
ଢାକା (ବାଂଲାଦେଶ), ୧୨ ନଭେମ୍ବର (ହି.ସ.)। ବାଂଲାଦେଶରେ ଗୁରୁବାର ଭୋର୍ ସମୟରେ କୁଷ୍ଟିଆ ଜିଲ୍ଲାର ଦୌଲତପୁର ଉପଜିଲ୍ଲାରେ ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନ୍ସିପି) ସାଂସଦ ନୁସରତ ତବସ୍ସୁମ୍ଙ୍କ ପୈତୃକ ଘରେ ନିଆଁ ଲାଗି ପାଞ୍ଚଟି କୋଠରି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଆକ୍ରମଣକାରୀମାନେ ଘର ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିବା ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ମଧ୍ୟରାତ୍ରି ପରେ ବାଗୋୱାନ ଗ୍ରାମରେ ଥିବା ସାଂସଦଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
‘ଢାକା ଟ୍ରିବ୍ୟୁନ୍’ର ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୧ଟା ୫୦ ମିନିଟ୍ରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଟିଣ ଛାତ ଥିବା ଏହି ଏକ ମହଲା ବିଶିଷ୍ଟ ଘରର ମୋଟ ୮ଟି କୋଠରି ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିଆଁରେ ଦୁଇଟି ଛେଳିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଯୋଜନାବଦ୍ଧ ଭାବେ ପେଟ୍ରୋଲ ବୋମା ମାଡ଼ କରି ଘରକୁ ଟାର୍ଗେଟ୍ କରାଯାଇଥିବା ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଆୱାମୀ ଲିଗ୍ ସହ ଜଡ଼ିତ ଲୋକଙ୍କୁ ଦାୟୀ କରିଛନ୍ତି।
ତେବେ ପୁଲିସର କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏଥିରେ କୌଣସି ବିସ୍ଫୋରକ କିମ୍ବା ଦହନଶୀଳ ସାମଗ୍ରୀ ବ୍ୟବହାର କରାଯାଇଥିବା ନେଇ ମଧ୍ୟ କୌଣସି ପୁଷ୍ଟି ହୋଇନାହିଁ।
ଭେରାମାରା ସର୍କଲର ଅତିରିକ୍ତ ପୁଲିସ ଅଧୀକ୍ଷକ ଦିଲୱାର ହୁସେନ କହିଛନ୍ତି ଯେ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଯୋଗୁଁ ଘରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏହା ନିକଟରେ ଥିବା ତିନି ମହଲା ବିଶିଷ୍ଟ କୋଠାକୁ ବ୍ୟାପି ନଥିଲା। ଉକ୍ତ କୋଠାରେ ତବସ୍ସୁମ୍ଙ୍କ ମାତାପିତା ରହୁଛନ୍ତି।
ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏନ୍ସିପିର ମିଡିଆ ସେଲ୍ ପକ୍ଷରୁ ଫେସ୍ବୁକ୍ରେ ଏକ ପୋଷ୍ଟ କରାଯାଇ ଆୱାମୀ ଲିଗ୍ର ଲୋକମାନେ ସାଂସଦଙ୍କ ବାସଭବନ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିବା ଅଭିଯୋଗ କରାଯାଇଛି। ଏନ୍ସିପି ମୁଖପାତ୍ର ଆସିଫ୍ ମହମୁଦ୍ ସାଜିବ୍ ଭୁଇୟାଁ ମଧ୍ୟ ଏକ ପୃଥକ ଫେସ୍ବୁକ୍ ପୋଷ୍ଟରେ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଥିବା ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା