
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ଖୋର୍ଦ୍ଧା ଜିଲ୍ଲାର ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ଜିଲ୍ଲାର ୨୩,୪୮୦ ଜଣ ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାର ଦୁଇଟି ସବଡିଭିଜନ ପାଇଁ ପ୍ରସ୍ତୁତ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା। ଏହା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାମାଜିକ ସୁରକ୍ଷା ସମ୍ପର୍କିତ ସୂଚନା ଜନସାଧାରଣଙ୍କ ନିକଟରେ ପହଂଚିବ।
ସମାଜର ବରିଷ୍ଠ ନାଗରିକ, ବିଧବା, ଦିବ୍ୟାଙ୍ଗ ତଥା ଅସହାୟ ଓ ଆବଶ୍ୟକତା ଥିବା ବର୍ଗଙ୍କୁ ସାମାଜିକ ଓ ଆର୍ôଥକ ସୁରକ୍ଷା ସହ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଂଚାଇବା ଆମର ସଂକଳ୍ପ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲାପାଳ,ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଗଣ,ଜନପ୍ରତିନିଧି ବୃନ୍ଦ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
.................
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା