଖୁବଶୀଘ୍ର ଏକ ଏକ୍ସ-ରେ ମେସିନ୍ ଯୋଗାଇ ଦିଆଯିବା ସହ ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ଆବଶ୍ୟକ କର୍ମଚାରୀ ପଦବୀ ପୂରଣ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ। ଏହାଦ୍ୱାରା ଅଞ୍ଚଳବାସୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଉନ୍ନତ ଚିକିତ୍ସା ସେବା ମିଳିପାରିବ ବୋଲି ଆଶା ପ୍ରକାଶ ପାଇଥିଲା।
ବୈଠକରେ ଡାକ୍ତରଖାନାର ପ୍ରସୂତି ବିଭାଗରେ ସୁରକ୍ଷିତ ଓ ସଠିକ୍ ପ୍ରସବ ବ୍ୟବସ୍ଥା, ମେଡିକାଲ ପରିସରରେ ରାସ୍ତା ନିର୍ମାଣ, ଆବଶ୍ୟକ ଚିକିତ୍ସା ଉପକରଣ ଓ ସାମଗ୍ରୀ କ୍ରୟ ସହ ରୋଗୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ କୋଲାବିରା ଡାକ୍ତରଖାନାର ପ୍ରତିଷ୍ଠାତା ତଥା ଅଞ୍ଚଳର ପୂର୍ବତନ ଜମିଦାର ସ୍ୱର୍ଗତ ଚିନ୍ତାମଣି ସିଂହ ନାଏକଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଡାକ୍ତରଖାନାଟିକୁ ତାଙ୍କ ନାମରେ ନାମିତ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।
ବୈଠକରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ବିଧାୟକଙ୍କ ପ୍ରତିନିଧି ରାଜେଶ ଦାଶ, ବିଡିଓ ଅବିନାଶ ଲାକ୍ରା, ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ, ଡା. ସିଶୋଦ ବୁଡ଼ାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ