
ପୋଖରାସାଲେହ ପଞ୍ଚାୟତର ଲାରିଆପାଲି ଗ୍ରାମ ପରିଦର୍ଶନ କଲେ ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସିଥିବା ୟୁନିସେଫ୍ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନାଝାରସୁଗୁଡ଼ା, 11 ନଭେମ୍ବର (ହି.ସ.):କୋଲାବିରା ବ୍ଲକ୍ ଅନ୍ତର୍ଗତ ପୋଖରାସାଲେହ ଗ୍ରାମପଞ୍ଚାୟତର ଲାରିଆପାଲି ଗ୍ରାମକୁ ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପରିଦର୍ଶନ କରିଛନ୍ତି। ଜଳ, ପରିମଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସଫଳତାର ଉଦାହରଣକୁ ଟିମ୍ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ। ୟୁନିସେଫ୍ ଦିଲ୍ଲୀ କାର୍ଯ୍ୟାଳୟର ବରିଷ୍ଠ ୱାସ୍ ବିଶେଷଜ୍ଞ ସୁଜୟ ମଜୁମଦାର, ୟୁନିସେଫ୍ ଓଡ଼ିଶାର ଚିଫ୍ ଫିଲ୍ଡ ଅଫିସର ପୀତାମ୍ବର କୁମାର ଦାଶ (ପ୍ରଶାନ୍ତ କୁମାର ଦାଶ), ଭୁବନେଶ୍ୱର ୱାସ୍ ବିଶେଷଜ୍ଞା ଶ୍ରୀମତୀ ଶିପ୍ରା ସକ୍ସେନା, ରାଜ୍ୟ ୱାସ୍ ପରାମର୍ଶଦାତା ନିର୍ମା ବୋରା, ଯୋଗେନ୍ଦ୍ର ସିଂହ ଏବଂ ଜ୍ୟୋତିର୍ମୟ ଦେବ ଗୋସ୍ୱାମୀ ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ। ଏହି ଅବସରରେ ଓଏଲ୍ଏମର ଡିପିଏମ୍ ଡ. ପୁଷ୍ପଶ୍ରୀ ନାୟକ ଏବଂ ଜିଲ୍ଲା ୱାସ୍ ପ୍ରୋଗ୍ରାମ ସଂଯୋଜକ ଗଣେଶରାମ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମ ପରିଦର୍ଶନ ସମୟରେ ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ ଯେ, ଲାରିଆପାଲିର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗୋଷ୍ଠୀ ମାଧ୍ୟମରେ ‘ୱାସ୍ ଋଣ’ ଗ୍ରହଣ କରି ପୁରୁଣା ଓ ଅବ୍ୟବହୃତ ଶୌଚାଳୟଗୁଡ଼ିକର ମରାମତି, ନବୀକରଣ ତଥା ଉନ୍ନତୀକରଣ କରିଛନ୍ତି। ଏହାସହ ଶୌଚାଳୟ ସହିତ ଆନୁଷଙ୍ଗିକ ସ୍ନାନାଗାର ନିର୍ମାଣ କରି ସେଗୁଡ଼ିକୁ ସ୍ୱଚ୍ଛତାର ସହ ନିୟମିତ ବ୍ୟବହାର କରୁଛନ୍ତି। ପରିବାର ତଥା ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ମହିଳାମାନେ ନିଜସ୍ୱ ଉଦ୍ୟମରେ ୪୫ଟି ଉନ୍ନତମାନର ୱାଟର ଫିଲ୍ଟର କ୍ରୟ କରି ବ୍ୟବହାର କରୁଛନ୍ତି। ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମହିଳାମାନଙ୍କ ଏହି ନିଷ୍ଠାପର ପଦକ୍ଷେପ ମହିଳାମାନେ ଚାହିଁଲେ ସବୁକିଛି ସମ୍ଭବ କରିପାରିବେ ବୋଲି ପ୍ରମାଣିତ କରିଛି ଏବଂ ଏହା ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି। ଏହି ସଫଳତା ପରିଦର୍ଶନ ପରେ ୟୁନିସେଫ୍ ଟିମ୍ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦର ସିଡିଓ ତଥା ଇଓ ଶ୍ରୀ ବିଶ୍ୱରଞ୍ଜନ ନାୟକ ଏବଂ ଅତିରିକ୍ତ ଇଓ ଶ୍ରୀ ସୂର୍ଯ୍ୟାଂଶୁ ରୁଟ ଙ୍କ ସହ ଆଲୋଚନାରେ କରିଥିଲେ। ଗ୍ରାମାଞ୍ଚଳରେ ମହିଳାମାନଙ୍କ ଏହି ଉଲ୍ଲେଖନୀୟ ତଥା ପ୍ରେରଣାଦାୟୀ ମଡେଲକୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ଉତ୍ତମ ପଦକ୍ଷେପକୁ କ୍ରମାଗତ ଭାବେ ସମ୍ପ୍ରସାରିତ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ